ଭୁବନେଶ୍ବର ୨୩।୧୦: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ସକାଳେ ପୂର୍ବ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଅକ୍ଟୋବର ୨୪ରେ ଅବପାତ ଏବଂ ଅକ୍ଟୋବର ୨୫ରେ ଗଭୀର ଅବପାତର ରୂପ ନେବ । ଅକ୍ଟୋବର ୨୬ ସକାଳ ସୁଦ୍ଧା ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । ପରବର୍ତ୍ତୀ ୨ ଦିନ ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବ । ଯାହାକୁ ନେଇ ବାତ୍ୟ ଭୟ ବଢିବାରେ ଲାଗିଛି ।

ସମ୍ଭାବ୍ୟ ବାତ୍ୟାକୁ ନେଇ ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି SRC । ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି । ସବୁ ବିଭାଗକୁ ମଧ୍ୟ ଏନେଇ ଆଲର୍ଟ କରାଯାଇଛି । ଚିଠିରେ କୁହାଯାଇଛି ଯେ, ଶୁକ୍ରବାର ସକାଳ ସାଢେ ୫ଟାରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଶନିବାର ଏହା ଅବପାତର ରୂପ ନେବ । ପଶ୍ଚିମ-ଉତ୍ତର ଦିଗରେ ଏହା ଗତି କରି ୨୫ ତାରିଖରେ ଗଭୀର ଅବପାତର ରୂପ ନେବ । ୨୬ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେବ । ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ ।

ଆଇଏମଡି ପୂର୍ବାନୁମାନ ଅନୁସାରେ ଏହା ଭୀଷଣ ବାତ୍ୟା ନୁହେଁ ସାଧାରଣ ବାତ୍ୟା ଆକାରରେ ସ୍ଥଳଭାଗ ଛୁଇଁବ । କିନ୍ତୁ କିଛି ବିଦେଶୀ ପାଣିପାଗ ସଂସ୍ଥା କହିଛନ୍ତି, ଏହା ଭୀଷଣ ବାତ୍ୟାର ଆକାର ନେଇପାରେ । ୟୁରୋପୀୟ ମଡେଲ- ECMWFର ମ୍ୟାପ୍ ଅନୁସାରେ ବାତ୍ୟା ୨୮ ତାରିଖ ବେଳକୁ ଆନ୍ଧ୍ରପ୍ରଦେଶର ମଛଲି ପଟ୍ଟନମ୍ରେ ନିକଟରେ ସ୍ଥଳଭାଗ ଛୁଇଁ ଉତ୍ତରକୁ ମୁହାଁଇବ । ଏହା ଭୀଷଣ ବାତ୍ୟାର ରୂପ ନେଇପାରେ । ସେହିପରି ୱିଣ୍ଡି ଦେଇଥିବା ପୂର୍ବାନୁମାନ ମଧ୍ୟ ଅନୁରୂପ ରହିଛି । ବାତ୍ୟା ୨୭ ଓ ୨୮ ତାରିଖ ରାତିରେ ଆନ୍ଧ୍ର ପ୍ରଦେଶର ମଛଲି ପଟ୍ଟମନ୍ ନିକଟରେ ସ୍ଥଳଭାଗ ଛୁଇଁବ । ସେତେବେଳକୁ ଏହା ଭୀଷଣ ବାତ୍ୟା ଆକାରରେ ଥିବାରୁ ବଡ଼ କ୍ଷୟକ୍ଷତି କରିପାରେ । ଏହା ବାତ୍ୟାର ରୂପ ନେବା ପରେ ଅଧିକ ଶକ୍ତିଶାଳୀ ହେବା ନେଇ ପୂର୍ବାନୁମାନ କରିଛନ୍ତି ସୋଆ ସିଇସି ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ ।

Also Read:- ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ : ୨୬ ତାରିଖରେ ବାତ୍ୟା !

ତେବେ ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ । ବାତ୍ୟା ଯେଉଁଠି ମାଡ଼ ହେଲେ ବି ଓଡ଼ିଶା ଉପରେ ଏହାର ପ୍ରଭାବ ରହିବ । ୨୭ ତାରିଖରେ ଓଡ଼ିଶାର ଦକ୍ଷିଣ ଏବଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପବନର ବେଗ ୭୫ରୁ୧୦୦ କି.ମି. ରହିପାରେ । ଅକ୍ଟୋବର ୨୬ ଅପରାହ୍ନରୁ ବର୍ଷା ଆରମ୍ଭ ହେବ । ୨୮ ତାରିଖ ସକାଳ ଠାରୁ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି ।