ବାଲିପାଟଣା ୨୧।୩: ବାଣ ବିସ୍ଫୋରଣରେ ପୋଡ଼ି ହୋଇ ଗୁରୁତର ହେଲେ । ପୋଲିସ ଭୟରେ ବୁଦା ମୂଳରେ ଲୁଚିଲେ । ଶେଷରେ ଚାଲିଗଲା ଗୁରୁତର ବ୍ୟକ୍ତିଙ୍କ ଜୀବନ । ବାଲିପାଟଣା ଥାନା ବାଲିକୁଦାପାଟଣା ଗ୍ରାମରେ ବାଣ ଗୋଦାମ ବିସ୍ଫୋରଣରେ ଗୁରୁତରଙ୍କ ମୃତ୍ୟୁ ସୂଚନା । ମୃତକ ଜଣଙ୍କ ବାଲିକୁଦାପାଟଣା ଗ୍ରାମର ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ ବାଲିକୁଦା ପାଟଣା ସ୍ଥିତ ଏକ ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା । ଅଗ୍ନିକାଣ୍ଡ ଯୋଗୁଁ ପ୍ରଚୁର ପରିମାଣର ବାଣ ବିସ୍ଫୋରଣ ହୋଇଥିଲା । ଫଳରେ ଗୋଦାମ ଗୃହର ଛାତ ଭାଙ୍ଗି ଯାଇଥିଲା । ବାଣରେ ବ୍ୟବହୃତ ବ୍ୟାପକ ସାମଗ୍ରୀ ଓ ବାରୁଦ ପୋଡି ପାଉଁଶ ହୋଇଯାଇଥିଲା । ବାଣ କାରଖାନାରେ ହାତ ହତିଆର ଏବଂ ଅନ୍ୟ ସାମଗ୍ରୀ ଛିନଛତର ହୋଇ ପଡିଥିଲା । ବାଲିପାଟଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ କରିଥିଲା । ବିସ୍ଫୋରଣରେ ଜଣେ ବ୍ୟକ୍ତି ପୋଡି ହୋଇଯାଇଥିଲେ । ପୋଲିସ ଭୟରେ ସେ କୁଶଭଦ୍ରା ନଦୀ ପଠାରେ ଥିବା ଏକ ବୁଦା ମୂଳେ ଲୁଚି ଯାଇଥିଲେ । ରାତି ପ୍ରାୟ ୮ଟାରେ ପରିବାର ଲୋକ ଏହା ଜାଣି ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । ମାତ୍ର ଶନିବାର ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Also Read:- ବିଜେଡିର ଚେତାବନୀ ପରେ ଆକ୍ସନ, ପ୍ରତାପ ଜେନାଙ୍କ କ୍ବାର୍ଟର୍ସ ଆଗରେ ହଙ୍ଗାମା କରିଥିବା ୨ ଯୁବକ ଗିରଫ

ତେବେ ବ୍ୟାପକ ପରିମାଣ ବାଣ ଫୁଟି ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଫଳରେ ଲୋକେ ଭୟଭୀତ ହୋଇ ପଡ଼ିଥିଲେ । ବାଲିକୁଦା ପାଟଣାର କୁମର ସାହୁ ଏବଂ ତାଙ୍କ ଭାଇ ମାନେ ମା’ ଦୁଲ୍ଲାଦେବୀ ଫାୟାର ୱାର୍କ ଖୋଲି ଦୀର୍ଘ ଦିନ ହେଲା ବ୍ୟବସାୟ କରି ଆସୁଥିଲେ । ତେବେ କିପରି ବାଣ ଗୋଦାମରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ ।