କ୍ରାଇଷ୍ଟଚର୍ଚ୍ଚ: ଏଠାରେ ଖେଳା ଯାଇଥିବା ରୋମାଞ୍ଚକର ଏବଂ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ବାଜି ମାରିଲା ଭାରତ।ନ୍ୟୁଜିଲାଣ୍ଡର ହାତମୁଠାରୁ ଛଡ଼ାଇ ଆଣିଲା ବିଜୟ। ଘରୋଇ ଦଳକୁ ୪ ଓ୍ଵିକେଟରେ ହରାଇ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି ଟିମ୍ ଇଣ୍ଡିଆ। ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ତିଳକ ବର୍ମା। ଏହି ବାମହାତୀ ବ୍ୟାଟରଙ୍କ ମ୍ୟାଚ୍ ବିଜୟୀ ୫୧ ରନ ସହ ନମନ ଧୀରଙ୍କ ୩୧ ରନ ଓ ନୀତିଶ କୁମାର ରେଡ୍ଡୀଙ୍କ ୨୬ ରନର ଉପଯୋଗୀ ଇନିଂସ ବଳରେ ଭାରତ ଏହି ମ୍ୟାଚକୁ ଜିତି ନେଇଛି। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଗ୍ଲେନ ଫିଲିପ୍ସଙ୍କ ୭୦ ରନ ଏବଂ ବେଭାନ ଜାକବ୍ସଙ୍କ ୫୮ ରନ ବଳରେ ୫ ଓ୍ଵିକେଟ୍ ହରାଇ ୧୮୦ ରନ କରିଥିଲା। ଯାହାକୁ ଭାରତ ୧୯.୫ ଓଭରରେ ୬ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି।

୧୮୧ ରନର ବିଶାଳ ଲକ୍ଷ୍ୟ ପିଛା କରୁଥିବା ଭାରତୀୟ ଦଳର ଆରମ୍ଭ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ମାତ୍ର ୭୦ ରନରେ ୫ଟି ୱିକେଟ୍ ହରାଇ ଗମ୍ଭୀର ସଙ୍କଟରେ ପଡ଼ିଥିଲା। ସଞ୍ଜୁ ସାମସନ (୧୪), ବୈଭବ ସୂର୍ଯ୍ୟବଂଶୀ (୪), ଅଧିନାୟକ ଶ୍ରେୟସ ଆୟର (୭) ଓ ଅଭିଷେକ ଶର୍ମା (୨୭) ଶସ୍ତାରେ ଆଉଟ୍ ହୋଇ ନିରାଶ କରିଥିଲେ। ଏହା ପରେ କ୍ରିଜରେ ଆସି ନମନ ଧୀର ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ସେ ମାତ୍ର ୧୭ ବଲରୁ ୧ ଚୌକା ଓ ୩ ଛକା ସହ ୩୧ ରନର ଉପଯୋଗୀ ଇନିଂସ ଖେଳି ଭାରତର ବିଜୟ ଆଶା ଉଜ୍ଜୀବିତ ରଖିଥିଲେ।

Also Read: ୪୨୯ ରନ୍ କିଛି ନୁହେଁ ! ଇଂଲଣ୍ଡର ଅସମ୍ଭବ ଟାର୍ଗେଟକୁ ଚେଜ୍ କଲା ଶ୍ରୀଲଙ୍କା, ବ୍ରୁକଙ୍କ ଡବଲ୍ ସେଞ୍ଚୁରୀ ବେକାର

ତେବେ ତେବେ ସେ ଆଉଟ୍ ହେବା ପରେ କ୍ରିଜକୁ ଆସିଥିବା ତିଳକ ବର୍ମା ଏବଂ ନୀତିଶ ରେଡ୍ଡୀ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ଜିତାଇଥିଲେ। ଦୁହେଁ ୭ମ ୱିକେଟ୍ ପାଇଁ ମାତ୍ର ୩୦ ବଲରୁ ୬୯ ରନର ବିସ୍ଫୋରକ ଭାଗୀଦାରୀ କରି ହାରିଯାଉଥିବା ମ୍ୟାଚରେ ଭାରତକୁ ଜିତାଇଛନ୍ତି। ବିଶେଷ କରି ତିଳକ ବର୍ମା ଆଉ ଏକ ସ୍ମରଣୀୟ ମ୍ୟାଚ୍ ବିଜୟୀ ଇନିଂସ ଖେଳି ୨୬ ବଲରୁ ୬ଟି ଚୌକା ଓ ୧ଟି ଛକା ସହ ଅପରାଜିତ ୫୧ ରନ କରିଛନ୍ତି। ନୀତିଶ କୁମାର ରେଡ୍ଡୀ ୧୩ ବଲରୁ ୧ଟି ଚୌକା ଓ ୧ଟି ଛକା ସହ ଅପରାଜିତ ୨୬ ରନ୍ କରିଛନ୍ତି। ନ୍ୟୁଜିଲାଣ୍ଡର ଅଧିନାୟକ ମିଚେଲ୍ ସାଣ୍ଟନରଙ୍କ ଘାତକ ବୋଲିଂ ବୃଥା ହୋଇଛି। ସେ ୪ ଓଭରରେ ମାତ୍ର ୨୧ ରନ ଦେଇ ୪ଟି ଓ୍ଵିକେଟ୍ ନେଇଛନ୍ତି।