ଭୁବନେଶ୍ବର ୨୧।୩: ଚେତାବନୀ ଦେଇଥିଲା ବିଜେଡି, ଘେରିବ ମୁଖ୍ୟମନ୍ତ୍ରୀ ବାସଭବନ । ବିଜେଡିର ଚେତାବନୀ ପରେ ପୋଲିସର ଆକ୍ସନ । ବରିଷ୍ଠ ନେତା ପ୍ରତାପ ଜେନାଙ୍କ କ୍ବାର୍ଟର୍ସ ଆଗରେ ହଙ୍ଗାମା ଘଟଣାରେ ୨ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ସିଦ୍ଧାର୍ଥ ସ୍ବାଇଁ ଓ ଦେବୀପ୍ରସାଦ ଲେଙ୍କାଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଶୁକ୍ରବାର ରାତିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଠାରୁ କିଛି ଦୂରରେ ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନାଙ୍କ କ୍ବାର୍ଟର୍ସରେ କିଛି ଯୁବକ ପଶି ଉନ୍ମତ୍ତ କାଣ୍ଡ ଘଟାଇଥିଲେ । ଏମିତି କି ବ୍ଲାଙ୍କ୍ ଫାୟାରିଂ କରିଥିଲେ । ସେହି ସମୟରେ ସେଠାରେ କୌଣସି ପାଟ୍ରୋଲିଂ ନଥିଲା । ଏଭଳି ଅଭିଯୋଗ ଆଣିଥିଲା ବିଜେଡି । ଯଦି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତେବେ ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ ବୋଲି ବିଜେଡି ଚେତାବନୀ ଦେଇଥିଲା । ଏମାନେ ସବୁ ସମାଜରେ ନିନ୍ଦିତ, ଲୋକେ ବି ଛି ଛି କଲେଣି । ଏବେ ସବୁ କିଛି ପଦାରେ ପଡିଯାଇଛି । ନିଜ ସ୍ୱାର୍ଥ ପାଇଁ ବାଙ୍କୀବାସୀଙ୍କ ସହ ଛଳନା କରିଛନ୍ତି । ଲୋକଙ୍କ ଦ୍ୱାରା ନିନ୍ଦିତ ହେଉଛନ୍ତି । ଏଥିରୁ ନିବୃତ ରୁହନ୍ତୁ ନହେଲେ ପରିସ୍ଥିତି ଭୟାବହ ହେବ ବୋଲି ବିଜେଡି ସଭାପତି ଚିନ୍ମୟ ସାହୁ କହିଥିଲେ ।

ସେହିଭଳି ସମାନ ପ୍ରତିକ୍ରିୟା ରଖିଥିଲେ ବିଜେଡି ସଭାନେତ୍ରୀ ଇପ୍‌ସିତା ସାହୁ । ସେ କହିଥିଲେ, ଡବଲ ମୂଲ ମିଳିଛି ସେଥିରୁ ଛିଞ୍ଚନ କରୁଛନ୍ତି । ପ୍ରତାପ ଜେନାଙ୍କ ଘରେ ଦେବୀ ତ୍ରିପାଠୀଙ୍କ ନାମ କହି ଯେଉଁମାନେ ଏଭଳି କାଣ୍ଡ କଲେ ଏବେ ଦେବୀ ତ୍ରିପାଠୀ ସାମ୍ନାକୁ ଆସି କ୍ଲିୟର କରନ୍ତୁ । ସେମାନେ ତାଙ୍କ ପିଲା କି ନାହିଁ ସ୍ପଷ୍ଟ କରି ଯାଆନ୍ତୁ ।

Also Read:- ଦଳ ବିରୋଧୀ କାର୍ଯ୍ୟ ପାଇଁ ୧୦ ଜଣ ବିଜୁ ଯୁବ ଏବଂ ଛାତ୍ର ନେତାଙ୍କୁ ନିଲମ୍ବିତ କଲା ବିଜେଡି

ଶୁକ୍ରବାର ଦେବୀ ତ୍ରିପାଠୀ ବାଙ୍କିରେ ରାଲି କଲେ କାହିଁକି ଶଙ୍ଖ ଚିହ୍ନ ନଥିଲା ବୋଲି ଓଲଟା ପ୍ରଶ୍ନ କରିଥିଲେ ବିଜେଡି ସଭାନେତ୍ରୀ । ବିଜୁ ବାବୁଙ୍କ ଫଟୋ ଥିଲା । କେଉଁଠୁ ଫଣ୍ଡିଙ୍ଗ ହୋଇଛି, କେନ୍ଦୁଝର ନା ସୁନ୍ଦରଗଡ଼ ? ରାଜ୍ୟସଭାରେ ଭୋଟ୍ ଦେବା ବେଳେ ବାରମ୍ବାର ବାଥରୁମ୍‌ ଆସି କାହା ସହ କଥା ହେଉଥିଲେ ଭିଡିଓ ଆସିବ । କ୍ୟାପିଟାଲ ଥାନାରେ କେଶ ଦେଇଛୁ । ଗୋଟିଏ ଦିନ ସମୟ ଦେଇଛୁ ପୋଲିସକୁ । କାଲି କିଛି ଅଘଟଣ ଘଟିଥିଲେ କିଏ ଦାୟୀ ରହିଥାନ୍ତା ? ଯୁବ ଛାତ୍ର ତାତିଲେ ପରିଣାମ କ’ଣ ହେବ ତାଙ୍କୁ ଜଣାଇ ଦିଆଯିବ । ଯଦି ତୁରନ୍ତ କିଛି ଆକ୍ସନ ନହୁଏ ତେବେ ସନ୍ଧ୍ୟାରେ ପୁଣି ଥାନାକୁ ଯିବୁ ବୋଲି ସେ ଚେତାଇ ଦେଇଥିଲା ବିଜେଡି ।