ଭୁବନେଶ୍ବର ୨୨।୧୦: ଆସୁଛି ବାତ୍ୟା ! ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ଥିବା ପାଣିପାଗ ବିଶେଷଜ୍ଞ ମାନେ କହିଛନ୍ତି । ଅକ୍ଟୋବର ୨୩ ତାରିଖ ବେଳକୁ ଦକ୍ଷିଣ ପୂର୍ବ ଓ ପୂର୍ବ କେନ୍ଦ୍ର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ଆକଳନ କରାଯାଇଛି । ଏହା ପରେ ଅଧିକ ଘନୀଭୂତ ହୋଇ ୨୪ ବେଳକୁ ସଦୃଶ୍ୟ ଲଘୁଚାପ ଓ ୨୫ ତାରିଖ ଅପରାହ୍ନରେ ଅବପାତରେ ପରିଣତ ହେବାକୁ ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ୨୭ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେଇ ସିଭିଅର ସାଇକ୍ଲୋନ୍ ଭାବେ ଆନ୍ଧ୍ରପ୍ରଦେଶ ମୁହାଁ ହେବ । ୨୮ ତାରିଖରେ ଏହା ଉପକୂଳ ଛୁଇଁବ ବୋଲି ଆକଳନ କରାଯାଇଛି । ତେଣୁ ଅବପାତ ରୂପ ନେବା ପରେ ବାତ୍ୟାକୁ ନେଇ ସଠିକ୍ ଚିତ୍ର ସାମ୍ନାକୁ ଆସିବ ବୋଲି ପାଣିପାଗ ବିଶେଷଜ୍ଞ କହୁଛନ୍ତି । ଏହା ବାତ୍ୟାର ରୂପ ନେବା ପରେ ଅଧିକ ଶକ୍ତିଶାଳୀ ହେବାକୁ ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି ।

ଅନ୍ୟପଟେ ବଙ୍ଗୋପସାଗରରେ ସମ୍ଭାବ୍ୟ ଭୀଷଣ ବାତ୍ୟାକୁ ନେଇ ବଢ଼ିଲା ଚିନ୍ତା । ବର୍ତ୍ତମାନର ପାଣିପାଗ ମଡେଲ୍‌ର ଆକଳନ ଅନୁଯାୟୀ, ଆସନ୍ତା ଅକ୍ଟୋବର ୨୮ ତାରିଖ ପାଖାପାଖି ଆନ୍ଧ୍ରପ୍ରଦେଶର କାକିନାଡ଼ା ନିକଟରେ ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉପକୂଳ ଆନ୍ଧ୍ରପ୍ରଦେଶ ସମେତ ଓଡ଼ିଶା ଓ ଛତିଶଗଡ଼ର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । କେତେକ ସ୍ଥାନରେ ଜଳବନ୍ଦୀ ଓ ସ୍ଥାନୀୟ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ମଧ୍ୟ ଆଶଙ୍କା ରହିଛି ।

Also Read:- ଆସୁଛି ବାତ୍ୟା ! ନେବ କି ଭୀଷଣ ରୂପ ? ୨୫ ପରେ ସ୍ଥିତି ହେବ ସ୍ପଷ୍ଟ

ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି । ୨୬ ତାରିଖ ଅପରାହ୍ନରୁ ୭୫ରୁ ୧୦୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି । ଗଞ୍ଜାମ, ପୁରୀ, ଗଜପତି, ରାୟଗଡ଼ା, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କଟକ ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ପଡ଼ିପାରେ । ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢ଼ିବ ବର୍ଷାର ପରିମାଣ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ବଲାଙ୍ଗିର, ବରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ତେବେ ଏହା ବର୍ତ୍ତମାନର ମଡେଲ୍ ଆଧାରିତ ପ୍ରାରମ୍ଭିକ ଆକଳନ । ବାତ୍ୟାର ଗତିପଥ, ତୀବ୍ରତା ଓ ସ୍ଥଳଭାଗ ଛୁଇଁବା ସ୍ଥାନରେ ପରିବର୍ତ୍ତନ ହୋଇପାରେ ।

Watch Video: