ଭୁବନେଶ୍ୱର: ରାଜ୍ୟରେ ସୃଷ୍ଟି ହୋଇଥିବା ବାତ୍ୟା “ଅର୍ଣ୍ଣବ”ର ପ୍ରଭାବ, ଜରୁରୀକାଳୀନ ପ୍ରସ୍ତୁତି ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ମରାମତି ତଥା ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ। ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ଏସଆରସି ଶ୍ରୀ ରାଜେଶ ପ୍ରଭାକର ପାଟିଲ ବାତ୍ୟା ପୂର୍ବ ପ୍ରସ୍ତୁତି ଓ ସ୍ଥିତି ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ 'ଶୂନ୍ୟ ଜୀବନହାନି' (Zero Casualty) ଲକ୍ଷ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇ ପ୍ରଶମନ କାର୍ଯ୍ୟ ଜାରି ରହିଛି।

Also Read: ‘ଅର୍ଣ୍ଣବ’କୁ ନେଇ ମାଲକାନଗିରିରେ ହାଇ ଆଲର୍ଟ, ବାତ୍ୟା ଆଶ୍ରୟସ୍ଥଳୀକୁ ୨୧୩୫ ଜଣଙ୍କୁ ସ୍ଥାନାନ୍ତର

ପ୍ରଭାବିତ ଜିଲ୍ଲାଗୁଡ଼ିକରେ କ’ଣ ରହିଛି ସ୍ଥିତି ?

ରାଜ୍ୟରେ ମୋଟ ୨,୦୬୭ଟି ଆଶ୍ରୟସ୍ଥଳ (୧୪୧ ସ୍ଥାୟୀ ଏବଂ ୧,୯୨୬ ଅସ୍ଥାୟୀ) ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି। ବର୍ତ୍ତମାନସୁଦ୍ଧା ୮ଟି ପ୍ରଭାବିତ ଜିଲ୍ଲାର ୩୨୪ଟି ସକ୍ରିୟ ଆଶ୍ରୟସ୍ଥଳରେ ୩୧,୨୫୫ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ଚିହ୍ନଟ ହୋଇଥିବା ୪,୧୩୯ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୨,୨୪୫ ଜଣଙ୍କୁ ନିକଟସ୍ଥ ହସ୍ପିଟାଲ ଓ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ସମୁଦ୍ରରୁ ୧୧,୯୫୫ ଏବଂ ଚିଲିକାରୁ ୭,୧୮୮ଟି ମାଛଧରା ଡଙ୍ଗାକୁ ସୁରକ୍ଷିତ ଭାବେ କୂଳକୁ ଅଣାଯାଇଛି।

ବର୍ଷାର ପରିମାଣ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ହାରାହାରି ୨୩.୯ ମିମି ବର୍ଷା ରେକର୍ଡ ହୋଇଛି। ସେଥିମଧ୍ୟରୁ ୧୪ଟି ବ୍ଲକ୍ ଏବଂ ୩ଟି ସହରାଞ୍ଚଳରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି। କୋରାପୁଟର ପଟ୍ଟାଙ୍ଗିରେ ସର୍ବାଧିକ ୧୮୮.୦ ମିମି ଏବଂ ଗଜପତିର ମୋହନାରେ ୧୮୨.୪ ମିମି ବର୍ଷା ରେକର୍ଡ କରାଯାଇଛି।

Also Read: Cyclone Arnab impact: ପ୍ରକୃତିର ପ୍ରକୋପ ! ଭୁଶୁଡ଼ିଲା ଗଜଲକ୍ଷ୍ମୀ ପୂଜା ତୋରଣ, ଭାଙ୍ଗିଲା ମା’ଙ୍କ ମୂର୍ତ୍ତି

ମୁତୟନ ଟିମ୍ ଓ ରିଲିଫ୍ ସହାୟତା

ବିପର୍ଯ୍ୟୟ ମୁକାବିଲା ପାଇଁ ସାରା ରାଜ୍ୟରେ ୬୨ଟି ଓଡ୍ରାଫ୍, ୯ଟି ଏନଡିଆରଏଫ୍  ଏବଂ ୨୪୪ଟି ଅଗ୍ନିଶମ ସେବା ଟିମ୍ ମୁତୟନ ଅଛନ୍ତି। ଏହାଛଡ଼ା ଆବଶ୍ୟକୀୟ ପାୱାର ଚେନ୍-ସ', ଟୋଇଂ ଟେଣ୍ଡର, ଡଙ୍ଗା, ଜଳ ନିଷ୍କାସନ ପମ୍ପ ଏବଂ ଟାୱାର ଲାଇଟ୍ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ସରକାରଙ୍କ ପକ୍ଷରୁ ପ୍ରଭାବିତ ୮ଟି ଜିଲ୍ଲା ପାଇଁ ମୋଟ ୧୯ କୋଟି ଟଙ୍କାର ରିଲିଫ୍ ସହାୟତା ମଞ୍ଜୁର କରାଯାଇଛି। ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାକୁ ସର୍ବାଧିକ ୫ କୋଟି ଏବଂ ଅନ୍ୟ ୭ଟି ଜିଲ୍ଲାକୁ ୨ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।

Also Read: ବର୍ଷା ଆଶଙ୍କା ମଧ୍ୟରେ ଲୋକଙ୍କ ଚିନ୍ତା, ବନ୍ୟା ଆଶ୍ରୟସ୍ଥଳୀ ବୁଲି ସ୍ଥିତି ପରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ବିଦ୍ୟୁତ୍ ସେବା ପୁନରୁଦ୍ଧାର

ଟିପିଏସଓଡିଏଲ୍ ଅଧୀନରେ ପ୍ରଭାବିତ ହୋଇଥିବା ଗ୍ରାହକମାନଙ୍କ ମଧ୍ୟରୁ ପ୍ରାୟ ୬୫.୪୧ ପ୍ରତିଶତ ଗ୍ରାହକଙ୍କୁ ପୁଣିଥର ବିଦ୍ୟୁତ୍ ସଂଯୋଗ ଯାଇଛି। ବିଶେଷ କରି ଗଜପତିରେ ୮୧.୧୬% ଏବଂ ମାଲକାନଗିରିରେ ୭୧.୬୧% ବିଦ୍ୟୁତ୍ ସେବା ସ୍ୱାଭାବିକ ହୋଇସାରିଛି। ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲା ନିୟନ୍ତ୍ରଣ କକ୍ଷକୁ ୨୪ ଘଣ୍ଟା କାର୍ଯ୍ୟକ୍ଷମ ରଖାଯିବା ସହ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ଏବଂ ପ୍ରଭାବିତ ଅଞ୍ଚଳର ସମସ୍ତ ସ୍କୁଲ ଓ ଆଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଛି।