ନୂଆଦିଲ୍ଲୀ: ବିଶ୍ୱ ଇତିହାସରେ ଦିନେ ବିଜ୍ଞାନର ଦିଗ ବଦଳାଇ ଦେଇଥିଲା ଇଂଲଣ୍ଡର ପ୍ରସିଦ୍ଧ ଗଣିତଜ୍ଞ ଓ ପଦାର୍ଥବିଜ୍ଞାନୀ ଆଇଜାକ୍ ନ୍ୟୁଟନଙ୍କ ଦ୍ୱାରା ଲିଖିତ ବହି ‘ଫିଲୋସୋଫି ନ୍ୟୁଚୁରାଲିସ ପ୍ରିନ୍ସିପିଆ ମ୍ଯାଥମେଟିକା”। ଇଏ ସେହି ବହି ଯିଏ ବ୍ରାହ୍ମାଣ୍ଡକୁ ଦେଖିବାରେ ମାନବୀୟ ଚିନ୍ତାଧାରାକୁ ବଦଳାଇବାରେ ସହଯୋଗ କରିଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଐତିହାସିକ ବହିଟିକୁ ଏବେ ନିଲାମ କରାଯାଇଛି। ଆଉ ନିଲାମରେ ଏହା ୫.୪୯ କୋଟି ଟଙ୍କାରେ ବିକ୍ରି ହୋଇଛି।

ଏହି ପୁସ୍ତକଟି ୧୬୮୭ ମସିହାରେ ପ୍ରକାଶିତ ହୋଇଥିଲା। ଏହାର ୩୪୦ ବର୍ଷ ପରେ ପ୍ରଥମ ସଂସ୍କରଣ ୧୩ ଅକ୍ଟୋବର ୨୦୨୬ରେ ଖ୍ରୀଷ୍ଟିଜ୍ (Christie’s) ନିଲାମ ସଂସ୍ଥା ଦ୍ୱାରା ୫,୭୬,୦୦୦ ଆମେରିକୀୟ ଡଲାରରେ ବିକ୍ରି ହୋଇଛି। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ୫.୪୯ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ବହିରେ ଏମିତି ଗାଣିତିକ ନିୟମ ଦିଆଯାଇଛି, ଯେଉଁଥିରେ ପୃଥିବୀ ଉପରେ ବସ୍ତୁମାନଙ୍କର ଗତି, ଗ୍ରହ ଓ ଅନ୍ୟାନ୍ୟ ମହାକାଶୀୟ ପିଣ୍ଡର ଗତିକୁ ବୁଝି ହେବ।

ବହିଟିକୁ ଆହୁରି ଖାସ୍ କରୁଛି ଶତାଧିକ ବର୍ଷ ଧରି ଏହାର ସଂରକ୍ଷଣ। ତାହା ଏବେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି କପିରେ ବାଛୁରି ଚମଡ଼ାର ଏକ ଆଧୁନିକ ବାଇଂଣ୍ଡିଂ କରାଯାଇଛି। ଏକ ଧୂମକେତୁର କକ୍ଷପଥକୁ ଦର୍ଶାଇଥିବା ଏକ ଫୋଲ୍ଡିଂ ଖୋଦିତ ପ୍ଲେଟ୍ ଏବଂ ଲେଖା ସହିତ ମୁଦ୍ରିତ ଚିତ୍ର ରହିଛି। ଏହାର ମାଲିକାନା ଇତିହାସରେ ଲର୍ଡ କେନେଟ୍ ଅଫ ଦ ଡିନ ଏବଂ ସ୍ୱର୍ଗତ ଲେଡି କେନେଟଙ୍କ ନାଁ ରହିଛି। ଫଳରେ ଏହି ବୈଜ୍ଞାନିକ କୃତିଟିର ଏକ ବ୍ରିଟିଶ ସମ୍ଭ୍ରାନ୍ତ ପରିବାର ସହିତ ସଂଯୋଗ ରହିଛି ବୋଲି ଜଣାପଡ଼ୁଛି।

ପୃଥିବୀଠାରୁ ମହାକାଶ ପର୍ଯ୍ୟନ୍ତ ଗତିକୁ ବୁଝାଇଥିଲା ଏହି ବହି

୧୬୮୭ ମସିହାରେ ଲଣ୍ଡନରୁ ପ୍ରକାଶିତ ହୋଇଥିବା ନ୍ୟୁଟନଙ୍କ ଏହି ବହିଟି ସାଧାରଣତଃ ‘ପ୍ରିନ୍ସିପିଆ’ ନାମରେ ପରିଚିତ। ଏଥିରେ ନ୍ୟୁଟନ ଗତିର ତିନୋଟି ନିୟମ ଏବଂ ସାର୍ବଜନୀନ ମାଧ୍ୟାକର୍ଷଣ ନିୟମକୁ ଗାଣିତିକ ଭାବରେ ବ୍ୟାଖ୍ୟା କରିଥିଲେ। ପୂର୍ବରୁ ଏଗୁଡ଼ିକ ଉପରେ ଅଲଗା ଅଲଗା ଭାବେ ଅଧ୍ୟୟନ ଥିଲା। ଏହି ଘଟଣାବଳୀକୁ ବୁଝାଇବାରେ ସହାୟକ ହୋଇଥିଲା ନ୍ୟୁଟନଙ୍କର ଏହି ବହି।

ନ୍ଯୁଟନଙ୍କର ଏହି ନିୟମଗୁଡ଼ିକରେ କୌଣସି ବସ୍ତୁ କାହିଁକି ପୃଥିବୀ ଆଡ଼କୁ ଖସିଥାଏ, ଗତିଶୀଳ ବସ୍ତୁ କିପରି ଆଚରଣ କରେ ଏବଂ ଗ୍ରହମାନେ କିପରି ସୂର୍ଯ୍ୟ ଚାରିପଟେ ଘୂରିବୁଲନ୍ତି, ସେସବୁକୁ ଏକ ସାଧାରଣ ବୈଜ୍ଞାନିକ ନିୟମ ମାଧ୍ୟମରେ ବୁଝାଇବାକୁ ଚେଷ୍ଟା କରାଯାଇଥିଲା।

ନ୍ୟୁଟନଙ୍କ ପୂର୍ବରୁ ନିକୋଲାସ୍ କୋପର୍ନିକସ୍, ଗାଲିଲିଓ ଗାଲିଲି ଓ ଜୋହାନ୍ସ କେପଲରଙ୍କ ଭଲି ବୈଜ୍ଞାନିକମାନେ ମହାକାଶ ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରିଥିଲେ। ନ୍ୟୁଟନ ଏହି ଗବେଷଣାଗୁଡ଼ିକୁ ଆଧାର କରି ପୃଥିବୀରେ ଘଟୁଥିବା ଗତି ଓ ମହାକାଶରେ ଗ୍ରହମାନଙ୍କ ଗତି ମଧ୍ୟରେ ଥିବା ସମ୍ପର୍କକୁ ଗାଣିତିକ ନିୟମ ମାଧ୍ୟମରେ ବୁଝାଇବାକୁ ଚେଷ୍ଟା କରିଥିଲେ।

ନ୍ୟଟନଙ୍କର ଏହି ପୁସ୍ତକଟି ୧୬୮୭ ମସିହାରେ ପ୍ରକାଶିତ ହୋଇଥିଲେ ବି ଆଧୁନିକ ପଦାର୍ଥବିଜ୍ଞାନର ବିକାଶ ସହ ଏହାର କେତେକ ସିଦ୍ଧାନ୍ତ ମିଶିଯାଉଛି । ଇଞ୍ଜିନିୟରିଂ, ଜ୍ୟୋତିର୍ବିଜ୍ଞାନ ଓ ପାରମ୍ପରିକ ଯାନ୍ତ୍ରିକ ବିଜ୍ଞାନରେ ତାଙ୍କ ନିୟମଗୁଡ଼ିକ ଆଜି ବି ଗୁରୁତ୍ୱ ରଖୁଛି।

ଏଡମଣ୍ଡ ହାଲିଙ୍କ ସହଯୋଗରେ ପ୍ରକାଶ ପାଇଥିଲା ପୁସ୍ତକ

ନ୍ୟୁଟନଙ୍କର ଏହି ଐତିହାସିକ ପୁସ୍ତକ ପ୍ରକାଶ ପାଇବା ପଛରେ ଏହି ବୈଜ୍ଞାନିକ ସହଯୋଗର କଥା ବି ଲୁଚି ରହିଛି। ତଥ୍ୟ ଅନୁସାରେ ଏହି ପୁସ୍ତକ ପ୍ରକାଶନରେ ଜ୍ୟୋତିର୍ବିଜ୍ଞାନୀ ଏଡମଣ୍ଡ ହାଲିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଗ୍ରହମାନଙ୍କ କକ୍ଷପଥ ସମ୍ପର୍କରେ ନ୍ୟୁଟନଙ୍କ ଗାଣିତିକ ବ୍ୟାଖ୍ୟା ବୁଝିବା ପରେ ହାଲି ଏହି ଗବେଷଣା ପୋଥିକୁ ଏକ ପୁସ୍ତକ ଆକାରରେ ଛାପିବାକୁ ନ୍ୟୁଟନଙ୍କୁ ପ୍ରୋତ୍ସାହିତ କରିଥିଲେ। ଖାଲି ସେତିକି ନୁହେଁ, ହାଲି ଏହି ପୁସ୍ତକର ତ୍ରୁଟି ସଂଶୋଧନ(ପୁ୍ରୁଫ ରିଡିଂ) ଏହାର ଡାଏଗ୍ରାମ ପ୍ରସ୍ତୁତି ଓ ପ୍ରକାଶନ କାର୍ଯ୍ୟରେ ସହଯୋଗ କରିଥିଲେ ବୋଲି ଖ୍ରୀଷ୍ଟିଜ୍ର ନିଲାମ କାଟାଲଗରେ କୁହାଯାଇଛି।

Also Read- ତିବ୍ବତରେ ୭.୦ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ, ଏଇଠୁ ହିଁ ଆସିଥିଲା ନେପାଳର ପ୍ରଳୟଙ୍କରୀ ବନ୍ୟା

ଏପରିକି ପୁସ୍ତକ ଛପା ଖର୍ଚ୍ଚ ମଧ୍ୟ ହାଲି ବହନ କରିଥିବା ଏଥିରେ ଉଲ୍ଲେଖ ରହିଛି। କାରଣ, ପ୍ରକାଶନକୁ ସମର୍ଥନ କରୁଥିବା ରୟାଲ୍ ସୋସାଇଟି ପାଖରେ ସେତେବେଳେ ପାଣ୍ଠିର ଅଭାବ ଥିଲା। ନ୍ୟୁଟନ ନିଜ ପୁସ୍ତକର ପ୍ରସ୍ତାବନାରେ ହାଲିଙ୍କ ଅବଦାନକୁ ସ୍ୱୀକାର ମଧ୍ୟ କରିଛନ୍ତି। ଏହି ଘଟଣା ପ୍ରମାଣ କରେ ଯେ ବଡ଼ ବୈଜ୍ଞାନିକ ଆବିଷ୍କାର ପଛରେ କେବଳ ଜଣେ ବୈଜ୍ଞାନିକଙ୍କ ପ୍ରତିଭା ନୁହେଁ, ଅନ୍ୟମାନଙ୍କ ସହଯୋଗ ଓ ନିଷ୍ଠା ମଧ୍ୟ ଖୁବ ଗୁରୁତ୍ୱବହନ କରେ।

ପ୍ରଥମ ସଂସ୍କରଣରେ ଅନେକ ବିଶେଷତ୍ୱ

ଅକ୍ଟୋବର ୨୦୨୬ରେ ନିଲାମ ହୋଇଥିବା ଏହି କପଟି ୧୬୮୭ ମସିହାରେ ପ୍ରକାଶିତ ବହିର ପ୍ରଥମ ସଂସ୍କରଣ। ଏହାର ମୁଖପୃଷ୍ଠାରେ ଥିବା ଦୁଇ ଧାଡ଼ିଆ ପ୍ରକାଶନ ବିବରଣୀ ରହିଛି। ଯାହା ଅନ୍ୟ ସଂସ୍କରଣଠାରୁ ଭିନ୍ନ। ଅନ୍ୟ ସଂସ୍କରଣରେ ପ୍ରକାଶନ ବିବରଣୀ ତିନି ଧାଡ଼ିରେ ଲେଖା ହୋଇଥିବା ବେଳେ ଏଥିରେ ପୁସ୍ତକ ବିକ୍ରେତା ସାମୁଏଲ୍ ସ୍ମିଥଙ୍କ ନାମ ରହିଛି।

ଅକ୍ଟୋବର ମାସରେ ବିକ୍ରି ହୋଇଥିବା ଏହି ପୁସ୍ତିକର ଆକାର ୨୪.୫ ସେଣ୍ଟିମିଟର ଲମ୍ବ ଓ ୧୮.୯ ସେଣ୍ଟିମିଟର ଚଉଡ଼ା ରହିଛି। ଦୀର୍ଘ ସମୟ ଧରି ଏହାକୁ ସଂରକ୍ଷିତ କରି ରଖାଯାଇଥିବାରୁ ପୁସ୍ତକର କେତେକ ପୃଷ୍ଠା ହାଲୁକା ଦାଗ ଓ ବାଦାମୀ ରଙ୍ଗ ପଡ଼ିଯାଇଥିଲା। ଏହାର ପଛପଟ ଓ ବାଇଂଣ୍ଡିକୁ ହାଲୁକା ମରାମତି କରାଯାଇଥିବା ବେଳେ ପୁସ୍ତକ ସହ ଏକ କଳା ରଙ୍ଗର ସେଫ୍ଟି ବକ୍ସ ମଧ୍ୟ ରହିଥିଲା।

ଦୀର୍ଘ ବର୍ଷ ଧରି ଏହି ପୁସ୍ତକର ଏକାଧିକ ମାଲିକ ରହି ଆସିଛନ୍ତି। ଏହାର ମାଲିକାନା ଇତିହାସ ବହି ମୂଲ୍ୟ ବଢ଼ାଇବାର ଆଉ ଏକ କାରଣ। ନିଲାମ କାଟାଲଗ୍ ଅନୁଯାୟୀ, ଏହା ପୂର୍ବରୁ ଇ. ଜେମ୍ସ ନାମକ ଜଣେ ବ୍ୟକ୍ତିଙ୍କ ପାଖରେ ଥିଲା। ପୁସ୍ତକରେ ୧୭୭୩ ମସିହାର ତାଙ୍କ ଦସ୍ତଖତ ଥିବା ଉଲ୍ଲେଖ ରହିଛି।ପରେ ପ୍ରସିଦ୍ଧ ପୁସ୍ତକ ବିକ୍ରେତା ବର୍ନାର୍ଡ କ୍ୱାରିଚଙ୍କ ହାତକୁ ଏହି ବହି ଆସିଥିଲା। ପୁଣି ଲର୍ଡ କେନେଟ୍ ଅଫ୍ ଦି ଡିନ୍ ଏବଂ ଦିବଂଗତ ଲେଡି କେନେଟଙ୍କ ପାଖରେ ବହି ପହଞ୍ଚିଥିଲା। ୨୦୧୫ରେ ଲେଡି କେନେଟ୍ ଏହାକୁ ଖ୍ରୀଷ୍ଟିଜ୍ ନିଲାମରେ ବିକ୍ରି କରି ଦେଇଥିଲେ। ଆଉ ଏବେ ପୁଣିଥରେ ଏହି ବହିର ନିଲାମୀ ହୋଇଛି।