କ୍ରାଇଷ୍ଟଚର୍ଚ୍ଚ: ଏଠାରେ ହେଗଲେ ଓଭାଲ ମଇଦାନରେ ଖେଳା ଯାଉଥିବା ଦ୍ଵିତୀୟ ଟି-୨୦ରେ ନ୍ୟୁଜିଲାଣ୍ଡ ୫ଓ୍ଵିକେଟ୍ ହରାଇ ୧୮୦ ରନ କରିଛି। ଭାରତ ପାଇଁ ରହିଛି ୧୮୧ ରନର ବିଜୟ ଲକ୍ଷ୍ୟ। ଘରୋଇ ଦଳ ପକ୍ଷରୁ ଗ୍ଲେନ ଫିଲିପ୍ସ ୭୦ ରନ ଏବଂ ବେବନ ଜାକବ୍ସ ୫୮ ରନର ଦମଦାର ଇନିଂସ ଖେଳିଛନ୍ତି। ଏହା ପୂର୍ବରୁ ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ଦୁଇଟି ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଛି। ପ୍ରଥମ ଟି-୨୦ ଜିତି ଭାରତ ୧-୦ରେ ଅଗ୍ରଣୀ ରହିଛି

ପ୍ରଥମେ ବ୍ୟାଟିଂ କରିଥିବା କିଓ୍ଵି ଦଳର ଆରମ୍ଭ ଭଲ ନ ଥିଲା। ଦଳ ୧୮ ରନରେ ଦୁଇଟି ଓ୍ଵିକେଟ୍ ହରାଇଥିଲା। ଟିମ୍ ସେଇଫର୍ଟ(୭ ରନ) ଓ ଡାରିଲ ମିଚେଲ୍(୬ ରନ) କିଛି ଖାସ୍ କରି ପାରି ନ ଥିଲେ। ପୁଣି ଫିନ ଆଲେନ ୧୬ ରନ କରି ଆଉଟ୍ ହୋଇଥିଲେ। ଘରୋଇ ଦଳର ରନ ଗତି ମନ୍ଥର ରହିଥିଲା। ଏହା ପରେ ଦଳର ଇନିଂସକୁ ସମ୍ଭାଳିଥିଲେ ଇନ ଫର୍ମ ବ୍ୟାଟର ଗ୍ଲେନ ଫିଲିପ୍ସ ଓ ବେଭନ ଜାକବ୍ସ। ଉଭୟ କ୍ରିଜରେ ସେଟ୍ ହେବା ପରେ ଭାରତୀୟ ବୋଲରଙ୍କ ଉପରେ ପ୍ରତି ଆକ୍ରମଣ କରିଥିଲେ। ଦୁହେଁ ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ଚତୁର୍ଥ ଓ୍ଵିକେଟ୍ ପାଇଁ ୧୧୬ ରନର ଶତକୀୟ ଭାଗିଦାରୀ କରିଥିଲେ। ଫିଲିପ୍ସ ୪୩ ବଲରୁ ୪ ଚୌକା ଓ ୪ ଛକା ସହ ୭୦ ରନର ଇନିଂସ ଖେଳିଥିଲେ। ଅର୍ଶଦୀପ ସିଂ ତାଙ୍କୁ ଆଉଟ୍ କରି ଏହି ଯୋଡ଼ି ଭାଙ୍ଗିଥିଲେ।

ଏହା ପରେ ଜାକବ୍ସ ୪୬ ବଲରୁ ୫ ଚୌକା ଓ ୧ ଛକା ସହ ୫୮ ରନ କରିଥିଲେ। ଶେଷରେ ନ୍ୟୁଜିଲାଣ୍ଡ ୫ ଓ୍ଵିକେଟ୍ ହରାଇ ୧୮୦ ରନ କରିଛି। ଭାରତ ପକ୍ଷରୁ ବୋଲିଂରେ ଅଭିଜ୍ଞ ଭୁବନେଶ୍ଵର କୁମାର ପୁଣି ଥରେ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ଅର୍ଶଦୀପ ସିଂ ୩୩ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ପ୍ରିନ୍ସ ଯାଦବ ଓ ନୀତିଶ କୁମାର ରେଡ୍ଡୀଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି।