ମୁମ୍ବାଇ: IPL 2026 ସିଜିନ୍ ଆରମ୍ଭ ହେବାକୁ ଯାଉଛି। ଷ୍ଟାଡିୟମ ପ୍ରସ୍ତୁତ, ଖେଳାଳି ପ୍ରସ୍ତୁତ ଏବଂ ଦର୍ଶକ ବି ପ୍ରସ୍ତୁତ। ତେବେ ବିଭିନ୍ନ ଦଳର ଅନେକ ଆହତ ଖେଳାଳି ହେବାରୁ ସେମାନଙ୍କ ଖେଳିବା ନେଇ ସ୍ଥିତି ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ସିଜିନର ଉଦଘାଟନୀ ମ୍ୟାଚରେ ନିଜ ନିଜର ଷ୍ଟାର ଦ୍ରୁତ ବୋଲରଙ୍କ ବିନା ମଇଦାନକୁ ଓହ୍ଲାଇବେ। ପାଞ୍ଚ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ମଧ୍ୟ ପ୍ରଥମ ମ୍ୟାଚରେ ଷ୍ଟାର ଫାଷ୍ଟ ବୋଲର ଯଶପ୍ରୀତ ବୁମରାଙ୍କ ଅନୁପସ୍ଥିତିକୁ ନେଇ ଚିନ୍ତାରେ । ତେବେ ରବିବାର ମ୍ୟାଚର ମାତ୍ର ୪୮ ଘଣ୍ଟା ପୂର୍ବରୁ ମୁମ୍ବାଇର ଚିନ୍ତା ଦୂର ହୋଇଛି। ବୁମରା ଖେଳିବା ପାଇଁ ଫିଟ୍ ଘୋଷିତ ହୋଇଛନ୍ତି।

ଦୁଇ ଦିନ ପୂର୍ବରୁ ପହଞ୍ଚିଲେ ବୁମରା

IPL ୧୯ତମ ସିଜିନ୍ ମାର୍ଚ୍ଚ ୨୮ରେ ଆରସିବି ଏବଂ ଏସଆରଏଚ୍ ମଧ୍ୟରେ ପ୍ରଥମ ମ୍ୟାଚ୍ ସହିତ ଆରମ୍ଭ ହେଉଛି। ସିଜିନର ଦ୍ଵିତୀୟ ମ୍ୟାଚ୍ ମାର୍ଚ୍ଚ ୨୯ ରବିବାର ଦିନ ପୂର୍ବତନ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ମୁମ୍ବାଇର ଘରୋଇ ପଡ଼ିଆ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ। ହେଲେ ବୁମରା ମ୍ୟାଚର ପ୍ରାୟ ତିନି ଦିନ ପୂର୍ବରୁ ଦଳରେ ଯୋଗ ଦେଇ ନଥିଲେ। କାରଣ ସେ ହଠାତ୍ ବେଙ୍ଗାଲୁରୁର ବିସିସିଆଇର ସେଣ୍ଟର ଅଫ୍ ଏକ୍ସଲେନ୍ସ (ସିଓଇ)ରେ ପହଞ୍ଚିଥିଲେ, ଯାହା ଫଳରେ ସେ ଆଘାତ ଥିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା।

Also Read: ବିକ୍ରି ହୋଇଗଲା ବିରାଟ କୋହଲିଙ୍କ ଟିମ୍, RCBକୁ ହଜାର ହଜାର କୋଟି ଟଙ୍କାରେ କିଣିଲେ ଏହି ଶିଳ୍ପପତି

କିନ୍ତୁ ଏବେ ମୁମ୍ବାଇ ଏବଂ ଏହାର ପ୍ରଶଂସକମାନଙ୍କ ପାଇଁ ଆଶ୍ଵସ୍ତିକର ଖବର ଏହା ଯେ, ବୁମରା ଦଳରେ ସାମିଲ ହୋଇଛନ୍ତି। କ୍ରିକବଜର ଏକ ରିପୋର୍ଟ ଅନୁଯାୟୀ, ବୁମରାହ ମାର୍ଚ୍ଚ ୨୭ ଶୁକ୍ରବାର ସନ୍ଧ୍ୟାରେ ମୁମ୍ବାଇ ଇଣ୍ଡିଆନ୍ସ ହୋଟେଲରେ ପହଞ୍ଚିଥିଲେ। ଏହା ପରେ ତାଙ୍କର ପ୍ରଥମ ମ୍ୟାଚ୍ ଖେଳିବାର ଆଶା ରହିଛି। ମାର୍ଚ୍ଚ ୮ରେ ୨୦୨୬ ଟି୨୦ ବିଶ୍ୱକପ୍ ଫାଇନାଲ୍ ପରଠାରୁ ବୁମରା ବିଶ୍ରାମରେ ଥିଲେ।

ଚିନ୍ତା ବଢାଇଥିଲେ ବୁମରା

ମୁମ୍ବାଇ ଇଣ୍ଡିଆନ୍ସ ବିଶ୍ୱକପ୍ ଫାଇନାଲରେ ଅଂଶଗ୍ରହଣ କରିଥିବା ଖେଳାଳିମାନଙ୍କୁ ଅତିରିକ୍ତ ବିଶ୍ରାମ ଦେଇଥିଲା, କିନ୍ତୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ ଏବଂ ତିଲକ ବର୍ମା ପୂର୍ବରୁ ଦଳକୁ ଫେରି ଆସିଥିଲେ। କିନ୍ତୁ ବୁମରା ହଠାତ୍ CoE ଯାଇ ସେଠାରେ ପାଞ୍ଚ ଦିନ ରହିଥିଲେ। ବୁମରା ଆହତ ହୋଇଥିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ତେବେ ତାଙ୍କର ଗସ୍ତ ଏକ ନିୟମିତ ପ୍ରକ୍ରିୟାର ଏକ ଅଂଶ ବିଶେଷ ଥିଲା। ଅର୍ଥାତ ବୁମରା ସମଗ୍ର ଟୁର୍ଣ୍ଣାମେଣ୍ଟ ପାଇଁ ଦଳରେ ଉପଲବ୍ଧ ରହିବେ।

Also Read: IPL 2026ରେ ଭାଙ୍ଗିଲା ବର୍ଷ ବର୍ଷର ପୁରୁଣା ରେକର୍ଡ, ସବୁ ୧୦ ଅଧିନାୟକ ମିଶି ରଚିଲେ ଇତିହାସ