ଭୁବନେଶ୍ୱର ୨୧।୧୧ : ରାଜଧାନୀ ଭୁବନେଶ୍ୱରରେ ବିଳମ୍ବିତ ରାତିରେ କାର୍ର ଆତଙ୍କ । ପଳାଶୁଣିରୁ ଫୁଲନଖରା ଯାଏଁ ଆତଙ୍କ ଖେଳାଇଲା ଏକ ଦ୍ରୁତଗାମୀ କାର୍ । ରାସ୍ତାରେ ଯାହାକୁ ପାଇଲା ତାକୁ ଧକ୍କା ଦେଇ ଚାଲିଗଲା । ଗୋଟିଏ ପରେ ଗୋଟିଏ ଗାଡ଼ିକୁ ଧକ୍କା ଦେବା ସହ ଏକାଧିକ ଲୋକଙ୍କୁ ଆହତ କରି ଘଟଣାସ୍ଥଳରୁ ଫେରାର ହୋଇଗଲା କାର୍ ଚାଳକ । ଏହାକୁ ନେଇ ରାତିରେ ରାସ୍ତାରେ ଆତଙ୍କ ଓ ଚିନ୍ତାର ବାତାବରଣ ସୃଷ୍ଟି ହୋଇଥିଲା ।

ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ପଳାଶୁଣି ଛକରୁ ଫୁଲନଖରା ଅଭିମୁଖେ ଯାଉଥିବା ଏହି କାର୍ ବିଭିନ୍ନ ସ୍ଥାନରେ ଏକାଧିକ ଗାଡ଼ିକୁ ଧକ୍କା ଦେଇଥିଲା । ଗାଡ଼ି ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ରାସ୍ତାରେ ଯାଉଥିବା ଅନ୍ୟ ଯାତ୍ରୀମାନେ ଦୁର୍ଘଟଣାର ଶିକାର ହୋଇଥିଲେ । ଧକ୍କା ଦେବା ପରେ ଅଟକିବା ବଦଳରେ କାର୍ଟି ଆଗକୁ ମାଡ଼ି ଚାଲିଥିଲା । ଏପରିକି ଆହତଙ୍କୁ ସହାୟତା କରିବା କିମ୍ବା ଦୁର୍ଘଟଣା ସମ୍ପର୍କରେ ପୋଲିସକୁ ଜଣାଇବା ପରିବର୍ତ୍ତେ ଚାଳକ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଏହି ହିଟ୍ ଆଣ୍ଡ ରନ୍ ଘଟଣାରେ ଦୁଇରୁ ଅଧିକ ଗାଡ଼ି ଚାଳକ ଗୁରୁତର ଆହତ ହୋଇଛନ୍ତି । ଜଣେ ମହିଳା ସ୍କୁଟି ଚାଳକଙ୍କୁ କାର୍ଟି ପଛପଟୁ ଜୋରଦାର ଧକ୍କା ଦେଇଥିଲା । ଫଳରେ ମହିଳା ଜଣକ ରାସ୍ତାରେ ପଡ଼ି ଗୁରୁତର ଆହତ ହୋଇଥିଲେ । ଅନ୍ୟ ଗାଡ଼ି ଚାଳକମାନେ ମଧ୍ୟ ଏହି ଦୁର୍ଘଟଣାରେ ଆହତ ହୋଇଥିବା ଜଣାପଡ଼ିଛି ।

Also Read:-ଶ୍ରୀମନ୍ଦିରରେ ମହାପଞ୍ଚୁକ, ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ଦୁର୍ଘଟଣା ପରେ ସମସ୍ତ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି । ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି । ଆହତଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ତେବେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବିସ୍ତୃତ ତଥ୍ୟ ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ଅନ୍ୟପଟେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଓ ଛାନଭିନ୍ ଆରମ୍ଭ କରିଛି । କେଉଁ କାର୍ ଏହି ଦୁର୍ଘଟଣା ଘଟାଇଲା ? କିଏ ଗାଡ଼ି ଚଳାଉଥିଲେ ? କେଉଁ କେଉଁ ସ୍ଥାନରେ କାର୍ଟି ଅନ୍ୟ ଗାଡ଼ିକୁ ଧକ୍କା ଦେଇଥିଲା ? ଏସବୁ ଦିଗକୁ ନେଇ ତଦନ୍ତ ଚାଲିଛି । ରାସ୍ତାରେ ଲାଗିଥିବା ସିସିଟିଭି କ୍ୟାମେରା ଓ ଅନ୍ୟ ଉପଲବ୍ଧ ପ୍ରମାଣ ଯାଞ୍ଚ କରି କାର୍ଟିର ପରିଚୟ ଜାଣିବାକୁ ପୋଲିସ ଉଦ୍ୟମ କରୁଛି । ବର୍ତ୍ତମାନ ସୁଦ୍ଧା ଫେରାର କାର୍ ଓ ଏହାର ଚାଳକଙ୍କ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିନାହିଁ । ତେବେ ଦୁର୍ଘଟଣା ଘଟାଇ ଫେରାର ହୋଇଥିବା ଚାଳକଙ୍କୁ ଚିହ୍ନଟ କରିବା ସହ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।