ନୂଆଦିଲ୍ଲୀ, ୨୩/୧୦:ଥରିଲା ତିବ୍ଦତ । ଲାଗିଲା ଜୋରଦାର ଭୂମିକମ୍ପର ଝଟକା । ଗୁରୁବାର ବିଳମ୍ବିତ ରାତ୍ରରେ ଚିବ୍ଦର ଅନେକ ସ୍ଥାନରେ ଭୂମିକମ୍ପର ଝଟକା ଲାଗିଥିବା ସୂଚନା ମିଳିଛି । ଏଥିରେ ୧୬ ଜଣ ପ୍ରାଣ ହରାଇଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି ।

ରିପୋର୍ଟ ଅନୁସାରେ,ହିମାଳୟ କ୍ଷେତ୍ର ତିବ୍ଦତରେ ଶକ୍ତିଶାଳୀ ଭୂକମ୍ପ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୦ ବୋଲି ଜଣାପଡ଼ିଛି । ଭାରତର ନ୍ୟାସନାଲ୍ ସେଣ୍ଟର ଫର୍ ସିସ୍ମୋଲୋଜି ଅନୁସାରେ, ଭୂକମ୍ପ ଭାରତୀୟ ସମୟ ଅନୁସାରେ ରାତି ୮.୦୩ ମିନିଟରେ ହୋଇଥିଲା । ପ୍ରଥମେ ଏହି ଭୂକମ୍ପର କେନ୍ଦ୍ର ଭୂପୃଷ୍ଠରୁ ୧୭୩ କିଲୋମିଟର ଗଭୀର ବୋଲି ସୂଚନା ଦିଆଯାଇଥିଲା । କିନ୍ତୁ ନୂଆ ସୂଚନା ଅନୁସାରେ ଏହା କେନ୍ଦ୍ର ଭୂମି ଠାରୁ ମାତ୍ର ୧୦ କିଲୋମିଟର ଗଭୀରରେ ରହିଛି ।

Also Read :- SIR ବିରୋଧରେ ଜନତା ଆନ୍ଦୋଳନ : ଦେଶବ୍ୟାପୀ ରାସ୍ତାକୁ ଓହ୍ଲାଇବେ ଛାତ୍ର-ଚାଷୀ ଏବଂ ଶ୍ରମିକ ସଙ୍ଗଠନ

ଚୀନର ଭୂକମ୍ପ ନେଟୱାର୍କ କେନ୍ଦ୍ର ସିଇଏନସି ଅନୁସାରେ, ଭୂକମ୍ପ ସ୍ଥାନୀୟ ସମୟ ଅନୁସାରେ ରାତି ପ୍ରାୟ ୧୦.୩୩ ମିନିଟରେ ଉତ୍ତର ତିବ୍ବତର ନାଗୁଚ କ୍ଷେତ୍ରରେ ହୋଇଛି । ଏହାର କେନ୍ଦ୍ର ତିବ୍ଦତର ରାଜଧାନୀ ଲାସାଠାରୁ ୪୦୦ କିଲୋମିଟର ଦୂରରେ ରହିଛି ।

ଚାଇନା ଅଧିକାରୀଙ୍କ ସୂଚନାନୁସାରେ, ଆହତଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଅନ୍ୟ ୨୧ ଜଣଙ୍କୁ ସାମାନ୍ୟ ଆଘାତ ଲାଗିଛି । ଏହାସହ ଅନେକ ଘର ମଧ୍ୟ ଭାଙ୍ଗି ଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳୀ ଥିବା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଏହା ୨୦୨୪ ଜାନୂଆରୀ ପରେ ତିବ୍ଦତରେ ଆସିଥିବା ସବୁଠୁ ବଡ଼ ତୀବ୍ରତାର ଭୂମିକମ୍ପ ବୋଲି କୁହାଯାଉଛି ।

ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅନେକ ଭିଡିଓ ଜାରି କରାଯାଇଛି । ଏଥିରେ ଲୋକେ ଭୟରେ ଘରୁ ବାହାରି ଆସୁଥିବା ଦେଖିବାକୁ ମିଳିଛି । ଆଉ କିଛି ବ୍ୟକ୍ତି ରାତି ସାରା ଘର ବାହାରେ ରହିଛନ୍ତି । ଏଣେତେଣେ ଧାଉଁଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି ।