ନୂଆଦିଲ୍ଲୀ: କୌଣସି ଜିନିଷ ଟ୍ରେନ୍‌ରେ ଠିକଣା ସ୍ଥାନକୁ ପଠାଇବା ଅନ୍ୟ ମାଧ୍ୟମ ଅପେକ୍ଷା ଟିକେ ଶସ୍ତା ଓ ସୁରକ୍ଷିତ ହୋଇଥାଏ। ହେଲେ ସାମଗ୍ରୀ ପଠାଇବା ପାଇଁ ଷ୍ଟେସନକୁ ଯାଅ, ସେଠାରେ ଗୁଡ଼ାଏ କାଗଜପତ୍ର କାମ କର, ଏସବୁ ଲୋକଙ୍କ ପାଇଁ ଟିକେ ସମସ୍ୟାବହୁଳ ହୁଏ। ତେଣୁ ଏହାର ସମଧାନ ପାଇଁ ଭାରତୀୟ ରେଳବାଇ ଏବେ ଡୋର ଡୁ ଡୋର ପାର୍ସଲ ସର୍ଭିସ୍ ଆରମ୍ଭ କରିବାକୁ ଯାଉଛି। ଅର୍ଥାତ୍ ଆପଣ ପଠାଉଥିବା ସାମଗ୍ରୀକୁ ସିଧା ଆପଣଙ୍କ ଘରୁ ରିସିଭ କରାଯିବ ଓ ଠିକଣା ଜାଗାରେ ପହଞ୍ଚାଇ ଦିଆଯିବ।

ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁସାରେ, ଏହି ନୂଆ ବ୍ୟବସ୍ଥା ଲାଗୁ କରିବା ପୂର୍ବରୁ ଭାରତୀୟ ରେଳବାଇ ଏହାର ପାଇଲଟ ରନ ଆରମ୍ଭ କରିଥିଲା। ଅର୍ଥାତ୍ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଏଭଳି ସେବା ଆରମ୍ଭ କରି ଏହାର ପରୀକ୍ଷା କରିଥିଲା। ପାଇଲଟ ରନ୍ ସଫଳ ହେବା ପରେ ଏହି ବ୍ୟବସ୍ଥା ସାରା ଦେଶରେ ଲାଗୁ କରିବାକୁ ରେଳବାଇ ଯୋଜନା କରୁଛି।

ପ୍ରଥମେ ୮ ବଡ଼ ସହରରେ ଲାଗୁ ହେବ ସୁବିଧା

ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁସାରେ, ଏହି ସ୍ୱତନ୍ତ୍ର ସୁବିଧା ଲାଗୁ କରିବା ପାଇଁ ରେଳବାଇ ବର୍ତ୍ତମାନ ‘ରେଲ୍ ପାର୍ସଲ ଆପ୍- ଘର ସେ ଘର ତକ(ରେଲ୍ ପାର୍ସଲ)’ ଉପରେ କାମ କରୁଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ସେବା ୮ ବଡ଼ ସହରରେ ଲାଗୁ କରାଯିବ। ଏହି ସହରଗୁଡ଼ିକ ମଧ୍ୟରେ ରହିଛି ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ଅହମଦାବାଦ, ବେଙ୍ଗାଲୁରୁ ଏବଂ ପୁନେ। ଏଠାରେ ରହୁଥିବା ଲୋକମାନେ ରେଳବାଇର ଉଦ୍ଦିଷ୍ଟ ମୋବାଇଲ ଆପ ମାଧ୍ୟମରେ ପାର୍ସଲ ପଠାଇ ପାରିବେ ଓ ଗ୍ରହଣ କରିପାରିବେ।

ରେଳବାଇ ଏହି ଆପ୍‌କୁ ଏକ ଡିଜିଟାଲ ମାର୍କେଟ୍‌ପ୍ଲେସ ଭଳି ଡିଜାଇନ କରିଛି। ଯେଉଁଠି ଗ୍ରାହକ ସିଧାସଳଖ ଲଜିଷ୍ଟିକ(ପରିବହନ) ସେବା ଯୋଗାଉଥିବା କମ୍ପାନୀଗୁଡ଼ିକ ସହିତ ଯୋଗାଯୋଗ କରିପାରିବେ। ଆପ୍ ମାଧ୍ୟମରେ ବୁକିଂ କରିପାରିବେ ଓ ଏଥିପାଇଁ ଦେୟ ବି ଦେଇପାରିବେ। ଫଳରେ ସେମାନଙ୍କୁ ଆଉ ରେଳ ଷ୍ଟେସନ ଯିବାକୁ ପଡ଼ିବ ନାହିଁ କି ଅଯଥା କାଗଜପତ୍ର କାମ କରି ଅଣନିଃଶ୍ୱାସୀ ହେବାକୁ ପଡ଼ିବ ନାହିଁ।

ପିକଅପ୍‌ରୁ ଡେଲିଭରୀ ପର୍ଯ୍ୟନ୍ତ ଏହି ମଡେଲ୍ କିପରି କାମ କରିବ?


ନୂଆ ସିଷ୍ଟମ ଅନୁସାରେ, ରେଳବାଇ ଏହି କାମକୁ ଦୁଇଟି ଭାଗରେ ବିଭକ୍ତ କରିଛି। ଏଥିରେ ଲଜିଷ୍ଟିକ ସେବା ଯୋଗାଉଥିବା କମ୍ପାନୀ ଗ୍ରାହକଙ୍କ ସାମଗ୍ରୀ ନେବା ଠାରୁ ଠିକଣା ସ୍ଥାନରେ ପହଞ୍ଚାଇବା ପର୍ଯ୍ୟନ୍ତ ଦାୟିତ୍ୱ ନେବେ। ସେହିପରି ରେଳବାଇ ଟ୍ରେନ୍ ମାଧ୍ୟମରେ ଗୋଟିଏ ଷ୍ଟେସନରୁ ଅନ୍ୟ ଷ୍ଟେସନକୁ ସାମଗ୍ରୀର ପରିବହନ ଦାୟିତ୍ୱ ନିର୍ବାହ କରିବ। କେବଳ ସେତିକି ନୁହେଁ, ଲଜିଷ୍ଟିକ କାମ କରୁଥିବା କମ୍ପାନୀ ଗ୍ରାହକଙ୍କୁ ସାମଗ୍ରୀର ପ୍ୟାକେଜିଂ ଆଦି ସୁବିଧା ମଧ୍ୟ ଯୋଗାଇ ଦେବ।

ପାର୍ସଲ ବୁକ୍ କରିବାର ଶେଷ ତାରିଖ ସ୍ଥିର ରହିବ।

ଜଣେ ବରିଷ୍ଠ ରେଳବାଇ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଘର ପର୍ଯ୍ୟନ୍ତ ପାର୍ସଲ ପହଞ୍ଚାଇବା (ଡୋର୍-ଟୁ-ଡୋର୍ ଡେଲିଭରି) ସେବା ପାଇଁ ବୁକିଂ ସୁବିଧା ଟ୍ରେନ୍ ଛାଡ଼ିବାର ୧୫ ଦିନ ପୂର୍ବରୁ ଆରମ୍ଭ ହେବ। ତେବେ ଗ୍ରାହକମାନେ ଟ୍ରେନ୍ ଛାଡ଼ିବାର ଗୋଟିଏ ଦିନ ପୂର୍ବ ପର୍ଯ୍ୟନ୍ତ ନିଜର ପାର୍ସଲ ବୁକ୍ କରିପାରିବେ। ତେବେ ଲଜିଷ୍ଟିକ୍ ସୁବିଧା ଯୋଗାଉଥିବା କମ୍ପାନୀଗୁଡ଼ିକୁ ଆଉଟିକେ ସୁବିଧା ଦିଆଯାଇଛି। ସେମାନେ ଘରୁ ସାମଗ୍ରୀ ସଂଗ୍ରହଣ କରିବା ଟ୍ରେନ୍ ଛାଡ଼ିବାର ଘଣ୍ଟାଏ ପୂର୍ବରୁ ରେଳବାଇ କର୍ମଚାରୀଙ୍କୁ ସାମଗ୍ରୀ ହସ୍ତାନ୍ତର କରିପାରିବେ। ଯାହାଫଳରେ ସାମଗ୍ରୀଗୁଡ଼ିକ ଶୀଘ୍ର ଏବଂ ଠିକ୍ ସମୟରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବ।

Also Read- କ୍ୟାନସର ଚିକିତ୍ସା ହେଲା ଶସ୍ତା: ୫୪୩ ଔଷଧର ଦାମ କମାଇଲେ ସରକାର, ଦେଖନ୍ତୁ ଲିଷ୍ଟ

ବୁକିଂ କ୍ୟାନସଲ କଲେ ରିଫଣ୍ଡ ରୁଲ କଣ ରହିଛି ?

ଯଦି ଗ୍ରାହକ ନିଜ ବୁକିଂ କ୍ୟାନସଲ କରୁଛନ୍ତି ତେବେ ଏନେଇ ରେଳବାଇର ସ୍ପଷ୍ଟ ନିୟମ ମଧ୍ୟ ରହିଛି। ଲଜିଷ୍ଟିକ କମ୍ପାନୀ ବୁକିଂ ସଂଗ୍ରହ କରିବା ପୂର୍ବୁର ଯଦି ଗ୍ରାହକ ଏହାକୁ କ୍ୟାନସଲ କରନ୍ତି, ତେବେ ରେଳବାଇ ସେମାନଙ୍କ ଠାରୁ ମାତ୍ର ୧୦ ଟଙ୍କା କ୍ଲର୍କେଜ୍ ଶୁଳ୍କ ଆଦାୟ କରିବ। ବାକି ଭଡ଼ା ଗ୍ରାହକଙ୍କୁ ଫେରାଇ ଦିଆଯିବ। ଆଉ ଯଦି ଘରୁ ପାର୍ସଲ ରିଶିଭ ପରେ କ୍ୟାନସଲ କରାଯାଏ ତେବେ ଲଜିଷ୍ଟିକ୍ କମ୍ପାନୀ ନିଜ ପଲିସି ଅନୁସାରେ ଚାର୍ଜ ଲଗାଇବେ। ତେବେ ବୁକିଂ ସମୟରେ ଏସବୁ ବିଷୟରେ ଗ୍ରାହକଙ୍କୁ ଅବଗତ କରାଇ ଦିଆଯିବ।

ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି

ବର୍ତ୍ତମାନ ପାର୍ବଣ ସମୟ ଚାଲିଥିବାରୁ ବ୍ୟବସାୟୀମାନଙ୍କୁ ରେଳବାଇ ବଡ଼ ଆସ୍ୱସ୍ତି ଦେଇଛି। ପର୍ବପର୍ବାଣୀ ପୂର୍ବରୁ ବହୁ ପରିମାଣରେ ଅର୍ଡର ଦେଉଥିବା ବ୍ୟବସାୟୀମାନଙ୍କ ପାଇଁ, ପାର୍ସଲ କୋଚ୍‌ର 'ରାଉଣ୍ଡ-ଟ୍ରିପ୍' (ଯିବା-ଆସିବା) ବୁକିଂ ଉପରେ ରିହାତି ଦିଆଯାଉଛି। ଏନେଇ ରେଳବାଇ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ପାର୍ସଲ ଏଗ୍ରିଗେଟରମାନେ (ପାର୍ସଲ ସଂଗ୍ରହକାରୀ) ଏବେ ଏକପାଖିଆ (one-way) ଭଡ଼ାର ଦେଢ଼ ଗୁଣ (୧.୫ ଗୁଣ) ମୂଲ୍ୟରେ ଯିବା-ଆସିବା ପାଇଁ ବୁକିଂ କରିପାରିବେ। ଏହି ନୂଆ ବ୍ୟବସ୍ଥା ଫଳରେ ମୋଟ ପରିବହନ ଶୁଳ୍କ ସିଧାସଳଖ ୨୫ ପ୍ରତିଶତ ହ୍ରାସ ପାଇଛି। ତେବେ, ଏହି ରିହାତି ସମସ୍ତ ପ୍ରକାରର ସାଧାରଣ ପାର୍ସଲ ବୁକିଂ ପାଇଁ ଲାଗୁ ହେବ ନାହିଁ ବୋଲି ରେଳ ବିଭାଗ ସ୍ପଷ୍ଟ କରିଛି। ବରଂ କେବଳ 'ରାଉଣ୍ଡ-ଟ୍ରିପ୍' ପାର୍ସଲ କୋଚ୍ ପାଇଁ ହିଁ ଏହା ଉଦ୍ଦିଷ୍ଟ ରହିବ ବୋଲି ରେଳବାଇ କହିଛି।