ଭୁବନେଶ୍ବର ୧।୪: ଆଜି ୯୦ତମ ଉତ୍କଳ ଦିବସ ପାଳନ କରୁଛି ଓଡ଼ିଶା । ୧୯୩୬ ମସିହା ଏପ୍ରିଲ ୧ ଓଡ଼ିଶା ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ବିଦିତ ଏକ ଅବିସ୍ମରଣୀୟ ତାରିଖ । ଯାହାକୁ ନେଇ ପ୍ରତ୍ୟେକ ଓଡ଼ିଆ ନିଜକୁ ଗର୍ବିତ ଅନୁଭବ କରନ୍ତି । ଯାହା ବୟାନ କରେ ଓଡ଼ିଶା ରାଜ୍ୟ ଗଠନର ଗୌରବମୟ ଇତିହାସ । ୧୯୩୬ ଏପ୍ରିଲ ୧ ତାରିଖରେ ଭାଷା ଭିତ୍ତିରେ ଆମ ଓଡ଼ିଶାକୁ ମିଳିଥିଲା ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା । ଭାଷା ଭିତ୍ତିରେ ଏକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇବାରେ ଓଡ଼ିଶା ପାଲଟିଥିଲା ଭାରତର ପ୍ରଥମ ରାଜ୍ୟ । ଉତ୍କଳ ଦିବସ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ଏବଂ ପ୍ରତିଷ୍ଠା ଦିବସକୁ ମନେ ରଖିବା ପାଇଁ ଏହି ଦିନକୁ ପାଳନ କରିଥାନ୍ତି କୋଟି କୋଟି ଓଡ଼ିଆ । ଏହି ଦିନରେ ବରପୁତ୍ର ମାନଙ୍କୁ ଓଡ଼ିଆମାନେ ମନେ ପକାଉଛନ୍ତି । ​​​​​​​ଏହି ଅବସରରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ଦିଆଯାଉଛି । ଦେଶର ରାଷ୍ଟ୍ରପତି ମହାମହିମ ଦ୍ରୌପଦୀ ମୁର୍ମୁ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ 'ଏକ୍ସ'ରେ ରାଷ୍ଟ୍ରପତି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ଲେଖିଛନ୍ତି, ଓଡ଼ିଶା ଦିବସ ଉପଲକ୍ଷେ ଓଡ଼ିଶାବାସୀ ଭାଇଭଉଣୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା । ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ସୁପ୍ରାଚୀନ ପରମ୍ପରା ତଥା ଓଡ଼ିଶାବାସୀଙ୍କ ଧୈର୍ଯ୍ୟ ଓ ସହନଶୀଳତାର ସ୍ୱାକ୍ଷର ବହନ କରେ ଏହି ଦିବସ । ଦେଶର ସ୍ୱାଧୀନତା ସଂଗ୍ରାମ ଏବଂ ରାଷ୍ଟ୍ରଗଠନରେ ଓଡ଼ିଶାର ଅମୂଲ୍ୟ ଯୋଗଦାନ ଆମ ସମସ୍ତଙ୍କୁ ସବୁବେଳେ ପ୍ରେରଣା ଦେଇଆସିଛି । ବିକଶିତ ଭାରତ ନିର୍ମାଣରେ କୁଶଳ ଏବଂ କର୍ମଠ ଓଡ଼ିଶାବାସୀଙ୍କ ଭୂମିକା ବେଶ୍ ଉଲ୍ଲେଖନୀୟ । ଆଜିର ଏହି ଶୁଭ ଅବସରରେ ଓଡ଼ିଶାବାସୀଙ୍କ ସୁଖ-ସମୃଦ୍ଧି ଓ ମଙ୍ଗଳ ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମୁଁ ପ୍ରାର୍ଥନା କରୁଅଛି ।​​​​​​​​​​​​​​

 

ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ 'ଏକ୍ସ'ରେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, ଉତ୍କଳ ଦିବସର ବିଶେଷ ଅବସରରେ ହାର୍ଦ୍ଦିକ ଶୁଭକାମନା । ଓଡ଼ିଶା ଏପରି ଏକ ରାଜ୍ୟ ଯାହା ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ମହାନତାର ଏକ ଶାଶ୍ୱତ ପ୍ରତୀକ ରୂପେ ସଗୌରବେ ଦଣ୍ଡାୟମାନ ରହିଛି । ଓଡ଼ିଆ ସଙ୍ଗୀତ, କଳା ଏବଂ ସାହିତ୍ୟ ଭାରତକୁ ଅଗଣିତ ମାର୍ଗରେ ସମୃଦ୍ଧ କରିଛି । ନିଜର ଦୃଢ଼ସଂକଳ୍ପ, ସରଳତା ଏବଂ ସ୍ନେହ ପାଇଁ ପରିଚିତ ଓଡ଼ିଶାର ଲୋକମାନେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି । ଓଡ଼ିଶା ଆଗାମୀ ଦିନରେ ପ୍ରଗତିର ନୂଆ ଶିଖର ଛୁଇଁବ ବୋଲି ଆଶା କରୁଛି ।

 

Also Read: ୯୦ ତମ ଉତ୍କଳ ଦିବସ ପାଳନ କରୁଛି ଓଡ଼ିଶା, ବରପୁତ୍ରଙ୍କୁ ମନେ ପକାଉଛନ୍ତି ଓଡ଼ିଆ

ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ମଧ୍ୟ ଉତ୍କଳ ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟପାଳ 'ଏକ୍ସ'ରେ ଲେଖିଛନ୍ତି, ରାଜ୍ୟର ସମସ୍ତ ପ୍ରିୟ ଭଉଣୀ ଓ ଭାଇମାନଙ୍କୁ #ଓଡ଼ିଶାଦିବସର ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ସ୍ୱତନ୍ତ୍ର ଓଡ଼ିଶା ଗଠନ ପାଇଁ  ଅତୁଳନୀୟ ଅବଦାନ ଦେଇ ଆମର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମ୍ମାନ ଓ ପରିଚୟ ଦେଇଥିବା ମହାପୁରୁଷମାନଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି । ଆସନ୍ତୁ, ଆମେ ସମସ୍ତେ ମିଳିମିଶି ଓଡ଼ିଶାର ଅସ୍ମିତା ଓ ଗୌରବକୁ ଅଧିକ ରୁଦ୍ଧିମନ୍ତ କରିବା ପାଇଁ ସଂକଳ୍ପ ନେବା ।

 

ସେହିଭଳି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 'ଏକ୍ସ'ରେ ଲେଖିଛନ୍ତି, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଏହି ପବିତ୍ର ଦିବସରେ ସମସ୍ତ ଓଡ଼ିଆ ଭାଇ ଓ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା । ଆମର ବରପୁତ୍ରମାନଙ୍କ ଅଦମ୍ୟ ସଂଘର୍ଷ ଓ ବଳିଦାନ ଯୋଗୁଁ ଆଜି ଆମେ ଏକ ସ୍ୱତନ୍ତ୍ର ପରିଚୟ ନେଇ ଗର୍ବର ସହ ଠିଆ ହୋଇଛୁ । ଆଜିର ଏହି ପବିତ୍ର ଅବସରରେ, ଆସନ୍ତୁ ଆମର ଗୌରବମୟ ଐତିହ୍ୟକୁ ପାଥେୟ କରି ଏକ ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ପୁନର୍ବାର ସଂକଳ୍ପବଦ୍ଧ ହେବା । କୃଷି, ଶିଳ୍ପ, ଶିକ୍ଷା ଓ ସଂସ୍କୃତିର ସମନ୍ୱୟରେ ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ିତୋଳିବା ।

 

ଉତ୍କଳ ଦିବସ ପାଇଁ ସଜେଇ ହୋଇଛି ସାରା ଓଡ଼ିଶା । ରଙ୍ଗୀନ ଓ ଚିକ ମିକ୍ ଆଲୋକ ମାଳାରେ ଝଲସୁଛି ରାଜଧାନୀ ଭୁବନେଶ୍ବର । ସଜେଇ ହୋଇଛି ସରକାରୀ ଦପ୍ତର । ବିଧାନସଭା ଠାରୁ ଆରମ୍ଭ କରି ଲୋକ ଭବନ, ଖାରବେଳ ଭବନ, ରାଜୀବ ଭବନ, AG ଅଫିସ, ଜୟଦେବ ଭବନ, ପୋଲିସ ସେବା ଭବନ, BDA ଅଫିସ ସମେତ ବିଭିନ୍ନ ସରକାରୀ ଦପ୍ତର ସଜେଇ ହୋଇଛି । ଅନେକ ସ୍ଥାନରେ ଉତ୍କଳ ଦିବସ ପାଳନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଉତ୍କଳ ଦିବସ ଠାରୁ ଓଡ଼ିଆ ପକ୍ଷ ପାଳନ ପାଇଁ ନିଷ୍ପତ୍ତି ହୋଇଛି ।