ମାଲକାନଗିରି ୨୮।୧୦: ଦୀର୍ଘ ୬ଘଣ୍ଟା ୩୦ ମିନିଟର ସଂଘର୍ଷ ପରେ ସ୍ଥଳଭାଗ ଅତିକ୍ରମ କଲା ଅର୍ଣ୍ଣବ । ବୁଧବାର ସଂଧ୍ୟାରେ ମାଲକାନଗିରି ଅତିକ୍ରମ କରିବ ଅର୍ଣ୍ଣବ । ତେବେ ମାଲକାନଗିରି ଅତିକ୍ରମ କରିବା ବେଳେ ଏହା ଦୁର୍ବଳ ହୋଇ ଅବପାତ ସ୍ଥିତିରେ ରହିବ । ବାତ୍ୟା ଅର୍ଣ୍ଣବର ମୁକାବିଲା କରିବାକୁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜିରୋ କାଜୁଆଲିଟି ଲକ୍ଷ୍ୟରେ ୩୩ଟି ବାତ୍ୟା ଆଶ୍ରୟସ୍ଥଳୀରେ ୨୧୩୫ ଜଣଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ଏହାସହ ୫୯୯ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ମା’ ଗୃହ ଓ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ।

ପରିସ୍ଥିତିର ମୁକାବିଲା କରିବା ଲାଗି ଚିତ୍ରକୋଣ୍ଡା ଓ ମାଥିଲି ବ୍ଲକ୍‌ରେ ୫ଟି ଓଡ୍ରାଫ୍ ଟିମ୍, କାଲିମେଳାରେ ଗୋଟିଏ ଏନଡିଆରଏଫ ଟିମ୍ ଏବଂ ୯ଟି ଅଗ୍ନିଶମ ଟିମ୍ ନିୟୋଜିତ କରାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀରେ ପଲିଥିନ, ଓଆରଏସ, ଆଣ୍ଟି-ସ୍ନେକ୍ ଭେନମ୍, ହାଲାଜୋନ୍ ବଟିକା ସହ ଚୁଡ଼ା ଓ ଚିନି ଓ ଚାଉଳ ଗଚ୍ଛିତ ରଖାଯାଇଛି ।

Also Read:- ରାୟଗଡ଼ାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବାତ୍ୟା ଆଶ୍ରୟସ୍ଥଳୀରେ ପରଖିଲେ ଖାଦ୍ୟର ମାନ

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମାଲକାନଗିରି ଗସ୍ତ କରି ଗ୍ରାଉଣ୍ଡ ଜିରୋରେ ସ୍ଥିତିର ସମୀକ୍ଷା କରିଛନ୍ତି । ବରିଷ୍ଠ ଆଇଏଏସ ଅଫିସର ଡ. ୟେଦୁଲା ବିଜୟ ଏବଂ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ସହ ଆଲୋଚନା କରି ଖାଦ୍ୟ, ସ୍ୱାସ୍ଥ୍ୟସେବା ଓ ପାନୀୟ ଜଳର ଉପଲବ୍ଧତା ସୁନିଶ୍ଚିତ କରିଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳ ଓ ଭୂସ୍ଖଳନ ପ୍ରବଣ ସ୍ଥାନ ଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଛି । ସଡ଼କ ପରିବହନ ବାଧାପ୍ରାପ୍ତ ହେଲେ ତୁରନ୍ତ ବିକଳ୍ପ ରୁଟ୍ ବ୍ୟବହାର ପାଇ ମାଷ୍ଟର ପ୍ଲାନ୍ କରାଯାଇଛି । ଜରୁରୀ କାଳୀନ ସହାୟତା ପାଇଁ ଦୁଇଟି ଫୋନ୍ ନମ୍ବର ଦିଆଯାଇଛି ।

Watch Video: