ଭୁବନେଶ୍ବର ୨୩।୧୦: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ବ୍ୟାପକ ପ୍ରସ୍ତୁତି । ୩୦ ଜିଲ୍ଲାରେ ପ୍ରଶାସନ ସଜାଗ, ୧୬ ଜିଲ୍ଲା ଉପରେ ସ୍ୱତନ୍ତ୍ର ନଜର । ସମ୍ଭାବ୍ୟ ବାତ୍ୟାକୁ ନେଇ ସଜାଗ ରାଜ୍ୟ ସରକାର । ବାତ୍ୟାର ମୁକାବିଲା ପାଇଁ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ପ୍ରସ୍ତୁତି ଜୋରଦାର କରାଯାଇଥିବା ବେଳେ ୧୬ଟି ଜିଲ୍ଲା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ତଳିଆ ଓ ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ ସହ ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସମସ୍ତ ବିଭାଗ ସହ ସମନ୍ୱୟ ବୈଠକ କରାଯାଇଛି । ଜିଲ୍ଲାସ୍ତରରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ପ୍ରସ୍ତୁତି ସମୀକ୍ଷା କରାଯାଇଛି । ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ସ୍କୁଲ ଓ କଲେଜ ଛୁଟି ଘୋଷଣା କରିବାକୁ ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଛି ।

ବାତ୍ୟା ମୁକାବିଲା ପାଇଁ ଓଡ୍ରାଫ୍, ଏନ୍ଡିଆରଏଫ୍ ଓ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖାଯାଇଛି । ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ଚିହ୍ନଟ କରି ଲୋକଙ୍କୁ ଆଜିଠାରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଲାଗି ବ୍ୟବସ୍ଥା ହୋଇଛି । ଆଶ୍ରୟସ୍ଥଳୀରେ ପାନୀୟ ଜଳ, ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସୁନିଶ୍ଚିତ କରିବା ସହ ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ପଦକ୍ଷେପ ନିଆଯାଉଛି । ଏଥିସହ ଏସ୍ଏମ୍ଏସ୍ ଜରିଆରେ ଲୋକଙ୍କୁ ସଚେତନ କରାଯାଉଛି ।

ଅନ୍ୟପଟେ, ଲୋକମାନେ ଘର ଛାଡ଼ି ଆଶ୍ରୟସ୍ଥଳୀକୁ ଯିବା ସମୟରେ ସେମାନଙ୍କ ଧନସମ୍ପତ୍ତିର ସୁରକ୍ଷା ଦାୟିତ୍ୱ ପୋଲିସ ନେବ । ଘରେ ଚୋରି ଓ ଲୁଟ୍ପାଟ୍ ରୋକିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ ଆସନ୍ତାକାଲି ସକାଳ ସୁଦ୍ଧା କୂଳକୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି ।

Also Read:- ଶକ୍ତିଶାଳୀ ହେଉଛି ବାତ୍ୟା ! ଓଡ଼ିଶା ଉପରେ ରହିପାରେ ଅଧିକ ପ୍ରଭାବ, ଦେଖନ୍ତୁ କ'ଣ କହିଲେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା

ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଅତିକ୍ରମ କରି ଛତିଶଗଡ଼ ଓ ଝାଡ଼ଖଣ୍ଡ ଆଡ଼କୁ ଯିବାର ଆକଳନ କରାଯାଉଥିଲେ ମଧ୍ୟ ଏହା କେଉଁଠି ସ୍ଥଳଭାଗ ଛୁଇଁବ, ସେନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ତେବେ ଉପରମୁଣ୍ଡରେ ବର୍ଷା ହେଲେ ନଦୀରେ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି ।

ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ନହୋଇ ପ୍ରଶାସନକୁ ସହଯୋଗ କରିବା ସହ ସୁରକ୍ଷିତ ସ୍ଥାନକୁ ଯିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦିଆଯାଇଛି । ବାତ୍ୟାର ଗତିପଥ ଓ ପ୍ରଭାବ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି ।

Watch Video: