ନୂଆଦିଲ୍ଲୀ: ପ୍ରାକୃତିକ ବିପର୍ଯ୍ୟୟର ରିପୋର୍ଟିଂ ବେଳେ ଅନେକ ସମୟରେ କିଛି ସାମ୍ୱାଦିକ ଦୁଃସାହାସିକ ଭାବେ ଲୋକଙ୍କ ପାଖରେ ଖବର ପହଞ୍ଚାଇଥାନ୍ତି । ଏହି ସମୟରେ ରିପୋର୍ଟରଙ୍କୁ ମଧ୍ୟ ଅନେକ ଅସୁବିଧାର ସାମନା କରିବାକୁ ପଡ଼ିଥାଏ । ଏହିଭଳି ଏକ ରିପୋର୍ଟିଂ ସମୟର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ସ୍ପାନିସ୍ ରିପୋର୍ଟର ଅଶାନ୍ତ ସମୁଦ୍ରର ଲାଇଭ ରିପୋର୍ଟିଂ କରୁଥିବା ବେଳେ ବିଶାଳ ଲହଡ଼ି ତାଙ୍କୁ ଭସାଇ ନେଉଛି । ଏହା ଦେଖି ଷ୍ଟୁଡିଓରେ ଥିବା ଆଙ୍କର ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।

ଓଣ୍ଡାରୋଆରେ ଏକ ଲାଇଭ୍ ପ୍ରସାରଣ ସମୟରେ ଜଣେ ସ୍ପାନିସ୍ ରିପୋର୍ଟର ଏବଂ କ୍ୟାମେରାଓମ୍ୟାନ୍ ଏକ ଶକ୍ତିଶାଳୀ ଲହଡ଼ିର ଶିକାର ହୋଇଥିଲେ । ସମୁଦ୍ର ପାଚେରୀ ଡେଇଁ ପାଣିର ଏକ ଶକ୍ତିଶାଳୀ ଢେଉ ଆସି ରିପୋର୍ଟର ଏବଂ ତାଙ୍କ ସହିତ ଥିବା କ୍ୟାମେରାମ୍ୟାନଙ୍କୁ ଭାସି ନେଇଯାଇଥିଲା । ତେବେ ଏକ ବଡ଼ ଅଘଟଣରୁ ଉଭୟ ବଞ୍ଚିଯାଇଥିଲେ । ଏହି ଦୁଇ ଜଣଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

 

ଏହି ଘଟଣାଟି ସ୍ପେନର ବାସ୍କ କଣ୍ଟ୍ରି ଓଣ୍ଡାରୋଆରେ ଘଟିଛି । ସାମ୍ବାଦିକ ସେର୍ଗିଓ ଓଭେଜେରୋ ETB2ର କାର୍ଯ୍ୟକ୍ରମ "ୟୁସ୍କାଡି କୁଡାଟେ" ପାଇଁ ରିପୋର୍ଟିଂ କରୁଥିଲେ । ଓଭେଜେରୋ ଦର୍ଶକଙ୍କୁ ବିପଦପୂର୍ଣ୍ଣ ସମୁଦ୍ର ପରିସ୍ଥିତି ବିଷୟରେ ସତର୍କ କରାଉଥିଲେ ଯେତେବେଳେ ଏକ ଲହଡ଼ି ମାଡ଼ି ଆସିଥିଲା । ହଠାତ୍ ଲହଡ଼ି ପାଣି ମାଡ଼ ହେବା ପରେ ଲାଇଭ୍ ଫିଡ୍ ବନ୍ଦ ହୋଇଯାଇଥିଲା । ଷ୍ଟୁଡିଓରେ ଥିବା ଉପସ୍ଥାପିକା ଓଡେଇ ଏସନାଓଲାଙ୍କ ମୁହଁର ଆବଭାବ ବଦଳି ଯାଇଥିଲା । ସେ ଅତ୍ୟନ୍ତ ଚିନ୍ତିତ ନଜର ଆସିଥିଲେ ।