ଭୁବନେଶ୍ବର ୨୩।୧୦: ଓଡ଼ିଶାକୁ ଏକ ପ୍ରମୁଖ ଶିଳ୍ପ ଓ ପୁଞ୍ଜିନିବେଶ କେନ୍ଦ୍ର ଭାବେ ଗଢ଼ିତୋଳିବା ଲକ୍ଷ୍ୟରେ ମୁମ୍ବାଇ ଗସ୍ତର ତୃତୀୟ ଦିନରେ POSCO ଓ JSW ଗ୍ରୁପ୍ର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି ଓଡ଼ିଶା ସରକାରଙ୍କ ପ୍ରତିନିଧିମଣ୍ଡଳୀ । ଏହି ବୈଠକରେ POSCO Indiaର ମୁଖ୍ୟ ଏସ୍ . ଏଲ୍ . ଚୁନ୍, ମୁମ୍ବାଇ କାର୍ଯ୍ୟାଳୟର ପରିଚାଳନା ନିର୍ଦ୍ଦେଶକ Jacy Kim ଏବଂ JSW ଗ୍ରୁପ୍ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ଯୋଗ ଦେଇଥିଲେ । ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ହୋଇଥିବା ଏହି ଆଲୋଚନାରେ ଓଡ଼ିଶାରେ ଶିଳ୍ପ ବିକାଶ, ପୁଞ୍ଜିନିବେଶ ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟିର ସମ୍ଭାବନା ନେଇ ଆଶା ସୃଷ୍ଟି ହୋଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଓଡ଼ିଶା ଶିଳ୍ପାୟନ ଓ ପୁଞ୍ଜିନିବେଶ ପାଇଁ ଏକ ଅନୁକୂଳ ଗନ୍ତବ୍ୟସ୍ଥଳ । ଆମ ସରକାର ନିବେଶକମାନଙ୍କୁ ଆବଶ୍ୟକ ସହଯୋଗ, ସୁବିଧା ଓ ଅନୁକୂଳ ପରିବେଶ ଯୋଗାଇଦେବାକୁ ପ୍ରତିବଦ୍ଧ । ଆମର ଲକ୍ଷ୍ୟ ହେଉଛି ରାଜ୍ୟରେ ଅଧିକ ପୁଞ୍ଜିନିବେଶ ଆଣିବା, ଯୁବପିଢ଼ିଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଓଡ଼ିଶାର ଅର୍ଥନୈତିକ ବିକାଶକୁ ଆହୁରି ଗତିଶୀଳ କରିବା ।

Also Read:- ଓଡ଼ିଶାକୁ ନୂଆ ପୁଞ୍ଜିନିବେଶ ଆଣିବାକୁ ଉଦ୍ୟମ, L&T ସହ ଶିଳ୍ପ ଆଲୋଚନା ଉପରେ ନଜର

POSCO ଓ JSW ପରି ପ୍ରମୁଖ ଶିଳ୍ପଗୋଷ୍ଠୀଙ୍କ ସହ ଏହି ଆଲୋଚନା ରାଜ୍ୟର ଶିଳ୍ପ ସମ୍ଭାବନାକୁ ଆଗକୁ ନେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ଆଲୋଚନାରୁ ଓଡ଼ିଶା ପାଇଁ ସକାରାତ୍ମକ ଫଳାଫଳ ମିଳିବା ନେଇ ଆଶା ପ୍ରକାଶ ପାଇଛି ।