ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ସରକାର ବଡ଼ ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ମହଙ୍ଗ ଭତ୍ତା (ଡିଏ)ରେ ୩ ପ୍ରତିଶତ ବୃଦ୍ଧି ମଞ୍ଜୁରି କରିଛନ୍ତି । ଏହି ବୃଦ୍ଧି ପରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୬୦ ପ୍ରତିଶତରୁ ବଢ଼ି ୬୩ ପ୍ରତିଶତ ହୋଇଛି । ଏହି ନିଷ୍ପତ୍ତି ଦ୍ୱାରା ପ୍ରାୟ ୫୫ ଲକ୍ଷରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ପ୍ରାୟ ୬୯ ଲକ୍ଷ ପେନସନଧାରୀଙ୍କୁ ଲାଭ ପହଞ୍ଚିବ ।

ମହଙ୍ଗା ଭତ୍ତା (ଡିଏ)ରେ ୩% ବୃଦ୍ଧି ପରେ ଡିଏ ୬୦%ରୁ ୬୩% କୁ ବୃଦ୍ଧି ପାଇଛି । ଫଳସ୍ୱରୂପ, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ପ୍ରତି ମାସରେ ୫୪୦ରୁ ୩୦୦୦ ଟଙ୍କା କିମ୍ବା ତା'ଠାରୁ ଅଧିକ ବୃଦ୍ଧି ପାଇବ । ଉଦାହରଣ ସ୍ୱରୂପ ୧୮୦୦୦ ଟଙ୍କା ମୂଳ ଦରମା ଥିବା କର୍ମଚାରୀମାନେ ପ୍ରତି ମାସରେ ଅତିରିକ୍ତ ୫୪୦ ଟଙ୍କା ପାଇବେ । ୨୫୦୦୦ ଟଙ୍କା ମୂଳ ଦରମା ଥିବା କର୍ମଚାରୀମାନେ ଅତିରିକ୍ତ ୭୫୦ ଟଙ୍କା ପାଇବେ, ୫୦,୦୦୦ ମୂଳ ଦରମା ଥିବା କର୍ମଚାରୀମାନେ ଅତିରିକ୍ତ ୧୫୦୦ ଟଙ୍କା ପାଇବେ ଏବଂ ୧ ଲକ୍ଷ ମୂଳ ଦରମା ଥିବା କର୍ମଚାରୀମାନେ ଅତିରିକ୍ତ ୩୦୦୦ ଟଙ୍କା ପାଇବେ ।

ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାରୀ କର୍ମଚାରୀମାନେ ବର୍ତ୍ତମାନ ସେମାନଙ୍କ ମୂଳ ଦରମାର ୬୦ ପ୍ରତିଶତ ମହଙ୍ଗା ଭତ୍ତା ପାଉଥିଲେ । ୧୮ ଏପ୍ରିଲ ୨୦୨୬ ରେ ଅର୍ଥ ମନ୍ତ୍ରଣାଳୟର ଏକ ବିଜ୍ଞପ୍ତି ଅନୁଯାୟୀ, କେନ୍ଦ୍ର କ୍ୟାବିନେଟ ଡିଏରେ ୨ ପ୍ରତିଶତ ବୃଦ୍ଧିକୁ ମଞ୍ଜୁରି ଦେଇଥିଲେ । ଏହି ବୃଦ୍ଧି ୧ ଜାନୁଆରୀ ୨୦୨୬ରୁ କାର୍ଯ୍ୟକାରୀ ହୋଇଥିଲା । ଏହା ପରେ ମହଙ୍ଗା ଭତ୍ତା ୫୮ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଥିଲା । ମହଙ୍ଗ ଭତ୍ତା ୩ ପ୍ରତିଶତ ବୃଦ୍ଧିକୁ ଅନୁମୋଦନ ପରେ ଡିଏ ୬୩ ପ୍ରତିଶତକୁ ବୃଦ୍ଧି ପାଇବ ।

ଉଲ୍ଲେଖନୀୟ ଯେ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ବର୍ଷରେ ଦୁଇଥର ମହଙ୍ଗା ଭତ୍ତା (ଡିଏ) ଏବଂ ମହଙ୍ଗା ରିଲିଫ୍ (ଡିଆର୍)ରେ ସଂଶୋଧନର ଲାଭ ପାଆନ୍ତି । ଏହି ସଂଶୋଧନଗୁଡ଼ିକ ସାଧାରଣତଃ ଜାନୁଆରୀ ଏବଂ ଜୁଲାଇରେ କାର୍ଯ୍ୟକାରୀ ହୁଏ । ଡିଏର ଉଦ୍ଦେଶ୍ୟ ହେଉଛି ମୁଦ୍ରାସ୍ଫୀତି ଯୋଗୁଁ ବର୍ଦ୍ଧିତ ଖର୍ଚ୍ଚର ପ୍ରଭାବକୁ ହ୍ରାସ କରିବା ।