ଭୁବନେଶ୍ୱର : ବୟସ ମାତ୍ର ୫ ବର୍ଷ... କିନ୍ତୁ ଜିଜ୍ଞାସାର ଆକାଶ ଅସୀମ । ଯେଉଁ ବୟସରେ ପିଲାମାନେ ଖେଳକୁଦ ଓ କାର୍ଟୁନ୍ ଦୁନିଆରେ ମସଗୁଲ ରୁହନ୍ତି , ଚାରିପାଖର ଦୁନିଆ ଦେଖନ୍ତି , ସେହି ବୟସରେ ବ୍ରହ୍ମାଣ୍ଡର ରହସ୍ୟ ଖୋଜୁଛନ୍ତି ଅର୍ଜୁନ । ଅନନ୍ତତା କ’ଣ? କୃଷ୍ଣଗହ୍ୱର କେମିତି ସୃଷ୍ଟି ହୁଏ? ମଣିଷର ଜିନ୍ କେମିତି କାମ କରେ? ଏମିତି ଅନେକ ଜଟିଳ ପ୍ରଶ୍ନ ତାଙ୍କ ମନରେ ଉଙ୍କି ମାରୁଛି। ୩ ହଜାରରୁ ଅଧିକ ପୁସ୍ତକ ଅନୁସନ୍ଧାନ କରିଥିବା ଅର୍ଜୁନଙ୍କ ଆଇକ୍ୟୁ ସ୍କୋର ୧୪୧ ବୋଲି କୁହାଯାଉଛି। ମାତ୍ର ଏତେ କମ୍ ବୟସରେ ଏତେ ବଡ଼ ପ୍ରତିଭାର ଅଧିକାରୀ ହୋଇଥିଲେ ବି ତାଙ୍କ ବାପାମାଆଙ୍କ ପାଇଁ ପୁଅର ଖୁସି ଓ ପିଲାଦିନ ସବୁଠାରୁ ମୂଲ୍ୟବାନ।

ପିଲାଟିବେଳୁ ଜ୍ଞାନର ଅନ୍ୱେଷଣରେ କୁନି ବୈଜ୍ଞାନିକ ଅର୍ଜୁନ ପ୍ରଜାପତି। ବୟସ ଛୋଟ, ହେଲେ ଚିନ୍ତାଧାରାର ପରିସର ବେଶ୍ ବଡ଼। ପୁସ୍ତକ ପଢ଼ିବା ଓ ନୂଆ ନୂଆ ବିଷୟ ଜାଣିବା ତାଙ୍କର ସବୁଠାରୁ ପ୍ରିୟ କାମ। ଏଯାଏଁ ସେ ୩ ହଜାରରୁ ଅଧିକ ପୁସ୍ତକ ଅନୁସନ୍ଧାନ କରିଥିବା ଦାବି କରାଯାଉଛି। ତାଙ୍କ ଆଗ୍ରହ କେବଳ ସାଧାରଣ ଜ୍ଞାନ ଭିତରେ ସୀମିତ ନୁହେଁ। ବ୍ରହ୍ମାଣ୍ଡର ଅସୀମତା, କୃଷ୍ଣଗହ୍ୱରର ରହସ୍ୟ ଏବଂ ମଣିଷର ଜେନେଟିକ୍ସ ଭଳି ଜଟିଳ ବିଷୟ ସମ୍ପର୍କରେ ଜାଣିବାକୁ ସେ ଆଗ୍ରହୀ। ନୂଆ ପ୍ରଶ୍ନ ପଚାରିବା, ତାହାର ଉତ୍ତର ଖୋଜିବା ଏବଂ ନିଜ ଜ୍ଞାନକୁ ବଢ଼ାଇବା ହେଉଛି ଅର୍ଜୁନଙ୍କ ଶିଖିବାର ଶୈଳୀ। ଅର୍ଜୁନଙ୍କ ପ୍ରତିଭାର ଆଉ ଏକ ଚର୍ଚ୍ଚିତ ଦିଗ ହେଉଛି ତାଙ୍କର ୧୪୧ IQ ସ୍କୋର। ଏହି ସ୍କୋର ଆଧାରରେ ସେ ମେନସା ଏବଂ ଇଣ୍ଟରଟେଲ ଭଳି ଉଚ୍ଚ ବୌଦ୍ଧିକ କ୍ଷମତାସମ୍ପନ୍ନ ବ୍ୟକ୍ତିଙ୍କ ସଂଗଠନରେ ଯୋଗ ଦେଇଥିବା କୁହାଯାଉଛି। ତେବେ IQ ସ୍କୋର ଜଣେ ବ୍ୟକ୍ତିଙ୍କ ବୌଦ୍ଧିକ କ୍ଷମତାକୁ ମାପିଥାଏ। ଏହା ହିଁ ଜଣଙ୍କର ସମସ୍ତ ପ୍ରତିଭା, ସୃଜନଶୀଳତା କିମ୍ବା ଭବିଷ୍ୟତର ସଫଳତାକୁ ନିର୍ଦ୍ଧାରଣ କରେ ନାହିଁ।

ଅର୍ଜୁନଙ୍କ ଏହି ଯାତ୍ରାରେ ତାଙ୍କ ପିତାମାତାଙ୍କ ଭୂମିକା ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ପୁଅର ଜିଜ୍ଞାସାକୁ ଆଗକୁ ବଢ଼ାଇବା, ତାକୁ ନୂଆ ନୂଆ ବିଷୟ ଶିଖିବାର ସୁଯୋଗ ଦେବା ସହ ତାଙ୍କ ଉପରେ ଅଧିକ ଚାପ ନ ପକାଇବାକୁ ସେମାନେ ଗୁରୁତ୍ୱ ଦେଉଛନ୍ତି। କାରଣ, ଜଣେ ପିଲାର ପ୍ରତିଭା ଯେତେ ମହତ୍ତ୍ୱପୂର୍ଣ୍ଣ, ତା’ର ହସ, ଖେଳ, ସାଙ୍ଗସାଥୀଙ୍କ ସହ ସମୟ ବିତାଇବା ଏବଂ ଖୁସିରେ ବଢ଼ିବା ମଧ୍ୟ ସେତିକି ଜରୁରୀ। ଅର୍ଜୁନଙ୍କ ପିତାମାତା ଚାହାଁନ୍ତି, ସେ ନିଜ ଆଗ୍ରହରେ ଶିଖନ୍ତୁ, ନୂଆ ନୂଆ ପ୍ରଶ୍ନ ପଚାରନ୍ତୁ ଏବଂ ନିଜ ପିଲାଦିନକୁ ମଧ୍ୟ ମନଭରି ଉପଭୋଗ କରନ୍ତୁ। କାରଣ ଏହି ପିଲାଦିନ ଥରେ ପଳାଇଲେ ତାହା ଆଉ ଫେରେ ନାହିଁ | ଅର୍ଜୁନ ପ୍ରଜାପତିଙ୍କ ଏହି କାହାଣୀ କେବଳ ଉଚ୍ଚ IQ କିମ୍ବା ହଜାର ହଜାର ପୁସ୍ତକର କାହାଣୀ ନୁହେଁ। ଏହା ହେଉଛି ଜିଜ୍ଞାସା, ଶିଖିବାର ଆଗ୍ରହ ଏବଂ ପିଲାଙ୍କୁ ନିଜ ଢଙ୍ଗରେ ବଢ଼ିବାକୁ ଦେବାର ଏକ ବାର୍ତ୍ତା। କାରଣ ପ୍ରତିଭାକୁ ବିକଶିତ କରିବା ସହ ପିଲାଦିନକୁ ସୁନ୍ଦର କରିବା ମଧ୍ୟ ସେତିକି ଜରୁରୀ। ଆଉ ଏହି କଥା ସମସ୍ତ ମାତାପିତା ବୁଝିବା ଦରକାର ।