ନୂଆଦିଲ୍ଲୀ : ପ୍ରକୃତିର କୋଳରେ ଲୁଚି ରହିଛି ଅନେକ ଅମୂଲ୍ୟ ଜିନିଷ , ଯେଉଁଥିରେ ଭରିହୋଇରହିଥାଏ ପୋଷକତତ୍ତ୍ୱର ଭଣ୍ଡାର । ସେଭଳି ଲଦାଖର ପ୍ରାକୃତିକ ସମ୍ପଦ ଏବେ ସ୍ୱାସ୍ଥ୍ୟ ଜଗତରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି । ଲଦାଖର ବରଫାବୃତ ପାହାଡ଼, କମ ତାପମାତ୍ରା ଓ କଠିନ ପରିବେଶ ମଧ୍ୟରେ ଲୁଚିରହିଛି ଏକ ସୁପରଫୁଡ୍ ଯାହାକୁ ନେଇ ଏବେ ଚର୍ଚ୍ଚା । ଏହାର ନାମ 'ସି-ବକଥର୍ନ୍' । ଏଥିରେ ରହିଛି ଲେମ୍ବୁଠାରୁ ଅଧିକ ଭିଟାମିନ୍-C । ତେବେ ନୁବ୍ରା ଉପତ୍ୟକାର ୧୨ ହଜାର ଫୁଟ୍ ଉଚ୍ଚତାରେ ମିଳୁଥିବା ଏହି ଫଳକୁ ନେଇ କାହିଁକି ବଢ଼ୁଛି ଚର୍ଚ୍ଚା ?

ନିକଟରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଲଦାଖରେ ମିଳୁଥିବା ଏକ ଫଳ ସମ୍ପର୍କରେ ନିଜ ସୋସିଆଲ ମିଡ଼ିଆଲରେ ସେୟାର କରିଛନ୍ତି। ସେ କହିଛନ୍ତି ଏହି ଫଳ ହେଉଛି ସି-ବକଥର୍ନ୍, ଯାହାକୁ ଲଦାଖରେ ଏକ ମୂଲ୍ୟବାନ ପ୍ରାକୃତିକ ସମ୍ପଦ ଭାବେ ଦେଖାଯାଏ। ଗୋୟଲ ଏହାକୁ "ପ୍ରକୃତିର ଏକ ଉଲ୍ଲେଖନୀୟ ଉପହାର" ଏବଂ "ଭାରତର ପ୍ରାକୃତିକ ଐତିହ୍ୟର ଏକ ସୁବର୍ଣ୍ଣ ସମ୍ପତ୍ତି" ଭାବରେ ବର୍ଣ୍ଣନା କରିଛନ୍ତି। ଏହାର ସ୍ୱର୍ଣ୍ଣିମ-କମଳା ରଙ୍ଗ ଯୋଗୁଁ ଏହା ' ଲଦାଖ ଗୋଲ୍ଡ ' ଭାବରେ ଜଣାଶୁଣା । ସି-ବକଥର୍ନ୍ ଏକ ଛୋଟ, ହଳଦିଆ ଓ କମଳା ରଙ୍ଗର ଖଟା ଫଳ। ଏହା କଣ୍ଟାଯୁକ୍ତ ଗୁଳ୍ମ ଯାହା ଏସିଆ ଏବଂ ୟୁରୋପର ଥଣ୍ଡା ଅଞ୍ଚଳରେ ବଢ଼ିଥାଏ। ଲଦାଖର ନୁବ୍ରା ଉପତ୍ୟକା ସମେତ ହିମାଳୟର କିଛି ଅଞ୍ଚଳରେ ମଧ୍ୟ ଏହା ଦେଖିବାକୁ ମିଳେ। ଏହି ଫଳକୁ ରସ, ଜାମ୍, ଚା’ ଏବଂ ବିଭିନ୍ନ ଖାଦ୍ୟରେ ବ୍ୟବହାର କରାଯାଏ । ଏହି ଫଳ ଜୁନ୍ ୨୦୨୩ରେ ଭୌଗୋଳିକ ସୂଚକ ବା GI ଟ୍ୟାଗ୍ ମାନ୍ୟତା ପାଇଥିଲା ।

ଏହି ଫଳ ଚର୍ଚ୍ଚାରେ ରହିବାର ମୁଖ୍ୟ କାରଣ ହେଉଛି ଏଥିରେ ଥିବା ଭିଟାମିନ୍-C। ଏଥିରେ ରହିଛି ଲେମ୍ବୁଠାରୁ ୧୦ ଗୁଣ ଅଧିକ ଭିଟାମିନ୍-C । ଏଥିରେ ପ୍ରତି ୧୦୦ ଗ୍ରାମରେ ୨୭୫ ମିଗ୍ରା ଭିଟାମିନ୍ ସି ରହିଛି | କିନ୍ତୁ ଏହାର ପରିମାଣ ଫଳର ପ୍ରଜାତି, ଚାଷ ପରିବେଶ ଓ ପରିପକ୍ୱତା ଉପରେ ନିର୍ଭର କରେ। ଯଦି ସ୍ୱାସ୍ଥ୍ୟକ୍ଷେତ୍ରରେ ଦେଖିବା ତେବେ ଏହି ଫଳର ବିଶେଷତ୍ୱ ଅନେକ ରହିଛି । ଏହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ । ଭିଟାମିନ୍-C ଶରୀରର ରୋଗପ୍ରତିରୋଧକ ପ୍ରଣାଳୀରେ ଅନେକ ସହାୟତା କରେ। ଏହା କୋଲାଜେନ୍ ତିଆରି, ଚର୍ମର ସ୍ୱାସ୍ଥ୍ୟ ଓ ଲୌହ ଶୋଷଣରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସି-ବକଥର୍ନ୍ରେ ଅନ୍ୟାନ୍ୟ ଜୈବିକ ଉପାଦାନ ଓ ଆଣ୍ଟିଅକ୍ସିଡାଣ୍ଟ୍ ମଧ୍ୟ ରହିଥାଏ। ଏହାକୁ ସନ୍ତୁଳିତ ଖାଦ୍ୟର ଏକ ଅଂଶ ଭାବେ ଗ୍ରହଣ କରାଯାଇପାରେ। ଏହା ଲଦାଖର ଅର୍ଥନୀତି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ସି-ବକଥର୍ନ୍ କେବଳ ପୋଷକତତ୍ତ୍ୱର ଉତ୍ସ ନୁହେଁ, ଏହା ଲଦାଖର ସ୍ଥାନୀୟ ଅର୍ଥନୀତି ପାଇଁ ମଧ୍ୟ ବେଶ ଗୁରୁତ୍ୱ ବହନ କରେ । ଏହାର ଫଳରୁ ରସ, ଜାମ୍ ଓ ଅନ୍ୟାନ୍ୟ ଉତ୍ପାଦ ପ୍ରସ୍ତୁତ କରି ବଜାରରେ ବିକ୍ରି କରାଯାଇପାରେ। ଏହା ଦ୍ୱାରା ସ୍ଥାନୀୟ ଲୋକଙ୍କ ପାଇଁ ଆୟର ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରେ। ପ୍ରକୃତିର ଏହି ଅମୂଲ୍ୟ ସମ୍ପଦ ନିଶ୍ଚିତ ରୂପେ ପୋଷକତତ୍ତ୍ୱର ଏକ ଆକର୍ଷଣୀୟ ଉତ୍ସ ।