ନୂଆଦିଲ୍ଲୀ: ଜର୍ମାନୀର ଜଣେ ପ୍ରସିଦ୍ଧ ଗେମ୍ ଡେଭଲପର୍ ତଥା ଇନଫ୍ଲୁଏନ୍ସର୍ ମାନୁଏଲ୍ ଓଟୋ ଆତ୍ମହତ୍ୟା କରିଛନ୍ତି । ୩୦ ବର୍ଷୀୟ ଓଟୋ ଆତ୍ମାହୁତି ସୟମରେ ଲାଇଭ୍-ଷ୍ଟ୍ରିମିଂ ପ୍ଲାଟଫର୍ମ 'ଟ୍ୱିଚ୍'ରେ ଲାଇଭ୍ ଥିଲେ ବୋଲି ଜଣାପଡ଼ିଛି । ରିପୋର୍ଟ ମୁତାବକ, ଦକ୍ଷିଣ-ପୂର୍ବ ଜର୍ମାନୀର ବାଭାରିଆ ଅଞ୍ଚଳରେ ଥିବା ଏକ ଘରେ ନିଆଁ ଲାଗିଥିବା ଦେଖି ପଡ଼ୋଶୀ ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ପରେ ସେଠାରୁ ମାନୁଏଲ୍ ଓଟୋଙ୍କ ମୃତଦେହ ମିଳିଥିଲା ।

ଏକ ଶୋକବାର୍ତ୍ତାରେ ଲେଖାଯାଇଛି, "ଅତ୍ୟନ୍ତ ଦୁଃଖର ସହିତ ଆମେ ଆମର ନିର୍ମାତା, ଡେଭଲପର୍ ଏବଂ ସାଥୀ ଷ୍ଟିକ୍ ରନର୍ ମାର୍କ-ମାନୁଏଲ୍ ଆଲେକଜାଣ୍ଡାର୍ ଓଟୋଙ୍କ ମୃତ୍ୟୁର ସୂଚନା ଦେଉଛୁ ।" ସେପଟେ 'ଟ୍ୱିଚ୍' ପକ୍ଷରୁ କୁହାଯାଇଛି ଯେ ଏହି ଅଘଟଣ ପରେ ସେମାନେ ତୁରନ୍ତ ଉକ୍ତ ଚ୍ୟାନେଲ୍ ଏବଂ ଭିଡିଓକୁ ହଟାଇ ଦେଇଛନ୍ତି ।

ମାନୁଏଲ୍ ଓଟୋ କିଏ ?

୧୯୯୬ ମସିହାରେ ଜର୍ମାନୀରେ ମାନୁଏଲ୍ ଓଟୋଙ୍କ ଜନ୍ମ । ସେ ମାତ୍ର ୧୪ ବର୍ଷ ବୟସରେ ଫେସବୁକରେ ଏକ ଫ୍ରି-ଟୁ-ପ୍ଲେ ଗେମ୍ ଭାବରେ 'ଷ୍ଟିକ୍ ରନ୍' ତିଆରି କରିଥିଲେ । ଏହି ଲୋକପ୍ରିୟ ମଲ୍ଟିପ୍ଲେୟାର୍ ଗେମରେ ଖେଳାଳିମାନେ ଏକ 'ଷ୍ଟିକ୍ ଫିଗର୍' ଚରିତ୍ରକୁ ନେଇ ବିଭିନ୍ନ ବାଧାବିଘ୍ନ ଅତିକ୍ରମ କରି ପଏଣ୍ଟ୍ ଏବଂ କଏନ୍ ସଂଗ୍ରହ କରୁଥିଲେ । ଆକଳନ ଅନୁଯାୟୀ, ବିଶ୍ୱବ୍ୟାପୀ ଡେସ୍କଟପ୍ ଏବଂ ମୋବାଇଲ୍ ଜରିଆରେ ୪୩ ନିୟୁତରୁ ଅଧିକ ଲୋକ 'ଷ୍ଟିକ୍ ରନ୍' ଖେଳିଛନ୍ତି ।