ମାଞ୍ଚେଷ୍ଟର: ଟିମ୍ ଇଣ୍ଡିଆ ପାଇଁ ଏପର୍ଯ୍ୟନ୍ତ ବୈଭବ ସୂର୍ଯ୍ୟବଂଶୀ ଡେବ୍ୟୁ କରି ନଥିବା ବେଳେ ଇଂଲଣ୍ଡ ଅଲରାଉଣ୍ଡର ସାମ୍ କରନ ତାଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ସୂର୍ଯ୍ୟବଂଶୀ ବର୍ତ୍ତମାନ ତାଙ୍କ ଫର୍ମକୁ ଏନଜୟ କରୁଛନ୍ତି। ହେଲେ ଆମ ପାଖରେ ତାଙ୍କୁ ଅଟକାଇବାର ପ୍ଲାନ୍ ଅଛି ବୋଲି କହିଛନ୍ତି ସାମ କରନ।

ଜୁଲାଇ ୪ରେ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ବୈଭବ ଖେଳିବା ନେଇ ଚର୍ଚ୍ଚା ହେଉଛି। ହେଲେ ତା ପୂର୍ବରୁ ଇଂଲଣ୍ଡର ଏହି ଅଲ୍ରାଉଣ୍ଡର କହିଛନ୍ତି ଯେ, ବୈଭବଙ୍କୁ ଅଟକାଇବା ପାଇଁ ଇଂଲଣ୍ଡ ଦଳ ପୂର୍ବରୁ ଯୋଜନା ପ୍ରସ୍ତୁତ କରିସାରିଛି।

ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିବା ପରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଭାରତର ସବୁଠୁ ଯୁବ ପ୍ରତିଭାଶାଳୀ କ୍ରିକେଟର ଭାବରେ ଦେଖାଯାଉଛି। ଚେଷ୍ଟର-ଲି-ଷ୍ଟ୍ରିଟରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ବର୍ଷା ଯୋଗୁ ବାତିଲ ହୋଇଥିଲେ ମଧ୍ୟ, ଭାରତ ୭ ୱିକେଟରେ ୧୮୯ ରନ୍ କରିଥିଲା। ହେଲେ ଆୟର୍ଲ୍ୟାଣ୍ଡ ଭଳି ଏହି ମ୍ୟାଚ୍ରେ ବି ବୈଭବଙ୍କୁ ସୁଯୋଗ ମିଳିନଥିଲା। କିନ୍ତୁ ଦ୍ୱିତୀୟ ମ୍ୟାଚ୍ରେ ତାଙ୍କୁ ସାମିଲ କରାଗଲେ ତାଙ୍କର ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ପରୀକ୍ଷା ହୋଇଯାଆନ୍ତା ବୋଲି କୁହାଯାଉଛି।

'ଇଂଲଣ୍ଡର ପିଚ୍ ଭିନ୍ନ ଚ୍ୟାଲେଞ୍ଜ ଦେବ'

ସାମ୍ କରନ କହିଛନ୍ତି ଯେ ବୈଭବ ବର୍ତ୍ତମାନ ନିଜ କ୍ୟାରିୟରର ସର୍ବୋତ୍ତମ ଫର୍ମରେ ଅଛନ୍ତି। ତେବେ ଭାରତ ତୁଳନାରେ ଇଂଲଣ୍ଡର ପରିବେଶ ଓ ପିଚ୍ ସମ୍ପୂର୍ଣ୍ଣ ଭିନ୍ନ ଚ୍ୟାଲେଞ୍ଜ ସୃଷ୍ଟି କରିବ।

ଏନେଇ ସେ କହିଛନ୍ତି, "ଇଂଲଣ୍ଡରେ ତାଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ପରୀକ୍ଷାର ସାମ୍ନା କରିବାକୁ ପଡ଼ିବ। ଏଠାର ପିଚ୍ ଭାରତ ତୁଳନାରେ ମନ୍ଥର ଏବଂ ସ୍ୱତନ୍ତ୍ର। ବୋଲର ଭାବେ ତାଙ୍କ(ବୈଭବ ସୂର୍ଯ୍ୟବଂଶୀ) ବିପକ୍ଷରେ ଆମର ନିଶ୍ଚିତ ଯୋଜନା ରହିଛି। ହେଲେ ସେହି ଯୋଜନା ସଫଳ ହେବ କି ନାହିଁ, ତାହା କହିହେବ ନାହିଁ। କାରଣ ସେ ବର୍ତ୍ତମାନ ବହୁତ ଭଲ ବ୍ୟାଟିଂ କରୁଛନ୍ତି। ସେ ଏବେ ବହୁତ କଞ୍ଚା ଖେଳାଳି ଏବଂ ନିଜ କ୍ରିକେଟ ଜୀବନର ସର୍ବୋତ୍ତମ ସମୟକୁ ଉପଭୋଗ କରୁଛନ୍ତି।"

'ଚାପକୁ ସମ୍ଭାଳିବା ହିଁ ହେବ ସବୁଠୁ ବଡ଼ ପରୀକ୍ଷା'

ଆଇପିଏଲରେ ଦୀର୍ଘ ଅଭିଜ୍ଞତା ଥିବା କରନ କହିଛନ୍ତି ଯେ, ଭାରତ ପାଇଁ ଖେଳିବା ସହିତ ଯେଉଁ ବିପୁଳ ଆଶା ଓ ଚାପ ଆସେ, ତାହାକୁ ସମ୍ଭାଳିବା ବୈଭବଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ।

ସାମ କରନ କହିଛନ୍ତି "ମୁଁ ଭାରତରେ ଖେଳିବାର ଅନୁଭବ ରଖିଛି। କିନ୍ତୁ ଭାରତରେ ଜଣେ ଭାରତୀୟ କ୍ରିକେଟର ହୋଇ ଖେଳିବାର ଚାପ ସମ୍ପୂର୍ଣ୍ଣ ଅଲଗା ସ୍ତରର। ସବୁ ଲୋକଙ୍କ ନଜର ଓ ଆଶାକୁ ସେ କିଭଳି ସମ୍ଭାଳିପାରୁଛନ୍ତି, ତାହା ହିଁ ତାଙ୍କର ସବୁଠୁ ବଡ଼ ପରୀକ୍ଷା ହେବ।"

କପିଲ ଦେବଙ୍କ ପରି ସାମ କରନ ମଧ୍ୟ ବୈଭବଙ୍କୁ ସମୟ ଦେବା ଦରକାର ବୋଲି କହିଛନ୍ତି। ବୈଭବଙ୍କୁ ନେଇ ଅତ୍ୟଧିକ ଆଶା ନ ରଖିବାକୁ ସେ ପରାମର୍ଶ ଦେଇଛନ୍ତି।

ଏନେଇ ଇଂଲଣ୍ଡ ଅଲ ରାଉଣ୍ଡର କହିଛନ୍ତି, "ସେ ମାତ୍ର ଗୋଟିଏ କିମ୍ବା ଦୁଇଟି ଆଇପିଏଲ୍ ସିଜନ୍ ଖେଳିଛନ୍ତି ଏବଂ ଏତେ ଶୀଘ୍ର ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ନିଶ୍ଚିତ ଭାବେ ତାଙ୍କ ଚାରିପାଖରେ ଭଲ ଲୋକ ଅଛନ୍ତି, ଯେଉଁମାନେ ତାଙ୍କୁ ମାର୍ଗଦର୍ଶନ କରିବେ। କିନ୍ତୁ ଜଣେ ଖେଳାଳି ଡେବ୍ୟୁ କରିବା ପରେ ହିଁ ତାଙ୍କର ପ୍ରକୃତ କ୍ଷମତା ଜଣାପଡ଼େ। ଅନ୍ୟ ସମସ୍ତଙ୍କ ପରି ତାଙ୍କ କ୍ୟାରିୟରରେ ମଧ୍ୟ ଉତ୍ଥାନ-ପତନ ଆସିବ।"

ଦ୍ୱିତୀୟ ଟି-୨୦ରେ ଖେଳିପାରନ୍ତି ବୈଭବ!

ପ୍ରଥମ ଟି-୨୦ରେ ଭାରତ ଅଭିଜ୍ଞ ଟପ୍ ଅର୍ଡର ଉପରେ ଭରସା କରିଥିଲା ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କୁ ଅନ୍ତର୍ଜାତୀୟ ଡେବ୍ୟୁ କରିବାକୁ ସୁଯୋଗ ମିଳିନଥିଲା। ତେବେ ଓପନର ସଞ୍ଜୁ ସାମସନଙ୍କ ଲଗାତର ଅସ୍ଥିର ପ୍ରଦର୍ଶନ ଯୋଗୁ ବୈଭବଙ୍କୁ ଦଳରେ ସାମିଲ କରିବା ପାଇଁ ଦାବି ଜୋର ଧରୁଛି। ତେଣୁ ଦ୍ୱିତୀୟ ଟି-୨୦ ପୂର୍ବରୁ ଟିମ୍ ମ୍ୟାନେଜମେଣ୍ଟ ପାଇଁ ଚୟନ ଏକ ବଡ଼ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ତେଣୁ ମାଞ୍ଚେଷ୍ଟର ମ୍ୟାଚ୍ରେ ବୈଭବଙ୍କୁ ସୁଯୋଗ ମିଳୁଛି କି ନାହିଁ,ତା ଉପରେ ସମସ୍ତଙ୍କ ନଜର ରହିଛି।