ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅନ୍ତର୍ଗତ ବାଲିକୁଦା ପାଟଣାରେ ଭୟଙ୍କର ବିସ୍ଫୋରଣ। ଏଠାରେ ଥିବା ଏକ ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡ ଯୋଗୁ ଗୋଦାମରେ ରଖିଥିବା ବାଣ ବିସ୍ଫୋରଣ ହୋଇ ଗୋଦାମ ଗୃହର ଛାତଟି ଭାଙ୍ଗିଯାଇଛି। ସୌଭାଗ୍ୟବସତଃ ଏଥିରେ କେହି ଆହତ ହୋଇନାହାଁନ୍ତି। ତେବେ ପ୍ରାୟ ୨ରୁ ୩ ଲକ୍ଷ ଟଙ୍କାର ସାମଗ୍ରୀ ଓ ବାରୁଦ ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ବାଲିପାଟଣା ଅଗ୍ନିଶମ ବାହିନୀ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବାଣ ବିସ୍ଫୋରଣ ସମୟରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଏଥିରେ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ବାଲିକୁଦା ପାଟଣା କୁମର ସାହୁ ଏବଂ ତାଙ୍କ ଭାଇ ମାନେ ମା ଦୁଲ୍ଲାଦେବୀ ଫାୟର ୱାର୍କ ଖୋଲି ଦୀର୍ଘ ଦିନ ହେଲା ବ୍ୟବସାୟ କରି ଆସୁଥିଲେ । ତେବେ ଏହି ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି । କିପରି ବାଣ ଗୋଦାମରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ। ତେବେ ଏହି ବାଣ ଗୋଦାମର ଆବଶ୍ୟକୀୟ ଅନୁମତି ପତ୍ର ଅଛି କି ନାହିଁ ? ତାହା ଜାଣିବାକୁ ପୋଲିସ ତଦନ୍ତ କରୁଛି।

Also Read: Market Complex Fire: ମହାବୀର କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ : ନିଆଁ ଲିଭାଇବାକୁ ୪ ଦମକଳ ଗାଡ଼ି ନିୟୋଜିତ