ନୂଆଦିଲ୍ଲୀ: ଦୀର୍ଘ ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି ତାରକା ଦ୍ରୁତ ବୋଲର ଭୁବନେଶ୍ଵର କୁମାର। ଇଣ୍ଡିଆନ ପ୍ରିମିୟର ଲିଗ୍(IPL)ରେ ଗତ ଦୁଇଟି ସଂସ୍କରଣରେ ଚମତ୍କାର ପ୍ରଦର୍ଶନ କରିବା ପରେ ଟିମ୍ ଇଣ୍ଡିଆର ଟି-୨୦ ଟିମରେ ତାଙ୍କର ପ୍ରତ୍ୟାବର୍ତ୍ତନ ଘଟିଥିଲା। ତାଙ୍କର ଅଭିଜ୍ଞତାକୁ ଦେଖି ଲାଗୁଥିଲା ନ୍ୟୁଜିଲାଣ୍ଡ ମାଟିରେ ପ୍ରଦର୍ଶନ ପ୍ରଭାବଶାଳୀ ରହିବ। ହେଲେ ଶେଷ ହୋଇଥିବା ତିନୋଟି ଟି-୨୦ ମ୍ୟାଚରେ ଭୁବିଙ୍କ ପ୍ରଦର୍ଶନ ଆଖି ଦୃଶିଆ ରହିନି। ଏପରି ନିରାଶଜନକ ପ୍ରଦର୍ଶନ ପରେ ଚତୁର୍ଥ ଟି-୨୦ରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବ କି ନାହିଁ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ରବିଚନ୍ଦ୍ରନ ଅଶ୍ଵିନ।

ଭୁବନେଶ୍ଵର କୁମାର ତିନୋଟି ମ୍ୟାଚରେ ନିଜର ସଂପୂର୍ଣ୍ଣ ୧୨ ଓଭର ବୋଲିଂ କରି କେବଳ ଗୋଟିଏ ଓ୍ଵିକେଟ୍ ପାଇଛନ୍ତି। ଯେଉଁ ଦୁଇଟି ମଇଦାନରେ ଏ ପର୍ଯ୍ୟନ୍ତ ମ୍ୟାଚ୍ ହୋଇଛି, ସେଠାକାର ବାଉଣ୍ଡରୀ ବଡ଼ ଥିଲା। ତଥାପି ଭୁବନେଶ୍ଵର ୩ଟି ମ୍ୟାଚରେ ୧୩୯ ରନ ବ୍ୟୟ କରିଛନ୍ତି, ଯାହା ସିରିଜରେ ଅନ୍ୟ ବୋଲରଙ୍କ ତୁଳନାରେ ବହୁତ ମହଙ୍ଗା। ଆଗକୁ ଛୋଟ ମଇଦାନରେ ମ୍ୟାଚ୍ ହେବାକୁ ଯାଉଛି। ଏମିତିରେ ଭୁବିଙ୍କ ବୋଲିଂ କେତେ ପ୍ରଭାବଶାଳୀ ରହିବ ସେ ନେଇ ସନ୍ଦେହ ପ୍ରକାଶ ପାଇଛି।

Also Read: ଜାଡ଼େଜାଙ୍କ ୪ ବର୍ଷର ରାଜୁତି ଶେଷ, ICC ରାଙ୍କିଂରେ ଦୁନିଆକୁ ମିଳିଲା ନୂଆ ନମ୍ବର-୧ ଅଲରାଉଣ୍ଡର

କାରଣ କହିଲେ ଅଶ୍ଵିନ

ଆର ଅଶ୍ଵିନ ପୂର୍ବତନ କ୍ରିକେଟର ରାହୁଲ ଶର୍ମା ଓ କ୍ରୀଡ଼ା ସାମ୍ବାଦିକ ବିମଲ କୁମାରଙ୍କ ସହିତ ନିଜର ୟୁଟ୍ୟୁବ ଚ୍ୟାନେଲରେ ଏ ବିଷୟରେ ଆଲୋଚନା କରିଛନ୍ତି। ସେ ନ୍ୟୁଜିଲାଣ୍ଡର ମଇଦାନ ବିଷୟରେ ଉଲ୍ଲେଖ କରି କହିଛନ୍ତି ନ୍ୟୁଜିଲାଣ୍ଡର ସବୁଠୁ ବଡ଼ ଗ୍ରାଉଣ୍ଡ ହେଉଛି କ୍ରାଇଷ୍ଟଚର୍ଚ୍ଚ। ଏହା ପରେ ରହିଛି ଓ୍ଵେଲିଂଟନ ଏବଂ ସବୁଠୁ ଛୋଟ ଗ୍ରାଉଣ୍ଡ ହେଉଛି ଅକଲ୍ୟାଣ୍ଡ। ଏଠାରେ ବୋଲରଙ୍କ ପାଇଁ ବୋଲିଂ କରିବା ବହୁତ କଠିନ। ଏହି କ୍ରମରେ ଅଶ୍ଵିନ ଭୁବନେଶ୍ଵର କୁମାରଙ୍କ ପ୍ରଦର୍ଶନ ଉପରେ କହିଛନ୍ତି ଯେ, ଯଦି ଚତୁର୍ଥ ଟି-୨୦ରେ ତାଙ୍କ ସ୍ଥାନରେ ମୟଙ୍କ ଯାଦବ କିମ୍ବା ଅନ୍ୟ ବୋଲରଙ୍କୁ ସୁଯୋଗ ମିଳେ ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ। ଭୁବନେଶ୍ଵର ମିଳିଥିବା ସୁଯୋଗର ସଦୁପଯୋଗ କରି ପାରି ନାହାନ୍ତି।

ପ୍ରଭାବିତ କରି ପାରିଲେନି ଭୁବନେଶ୍ଵର

ଭୁବନେଶ୍ଵର କୁମାର ନ୍ୟୁଜିଲାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ତିନୋଟି ମ୍ୟାଚ୍ ଖେଳି ସାରିଛନ୍ତି। ହେଲେ ପ୍ରଥମ ଏବଂ ତୃତୀୟ ମ୍ୟାଚର ପ୍ରଥମ ଓଭର ବାଦ୍ ଦେଲେ ବାକି ୧୦ ଓଭରରେ ସେ ୧୩୦ ରନ ବ୍ୟୟ କରିଛନ୍ତି। ଏଥିରୁ ଆପଣ ଅନୁମାନ କରି ପାରିବେ ଯେ, ଏହି ଅଭିଜ୍ଞ ବୋଲରଙ୍କ ବୋଲିଂ କେତେ ସାଧାରଣ ରହିଛି। ପ୍ରଥମ ଓଭର ବାଦ୍ ଦେଲେ ବାକି ଓଭର ଗୁଡ଼ିକରେ ଲୟରେ ନଜର ଆସୁ ନାହାନ୍ତି ଭୁବନେଶ୍ଵର କୁମାର। ଭାରତ ପରି ଫ୍ଲାଟ୍ ପିଚରେ ଶାଣିତ ବୋଲିଂ କରିଥିବା ଭୁବନେଶ୍ଵର ନ୍ୟୁଜିଲାଣ୍ଡରେ ଏମିତି ବୋଲିଂ କରିବା ସହଜରେ ହଜମ ହେଉନି।

Also Read: ନ୍ୟୁଜିଲାଣ୍ଡ ବୋଲରଙ୍କୁ ନିର୍ଧୁମ ପ୍ରହାର, ଟି-୨୦ ଇଣ୍ଟରନ୍ୟାସନାଲରେ ଅଭିଷେକ ଶର୍ମାଙ୍କ ଚତୁର୍ଥ ଶତକ

କ୍ୟାରିୟରରେ ପ୍ରଥମ ନୋ ବଲ୍

ଭୁବନେଶ୍ଵର ପ୍ରଥମ ମ୍ୟାଚର ପ୍ରଥମ ଇନିଂସରେ ପ୍ରଥମ ଓଭର ବୋଲିଂ କରିଥିଲେ। ଏଥିରେ ସେ ମାତ୍ର ୪ ରନ ଦେଇଥିଲେ। ଠିକ୍ ସେହିପରି ତୃତୀୟ ମ୍ୟାଚର ପ୍ରଥମ ଓଭରରେ ମଧ୍ୟ ୪ ରନ ବ୍ୟୟ କରିଥିବା ବେଳେ ଦ୍ଵିତୀୟ ମ୍ୟାଚର ପ୍ରଥମ ଓଭରରେ ୮ ରନ ଦେଇଥିଲେ। ହେଲେ ବାକି ଓଭରଗୁଡ଼ିକରେ ତାଙ୍କର ବୋଲିଂ ଅତ୍ୟନ୍ତ ଦୟନୀୟ ରହିଛି। କେବଳ ଗୋଟିଏ ସଫଳତା ହିଁ ତାଙ୍କୁ ମିଳିଥିବା ବେଳେ ଦୁଇଟି ନୋ ବଲ୍ ବି ପକାଇଛନ୍ତି। ଏହା ପୂର୍ବରୁ ଟି-୨୦ ଅନ୍ତର୍ଜାତୀୟରେ ଏହି ବୋଲର କେବେ ବି ନୋ ବଲ୍ ପକାଇ ନ ଥିଲେ।