ମୁମ୍ବାଇ: ଦେଶ ଛାଡ଼ି ଚାଲିଯିବାକୁ ଦିଆଯାଇଥିବା ନୋଟିସ୍‌ରେ ଅଭିନେତା ଇମ୍ରାନ ଖାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ପରିବର୍ତ୍ତି ଶୁଣାଣି ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଇମ୍ରାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ବମ୍ବେ ହାଇକୋର୍ଟରେ କହିଛନ୍ତି କେନ୍ଦ୍ର ସରକାର।

ଜ୍ଞାନେଶ କୁମାରଙ୍କର ଏସ୍ଆଇଆର ବିରୁଦ୍ଧରେ ହୋଇଥିବା ସିଜେପି ଆନ୍ଦୋଳନରେ ଯୋଗ ଦେଇଥିଲେ ବଲିଉଡ୍ ଅଭିନେତା ଇମ୍ରାନ ଖାନ। ଏଥିପାଇଁ ତାଙ୍କ ବିରୁଦ୍ଧରେ ଏହି ନୋଟିସ୍ ଜାରି କରାଯାଇଥିଲା। ପ୍ରକୃତରେ ଇମ୍ରାନ ଖାନ ହେଉଛନ୍ତି ଜଣେ ଆମେରିକୀୟ ନାଗରିକ। ହେଲେ ତାଙ୍କ ପାଖରେ ଭାରତର ବିଦେଶୀ ନାଗରିକ(ଓସିଆଇ) କାର୍ଡ ରହିଛି। ଜଣେ ଆମେରିକା ନାଗରିକ ହୋଇ ଭାରତରେ ଆନ୍ଦୋଳନ କରିଥିବାରୁ ଇମ୍ରାନଙ୍କ ବିରୁଦ୍ଧରେ ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟ (FRRO) ନୋଟିସ ଜାରି କରିଥିଲା। ଅକ୍ଟୋବର ୨୮ ତାରିଖରେ ତାଙ୍କୁ ଦେଶ ଛାଡ଼ି ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି ନୋଟିସ୍ ବିରୁଦ୍ଧରେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଇମ୍ରାନ। ଆସନ୍ତାକାଲି ତାଙ୍କ କଣ୍ଟ ପୂରିବା ପୂର୍ବରୁ ମଙ୍ଗଳବାର ଏହି ନୋଟିସ୍ରେ ସରକାରଙ୍କ ପକ୍ଷରୁ ତାଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ନଭେମ୍ବର ୨ ପର୍ଯ୍ୟନ୍ତ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ସରକାର ହାଇକୋର୍ଟଙ୍କୁ କହିଛନ୍ତି।

ସିଜେପି ଆନ୍ଦୋଳକୁ ବିରୋଧ କରି ବିଜେପି ନେତା କିର୍ତ୍ତୀ ସୋମାୟା ଥାନାରେ ମାମଲା କରିଥିଲେ। ଅଭିନେତା ଆମେରିକା ନାଗରିକ ହୋଇ ସେ ଆନ୍ଦୋଳରେ ଯୋଗ ଦେଇଥିଲେ। ଏହା ନିୟମ ବିରୁଦ୍ଧ କାର୍ଯ୍ୟ। ଅଭିଯୋଗକୁ ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟକୁ ପଠାଯିବା ପରେ ସେଠାରୁ ଅଭିନେତାଙ୍କୁ ଇମିଗ୍ରେସନ୍ ଏବଂ ବିଦେଶୀ ଅଧିନିୟମ, ୨୦୨୫ ଅଧୀନରେ ଦେଶ ଛାଡ଼ି ଯିବାକୁ ନୋଟିସ୍ କରାଯାଇଥିଲା। ଏହି ଅଧିନିୟମର ଧାରା ୭ ଭାରତରେ ବିଦେଶୀମାନଙ୍କ ପ୍ରବେଶ, ପ୍ରସ୍ଥାନ, ଉପସ୍ଥିତି କିମ୍ବା ଗତିବିଧିକୁ ନିୟନ୍ତ୍ରଣ, ପ୍ରତିବନ୍ଧକ କିମ୍ବା ନିଷେଧ କରିବା ପାଇଁ ନିର୍ଦ୍ଦେଶ ଜାରି କରିବାକୁ କେନ୍ଦ୍ର ସରକାରଙ୍କ ପାଖରେ କ୍ଷମତା ରହିଛି। ଏହି ଅଧିକାରର ଉପଯୋଗ କରି FRRO ଇମ୍ରାନଙ୍କୁ ନୋଟିସ୍ କରିଥିଲା।

Also Read- ପ୍ରିୟଙ୍କା ଚୋପ୍ରା ଅଭିନୀତି ମୋ ବାୟୋପିକ ସତ ନୁହେଁ, ଏଥିରେ ମାତ୍ର ୧୦% କଥା ଦେଖାଇଛନ୍ତି: ରିଲିଜର ୧୨ ବର୍ଷେ ପରେ ଏମିତି କହିଲେ ମେରି କମ

ନୋଟିସ ବିରୁଦ୍ଧରେ ଇମ୍ରାନ ଅକ୍ଟୋବର ୧୭ ତାରିଖରେ ହାଇକୋର୍ଟ ଦ୍ୱାରସ୍ଥ ହୋଇଥିଲେ। ଏଥିରେ ସେ କହିଥିଲେ ଯେ ସେ କୌଣସି ଆନ୍ଦୋଳନରେ ଯୋଗ ଦେଇ ନାହାନ୍ତି କି ଆନ୍ଦୋଳନ ଆୟୋଜନ କରିଥିବା ସଂସ୍ଥା ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ। ତାଙ୍କ ବିରୁଦ୍ଧରେ ଜାରି କରାଯାଇଥିବା ନୋଟିସ୍ ସମ୍ପୂର୍ଣ୍ଣ ବେଆଇନ, ମନମୁଖୀ, ଏବଂ କଠୋର ବୋଲି ସେ କହିଥିଲେ। ଏହାପରେ FRRO ପକ୍ଷରୁ ତାଙ୍କୁ ପୁନଃ ନୋଟିସ କରାଯାଇ କାହିଁକି ତାଙ୍କ ପାଖରୁ ଓସିଆଇ ଷ୍ଟାଟସ ଛଡ଼ା ନିଆଯିବ ନାହିଁ ବୋଲି କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା।

ଏହି ମାମଲାରେ ମଙ୍ଗଳବାର ଶୁଣାଣି ଚାଲିଥିଲା। ଖାନଙ୍କ ଓକିଲ, ଭେଙ୍କଟେଶ ଧୋଣ୍ଡ, ଅକ୍ଟୋବର ୨୮ ତାରିଖର ସମୟସୀମା ରହିଛି। ଯାହା ଖୁବ୍ କମ ସମୟ ବୋଲି ସେ ଦାବି କରିଥିଲେ। ଏହାପରେ ଅତିରିକ୍ତ ସଲିସିଟର ଜେନେରାଲ ଅନିଲ ସିଂହ ଇମ୍ରାନଙ୍କ ବିରୁଦ୍ଧରେ କୌଣସି ଜୋରଜବରଦସ୍ତ ପଦକ୍ଷେପ ନିଆଯିବ ନାହିଁ ବୋଲି କୋର୍ଟରେ ଆଶ୍ୱାସନା ଦେଇଥିଲେ। ଏହି ମାମଲାର ପରିବର୍ତ୍ତି ଶୁଣାଣି ନଭେମ୍ବର ୨ରେ ହେବ ବୋଲି ଶୁଣାଣି କରୁଥିବା ମୁଖ୍ୟ ବିଚାରପତି ମହେଶ ଚନ୍ଦ୍ର ତ୍ରିପାଠି ଏବଂ ବିଚାରପତି ଅଦ୍ୱୈତ ସେଠନାଙ୍କ ଖଣ୍ଡପୀଠ କହିଛନ୍ତି।