ବଡ଼ବିଲ ୨୩।୧୦ :  ନଦୀରୁ ମିଳିଲା ଦୁଇ ମୃତଦେହ । ବୈତରଣୀ ନଦୀରୁ ମିଳିଲା ଦୁଇଟି ମୃତଦେହ । ଜଣେ ପାଣିରେ ବୁଡ଼ିବା ଲାଗି ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ହତ୍ୟା କରି ପୋଡି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଛାନ୍‌ଭିନ୍‌ କରୁଛି ।

ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଇଙ୍ଗାନୀଝରଣ ନିକଟସ୍ଥ ପିଛଲା ଘାଟ ବୈତରଣୀ ନଦୀ କୂଳରୁ ପୋଲିସ ଦୁଇଟି ମୃତଦେହ ଠାବ କରିଛି। ଉଦ୍ଧାର ହୋଇଥିବା ଦୁଇଟି ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ ମିଳିଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଅଜଣା ବ୍ୟକ୍ତିଙ୍କୁ ହତ୍ୟା ପରେ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ନଦୀରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି।

ତେବେ ଚିହ୍ନଟ ହୋଇଥିବା ମୃତକ ଜଣକ ହେଲେ ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡ଼ି ପେଣ୍ଠେଇ ବସ୍ତିର ୪୫ ବର୍ଷୀୟ ସନାତନ ପେଣ୍ଠେଇ ।  ଗତ ୨୧ ତାରିଖ ବୁଧବାର ସନାତନ ସାଙ୍ଗମାନଙ୍କ ସହ ଗୁରୁବେଡ଼ା ସ୍ଥିତ ବୈତରଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ପାଣି ସୁଅରେ ଭାସି ନିଖୋଜ ହୋଇଯାଇଥିଲେ। ମୃତଦେହଟି ଭାସି କୂଳରେ ଲାଗିଥିବା ଅନୁମାନ କରାଯାଉଛି । ଅଗ୍ନିଶମ ବାହିନୀର ସହାୟତାରେ ନଦୀରୁ ସନାତନଙ୍କ ମୃତଦେହ  ଉଦ୍ଧାର କରାଯାଇଛି। ବାମେବାରୀ ପୋଲିସ ମୃତଦେହକୁ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Also Read:-ରବିବାର ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାଣନ୍ତୁ ପୂରା କାର୍ଯ୍ୟସୂଚୀ

ଅନ୍ୟପଟେ ନଦୀର ଅପର ପାର୍ଶ୍ୱରେ ଭାସୁଥିବା ୨ୟ ମୃତଦେହଟି ଏକ ଅଜଣା ବ୍ୟକ୍ତିଙ୍କର । ତାଙ୍କ ଦୁଇ ହାତ ପଛପଟକୁ ବନ୍ଧା ହୋଇଥିବା ସହ ଶରୀରଟି ଅର୍ଦ୍ଧଦଗ୍ଧ ଅବସ୍ଥାରେ ନଦୀରେ ଭାସୁଥିବା ଦେଖିବାକୁ ମିଳିଛି । ନଦୀ କୂଳର ପଥର ଚଟାଣରେ ରକ୍ତର ଛିଟା ଏବଂ ପୋଡ଼ା ପାଉଁଶ ପଡ଼ିଥିବା ଦେଖିବାକୁ ମିଳିଛି ।  ଉକ୍ତ ବ୍ୟକ୍ତିଙ୍କୁ ପ୍ରଥମେ ହତ୍ୟା କରାଯାଇ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରାଯାଇଥିଲା । ପରେ ମୃତଦେହକୁ ନଦୀକୁ ଫିଙ୍ଗି ଦିଆଯାଇଛି।

ଏହି ଘଟଣାରେ ଯୋଡ଼ା ଥାନା ଆଇଆଇସି ଓ ଅନ୍ୟ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍‌ଟିମକୁ ମଧ୍ୟ ଡକାଯାଇଛି । ଘଟଣାସ୍ଥଳରୁ ରକ୍ତ ଓ ଅନ୍ୟାନ୍ୟ ନମୁନା ସଂଗ୍ରହ କରାଯାଇଛି। ଏସହିତ ଅଜଣା ମୃତଦେହର ପରିଚୟ ଖୋଜିବା ଏବଂ ସମ୍ଭାବ୍ୟ ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଛି ଯୋଡ଼ା ପୋଲିସ।