ନୂଆଦିଲ୍ଲୀ: ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଦୁବାଇ କୌଣସି ଉଦ୍ୟମ ବାକି ଛାଡୁ ନାହିଁ। ସହରରେ ଉଚ୍ଚ ଆକର୍ଷଣୀୟ ଅଟ୍ଟାଳିକା, କଡ଼ା ସୁରକ୍ଷା ବ୍ୟବସ୍ଥା, ବିଳାସମୟ ଜୀବନ ଶୈଳୀ ଓ ବୁର୍ଜ ଖଲିଫାର ଚୁମ୍ବକୀୟ ଆକର୍ଷଣ ଏମିତିରେ ବି ଲୋକଙ୍କୁ ଟାଣି ଆଣୁଛି। ଆଉ ଏବେ ଏଥିରେ ଆଉ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ତାହା ହେଲା ସୁନାର ଚଲାପଥ। ହଁ ଆଜ୍ଞା କଥା ଟା ସତ।

ଦୁବାଇ ସହରରେ ୨୪ କ୍ୟାରେଟ ସୁନାରେ ତିଆରି ଏକ ଚଲାପଥ ତିଆରି କରାଯାଉଛି। ଏହି ବର୍ଷ ଶେଷ ସୁଦ୍ଧା ଏହାର କାମ ସରିଯିବ। ଦୁବାଇ ଯାଉଥିବା ପର୍ଯ୍ୟଟକ ୨୪ କ୍ୟାରେଟ ସୁନାରେ ତିଆରି ରାସ୍ତାରେ ପାଦ ପକାଇ ଯିବାଆସିବା କରିପାରିବେ। ବେଳେ ବେଳେ ସ୍ୱପ୍ନରେ ମଣିଷ ଏମିତି ସ୍ୱପ୍ନ ଦେଖିଥାଏ। ସୁନାରେ ତିଆରି ରାସ୍ତାରେ ଚାଲିବା, ବୁଲାବାଲି କରି ମଜା ନେବା। ହେଲେ ଦୁବାଇ ସେହି ସ୍ୱପ୍ନକୁ ସତ କରିବା ଦେଖାଇବ। 

ଗଲ୍ଫଫ ଟୁଡେର ରିପୋର୍ଟ ଅନୁସାରେ ଏହା ବିଶ୍ୱର ପ୍ରଥମ ଓ ସବୁଠାରୁ ଲମ୍ବା ସୁବର୍ଣ୍ଣ ପଥ ହେବ। ଯାହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ଦୁବାଇ ଗୋଲ୍ଡ ଡିଷ୍ଟ୍ରିକ୍ଟ ଗଲ୍ଫ ଟୁଡେକୁ ସୂଚନା ଦେଇଛି।

ପର୍ଯ୍ୟଟକଙ୍କ ପାଇଁ କେବେ ଖୋଲିବ ଏହି ସୁବର୍ଣ୍ଣ ପଥ ?

ଦୁବାଇ ଗୋଲ୍ଡ ଡିଷ୍ଟ୍ରିକ୍ଟର ବାଣିଜ୍ୟିକ ବିଭାଗର ବରିଷ୍ଠ ନିର୍ଦ୍ଦେଶକ ରସିଦ ଅଲ୍ ହରମୌଦିଙ୍କ ଅନୁସାରେ, ଏହି ସୁବର୍ଣ୍ଣ ପଥ ଆସନ୍ତା ଦୁଇ ମାସ ମଧ୍ୟରେ ପର୍ଯ୍ୟଟକଙ୍କ ପାଇଁ ଖୋଲିପାରେ। ଏହି ସୁନାପଥ ତିଆରି କରିବାର ଦୁଇଟ ଉଦ୍ଦେଶ୍ୟ ରହିଛି। ପ୍ରଥମତଃ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏକ ନୂଆ ଅନୁଭୂତି ଦେବା, ଦ୍ୱିତୀୟତଃ ସୁନା ବେପାର ଓ ପର୍ଯ୍ୟଟନରେ ବିଶ୍ୱର କେନ୍ଦ୍ର ସ୍ଥଳ ଭାବେ ଦୁବାଇର ସ୍ଥାନ ମଜଭୁତ କରିବା।

ଦୁବାଇ ଗୋଲ୍ଡ ଡିଷ୍ଟ୍ରିକ୍ଟ

ଦୁବାଇ ଗୋଲ୍ଡ ଡିଷ୍ଟ୍ରିକ୍ଟ ଜାନୁଆରୀ ୨୦୨୬ରେ ଦେଇରା ସହରରେ ଲଞ୍ଚ ହୋଇଥିଲା। ସୁନା ବେପାର, ଖୁଚୁରା ଅଳଙ୍କାର ବ୍ୟବସାୟ ଏବଂ ସୁନ୍ଦର ପର୍ଯ୍ୟଟନ ଅନୁଭବକୁ ଗୋଟିଏ ସ୍ଥାନରେ ବାନ୍ଧି ରଖିବା ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହି ସୁବର୍ଣ୍ଣ ପଥର ଯୋଜନା ମଧ୍ୟ ଏହାର ଏକ ଅଂଶ।

ଦୁବାଇ ମିଡିଆ ଅଫିସର ସୂଚନା ଅନୁସାରେ, ଏହି ଜିଲ୍ଲାରେ ସୁନା, ଅଳଙ୍କାର, ପରଫ୍ୟୁମ, କସମେଟିକ୍ସ, ଏବଂ ଜୀବନଶୈଳୀ ସହିତ ଜଡ଼ିତ ପାଖାପାଖି ୧୦୦୦ଟି ଦୋକାନ ରହିଛି। ଏହି ଜିଲ୍ଲାରେ ସୁନା ଏବଂ ଅଳଂକାରର ଏକ ବିଶାଳ ପ୍ରଦର୍ଶନୀ ଆୟୋଜନ କରିବାକୁ ଯୋଜନା କରାଯାଉଛି। ଯେମିତି ଏହା ପୂରା ମଧ୍ୟପ୍ରାଚ୍ୟରେ ସବୁଠାରୁ ବଡ଼ ପ୍ରଦର୍ଶନୀ ହେବ। ଏଠାରେ ନିଜର ବ୍ୟବସାୟ କରିବାକୁ ଚାହୁଁଥିବା ବିଜନେଶମ୍ୟାନଙ୍କ ପାଇଁ ଅତିରିକ୍ତ ଅପିସ ସ୍ପେସ୍‌ ଏବଂ ଖୁଚୁରା ଦୋକାନ ପାଇଁ ସ୍ଥାନ ଯୋଗାଇ ଦେବାକୁ କାମ ଜାରି ରହିଛି। ତେବେ ପ୍ରତିଷ୍ଠା ପର ଠାରୁ ଏହି ଗୋଲ୍ଡ ସିଟିରେ ସୁନା ହୋଲସେଲ୍ ବ୍ୟବସାୟ କାର୍ଯ୍ୟାଳୟ ସଂଖ୍ୟାରେ ୨୦% ଅଭିବୃଦ୍ଧି ରେକର୍ଡ କରାଯାଇଛି ବୋଲି ଅଲ ହରମୌଦୀ କହିଛନ୍ତି।

Also Read-  ବାଣିଜ୍ୟ ବ୍ୟାନ ସତ୍ତ୍ୱେ ଭାରତ ଠାରୁ ଆମଦାନୀ ବଢାଇଲା ପାକିସ୍ତାନ: ଅନ୍ୟ ଦେଶ ମାଧ୍ୟମରେ କିଣୁଛି ଔଷଧ ଠାରୁ ଚା' ଓ କଫି

ସେହିପରି ସୁନା , ଅଳଂକାର ଓ ମୂଲ୍ୟବାନ ପଥର ଏବଂ ଲଗଜୁରି ଘଣ୍ଟାର ଷ୍ଟୋରଗୁଡ଼ିକ ଖୋଲିବାରେ ୧୫ ପ୍ରତିଶତ ବୃଦ୍ଧି ଘଟିଛି। ସହରରେ ଷ୍ଟୋର ସଂଖ୍ୟା ବଢ଼ାଇବା ପାଇଁ ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଥିବାରୁ ଆଗାମୀ ବର୍ଷ ମଧ୍ୟରେ ଏହି ଜିଲ୍ଲାକୁ ଆସୁଥିବା କମ୍ପାନୀଗୁଡ଼ିକର ସଂଖ୍ୟା ୧୦% ରୁ ୨୦% ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ସେ ଆଶା କରାଯାଉଛି। ଆଉ ଏହି ସୁବର୍ଣ୍ଣ ପଥର ଆଇଡିଆ ବ୍ୟବସାୟୀଙ୍କୁ ଆକୃଷ୍ଟ କରିବାରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ଦୁବାଇ ଗୋଲ୍ଡ ଡିଷ୍ଟ୍ରିକ୍ଟର ବାଣିଜ୍ୟିକ ବିଭାଗର ବରିଷ୍ଠ ନିର୍ଦ୍ଦେଶକ ରସିଦ ଅଲ୍ ହରମୌଦି ଆଶା ବ୍ୟକ୍ତ କରିଛନ୍ତି।