ରାୟପୁର : କିଛି ଚିତ୍ର ଆଖିକୁ ଆକର୍ଷିତ କରିଥାଏ । ଆଉ କିଛି ମନର ଗଭୀରତାକୁ ଛୁଇଁଯାଇଥାଏ । ଠିକ ସେହିଭଳି ମାଙ୍କ ଏକ ଅପୂର୍ବ ସୁନ୍ଦର ମୂର୍ତ୍ତି ଲୋକଙ୍କ ମନକୁ ଖୁବ ଆକର୍ଷିତ କରିଛି । ଯାହା ଭକ୍ତମାନଙ୍କୁ ଭାବପ୍ରବଣ କରି ସୋସିଆଲ ମିଡିଆରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ସୋସିଆଲ ମିଡିଆରେ ଫୋନ ସ୍କ୍ରୋଲ କରୁ କରୁ ଆଖି ଆଗକୁ ଚାଲି ଆସୁଛି ମା'ଙ୍କ ସେହି ଦିବ୍ୟ ପ୍ରତିମା ରୂପ । ମାଙ୍କ ଏପରି ଦିବ୍ୟ ଓ ଜୀବନ୍ତ ରୂପକୁ ଦେଖିଲେ ଆପଣଙ୍କ ଆଖି ମଧ୍ୟ ଛଳଛଳ ହୋଇଯିବ, ଆଉ ହୃଦୟରେ ଭରିଯିବ ଅପାର ଭକ୍ତି ଓ ଶ୍ରଦ୍ଧା । ମା’ ଜଗତ୍ଜନନୀଙ୍କ ଏହି ଅନନ୍ୟ ପ୍ରତିମା ଏବେ ‘ଭାଇରାଲ୍ ମା’ ଦୁର୍ଗା’ ନାମରେ ବେଶ ଚର୍ଚ୍ଚାରେ। ମା’ଙ୍କ ମୁଖମଣ୍ଡଳର ଦିବ୍ୟ ଜ୍ୟୋତି, ଜୀବନ୍ତ ନୟନ ଏବଂ ଅତି ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ଭକ୍ତମାନେ ବିମୋହିତ। ନିକଟରେ ସରିଛି ଶାରଦୀୟ ଦୁର୍ଗାପୂଜା ଆଉ ହିନ୍ଦୁ ପରମ୍ପରା ଅନୁଯାଇ ମାଙ୍କୁ ଦିଆଯାଇଛି ମେଲାଣ | କିନ୍ତୁ ଏପଟେ ଶୁଖୁନି ଭକ୍ତଙ୍କ ଆଖିରୁ ଲୁହ । ତେବେ କାହିଁକି ଏକ ମୂର୍ତ୍ତିକୁ ନେଇ ଲୋକେ ଏଟେ ଭାବବିହ୍ୱଳ ? କ’ଣ ରହିଛି ଏହି ପ୍ରତିମାର ବିଶେଷତ୍ୱ? କାହିଁକି ସୋସିଆଲ୍ ମିଡିଆରେ ଏହାକୁ ନେଇ ଏତେ ଚର୍ଚ୍ଚା? ଆସନ୍ତୁ, ଜାଣିବା ମା’ଙ୍କ ଏହି ମନମୋହକ ରୂପ ଏବଂ ଏହା ପଛରେ ଥିବା ଆକର୍ଷଣୀୟ କାହାଣୀ।

ରାୟପୁରର ଭାଇରଲ ମା' ଦୁର୍ଗାଙ୍କ ମୂର୍ତ୍ତି । ଆଉ ମାଙ୍କ ବିସର୍ଜନକୁ ନେଇ ଭାବୁକ ସମଗ୍ର ଦେଶବାସୀ । ଚଳିତବର୍ଷ ଦଶହରାରେ ଛତିଶଗଡ଼ ରାୟପୁରରରେ ସ୍ଥାପିତ ହୋଇଥିଲା ମା’ ଦୁର୍ଗାଙ୍କ ଏକ ଦିବ୍ୟ ପ୍ରତିମା ଯାହା ଏବେ ଭକ୍ତି ଓ କଳାର ଏକ ଅନନ୍ୟ ଉଦାହରଣ ପାଲଟିଛି । ମାଙ୍କ ଏହି ଅନନ୍ୟ ପ୍ରତିମା ନିଜର ଜୀବନ୍ତ ରୂପ ଓ ଅଦ୍ଭୁତ କାରୁକାର୍ଯ୍ୟ ପାଇଁ ଲୋକଙ୍କ ମନ ଜିଣିଛି । ଗତକାଲି ଭସାଣିରେ ମାଙ୍କୁ ଭାବବିହ୍ୱଳ ବିଦାୟ ଦିଆଯାଇଛି । ମାଙ୍କୁ ମେଲାଣି ଦେଲାବେଳେ କାହାରି ଆଖିରେ ଲୁହ ଅଟକିପାରିନଥିଲା । ସମସ୍ତଙ୍କ ଆଖିରେ ଲୁହରେ ଛଳଛଳ । କେହି କେହି ତ ମାଙ୍କୁ ମେଲାଣି ନଦେବାକୁ ମଧ୍ୟ ଅପିଲ କରିଥିଲେ । ମାଙ୍କ ଏହି ମୂର୍ତ୍ତି ଦେଖିବାକୁ ଏତେ ସୁନ୍ଦର ଓ ଜୀବନ୍ତ ହୋଇଥିଲା ଯେ ସୋସିଆଲ ମିଡିଆରେ ଅନେକ ଲୋକଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।

କୋମଳ ଦୃଷ୍ଟି, ମୁଖମଣ୍ଡଳର ବର୍ଣ୍ଣ, ସୁନା ଅଳଙ୍କାର, ସୂକ୍ଷ୍ମ ଖୋଦିତ କାରୁକାର୍ଯ୍ୟ ଏବଂ ଲାଲ୍ ବନାରସୀ ଶାଢ଼ିରେ ସଜ୍ଜିତ ମା’ ଦୁର୍ଗାଙ୍କ ସିଂହ ଉପରେ ବିରାଜମାନ ଅତ୍ୟନ୍ତ ମନୋରମ ଥିଲା । ଯାହାକୁ ଦେଖି ସେଠାରେ ଅଟକି ଯାଉଥିଲେ ଦର୍ଶକ । ସ୍ଥାନୀୟ ଖବର ଅନୁସାରେ, ଗୌରା-ଗୌରୀ ସମିତି ଏହି ଆୟୋଜନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଏହି ଖବରର ସବୁଠାରୁ ଆକର୍ଷଣୀୟ ଦିଗ ହେଉଛି ପ୍ରତିମା ପଛରେ ଥିବା ଶିଳ୍ପୀଙ୍କ କାହାଣୀ। ମୂର୍ତ୍ତିକୁ ନିଜ ହାତରେ ଗଢି ଜୀବନ୍ତ ରୂପ ଦେଇଥିଲେ ଦୁଇ ଭାଇ ଯେ କି ଥିଲେ ମୂର୍ତ୍ତିକାର | ରିପୋର୍ଟ ଅନୁସାରେ, ଦୁଇ ଭାଇଙ୍କ ନାମ ଲକ୍ଷ୍ମୀ ନାରାୟଣ ଚକ୍ରଧାରୀ ଓ ପରମେଶ୍ୱର ଚକ୍ରଧାରୀ। ଯିଏକି ଦୁଇ ମାସର ପରିଶ୍ରମରେ ଏହି ପ୍ରତିମା ତିଆରି କରିଥିଲେ | ଯାହାର ଭିଡିଓ ସୋସିଆଲ ମିଡିଆରେ ଏବେ ୪୮ ଲକ୍ଷ ଭ୍ୟୁଜ୍ ଛୁଇଁଛି ।

ପ୍ରକୃତରେ ମା’ଙ୍କ ମୁଖମଣ୍ଡଳର ଅପୂର୍ବ ସୌନ୍ଦର୍ଯ୍ୟ, ଭାବପୂର୍ଣ୍ଣ ନୟନ ଏବଂ ଦିବ୍ୟ ଚାହାଣୀ ଦେଖିଲେ ଏପରି ଅନୁଭବ ହେଉଥିଲା , ଯେପରି ସ୍ୱୟଂ ମା’ ଦୁର୍ଗା ନିଜ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ଧରାପୃଷ୍ଠକୁ ଓହ୍ଲାଇ ଆସିଥିଲେ । ପ୍ରତିମାର ପ୍ରତ୍ୟେକ ସୂକ୍ଷ୍ମ କାରୁକାର୍ଯ୍ୟ ଶିଳ୍ପୀଙ୍କ ଅସାଧାରଣ ପ୍ରତିଭା ଓ ନିଷ୍ଠାର ପରିଚୟ ଦେଉଥିଲା । ଇନ୍ଷ୍ଟାଗ୍ରାମ୍, ଫେସବୁକ୍ ଏବଂ ୟୁଟ୍ୟୁବ୍ରେ ଏହି ପ୍ରତିମାକୁ ନେଇ ବ୍ୟାପକ ଚର୍ଚ୍ଚା ହେଉଛି। ମା’ଙ୍କ ଦର୍ଶନ ପାଇଁ ପୂଜା ମଣ୍ଡପରେ ଦୂରଦୂରାନ୍ତରୁ ଭକ୍ତଙ୍କ ଭିଡ଼ ଜମିଥିଲା । କିନ୍ତୁ ଗତକାଲି ଯେବେ ମାଙ୍କୁ ପୂଜାର୍ଚନା କରାଯାଇ ଶେଷ ବିଦାୟ ଦିଆଗଲା ସେବେ ସମସ୍ତଙ୍କ ଆଖି ଛଳଛଳ ହୋଇଯାଇଥିଲା । ମାଙ୍କୁ ଭାବବିହ୍ୱଳ ବିଦାୟ ଦେବାବେଳେ ଦର୍ଶକଙ୍କ ଭକ୍ତିଭାବ ପୂର୍ଣ୍ଣ ଶ୍ରଦ୍ଧା ସାରା ଇଣ୍ଟରନେଟରେ ଭାଇରଲ କରିଛି । ମାଙ୍କ ଏହି ପ୍ରତିମା କେବଳ ଏକ ମୂର୍ତ୍ତି ନଥିଲା , ବରଂ ଅସଂଖ୍ୟ ଭକ୍ତଙ୍କ ବିଶ୍ୱାସ, ଭାବନା ଓ ଆଦିଶକ୍ତି ପ୍ରତି ଅସୀମ ଶ୍ରଦ୍ଧାର ପ୍ରତୀକ ଅଟେ ।