ନୂଆଦିଲ୍ଲୀ: ଦେଶରେ କ୍ୟାନସର ଚିକିତ୍ସା ଖର୍ଚ୍ଚକୁ କମାଇବା ପାଇଁ ଔଷଧର ଦର କମାଇଲା ଭାରତୀୟ ଔଷଧ ମୂଲ୍ୟ ନିୟନ୍ତ୍ରକ ସଂସ୍ଥା ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି (NPPA)। କ୍ୟାନସର ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ୫୪୩ ଟି ଔଷଧର ବିଭିନ୍ନ ବ୍ରାଣ୍ଡ ଓ ପ୍ୟାକ୍ରେ ସର୍ବାଧିକ ଖୁଚୁରା ମୂଲ୍ୟ ସଂଶୋଧନ କରି ନୂଆ ଦର ଜାରି କରାଯାଇଛି।

ଏଥିରେ କେତେକ ଔଷଧର ଦାମ ୯୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି। ଏହି ନୂଆ ଦର ନଭେମ୍ବର ୯ ତାରିଖ ଠାରୁ ଲାଗୁ ହେବ। ତେବେ ଅନେକ ଦାମୀ କ୍ୟାନସର ଔଷଧର ମୂଲ୍ୟ ଟଙ୍କାଟିଏ ବି କମି ନାହିଁ। ତେଣୁ ସଂଶୋଧିତ ଔଷଧର ଦରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Also Read- କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କଲେ ସରକାର

୩୦ ପ୍ରତିଶତ ଟ୍ରେଡ୍ ମାର୍ଜିନ କ୍ୟାପିଂ ଲାଗୁ ହେବା ପରେ ଏକାଧିକ ଜେନେରିକ ଔଷଧର ଦର ବହୁତ କମିଯାଇଛି। ସରକାରଙ୍କର ଏହି ନିଷ୍ପତ୍ତି ସତ୍ତ୍ୱେ ବି କେଟ୍ରୁଡା ଓ ଇମଜୁଡୋ ଭଳି ବହୁତ ମହଙ୍ଗା ପେଟେଣ୍ଟ ଔଷଧଗୁଡ଼ିକର ଦାମରେ କୌଣସି ହ୍ରାସ ହୋଇ ନାହିଁ।

NPPAର ନୂଆ ଲିଷ୍ଟକୁ ନେଇ ଉଠିଲା ପ୍ରଶ୍ନ

ନୂଆ ନିଷ୍ପତ୍ତି ପରେ କ୍ୟାନସର ଔଷଧଗୁଡ଼ିକ ଉପରେ ୩୦ ପ୍ରତିଶତ ମାର୍ଜିନ କ୍ୟାପ୍ ଲାଗିଛି ସତ, ହେଲେ ମହଙ୍ଗା ପେଟେଣ୍ଟ ଔଷଧର ଦାମରେ କୌଣସି ପରିବର୍ତ୍ତନ ହୋଇ ନାହି। ଏହି କାରଣରୁ ଏନପିପିଏ ପକ୍ଷରୁ ଜାରି ହୋଇଥିବା ୫୪୩ ବ୍ରାଣ୍ଡର ନୂଆ ତାଲିକା ଉପରେ ପ୍ରଶ୍ନ ଛିଡ଼ା ହୋଇଛି।

ଏହି ପେଟେଣ୍ଟ ଔଷଧର ଦାମ ବଦଳି ନାହିଁ

୧. Keytruda 100 mg ଇଞ୍ଜେକ୍ସନ: ଏହାର ଦାମ ୨,୧୬,୫୦୦ ଟଙ୍କା ରହିଛି।୨. Imjudo 300 mg: ଏହାର ଦାମ ୪,୧୭,୫୨୨ ଟଙ୍କା ରହିଛି।୩. Opdyta 100 mg-ଏହାର ଦାମ ୧,୦୯,୫୦ ଟଙ୍କା ରହିଛି। ଏଥିରେ କୌଣସି କାଟ ହୋଇ ନାହିଁ।

ଅନ୍ୟପଟେ କିଛି ଜେନରିକ ଔଷଧର ଦରରେ ପ୍ରବଳ ହ୍ରାସ

Sunitinib: ₹୮୮୯ ରୁ ₹୨୮୫.୬୯ କୁ ହ୍ରାସ କରାଯାଇଛିOlaparib: ₹୧୫,୩୯୮ ରୁ ₹୨,୬୯୫ କୁ ହ୍ରାସ କରାଯାଇଛିPalbociclib 100 mg: ₹୨୪,୫୦୫ ରୁ ₹୨,୦୬୮ କୁ ହ୍ରାସ କରାଯାଇଛିଅର୍ଥାତ ଗୋଟିଏ ପଟେ ଜେନେରିକ ଔଷଧର ଦାମରେ ବଡ଼ ହ୍ରାସ ହୋଇଥିବା ବେଳେ ଅନ୍ୟପଟେ କିଛି ଔଷଧର ଦାମ ଏବେ ବି ମହଙ୍ଗା ରହିଛି। NPPA ଜାରି କରିଥିବା ଲିଷ୍ଟ ଅନୁସାରେ କେଉଁ ଔଷଧର ଦାମ କେତେ କମିଛି ଜାଣନ୍ତୁ।