ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ମ୍ୟାନଚେଷ୍ଟରରେ ଖେଳାଯିବ । ଏହା ପୂର୍ବରୁ ସମସ୍ତଙ୍କ ନଜର ଏବେ ୧୫ ବର୍ଷୀୟ ବ୍ୟାଟିଂ ବିସ୍ଫୋରଣ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଅଟକିଛି । ପ୍ରଥମ ଟି-୨୦ ମ୍ୟାଚରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳି ନ ଥିବା ବେଳେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଛି । ଦ୍ୱିତୀୟ ମ୍ୟାଚ୍ ପୂର୍ବରୁ ବିସିସିଆଇ ପକ୍ଷରୁ ସେୟାର କରାଯାଇଥିବା ଏକ ଭିଡିଓରେ ବୈଭବଙ୍କୁ ଦେଖିବାକୁ ମିଳିବା ପରେ ସୋସିଆଲ ମିଡିଆରେ ପ୍ରଶଂସକମାନେ ବୋର୍ଡକୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।

ବିସିସିଆଇ ଉପରେ ବର୍ଷିଲେ ପ୍ରଶଂସକ

ଟିମ୍ ଇଣ୍ଡିଆର ଡରହାମରୁ ମ୍ୟାନଚେଷ୍ଟର ଯାତ୍ରାର ଏକ ଭିଡିଓ ବିସିସିଆଇ ଏକ୍ସରେ ପୋଷ୍ଟ କରିଛି । ଭିଡିଓର ଆରମ୍ଭ ବୈଭବ ସୂର୍ଯ୍ୟବଂଶୀଙ୍କ ଝଲକରୁ ହୋଇଥିଲା । ଏହାକୁ ନେଇ ୟୁଜର କହିଛନ୍ତି, "ଯଦି ଭିଡିଓର ଆରମ୍ଭ ବୈଭବଙ୍କଠାରୁ ହେଉଛି, ତେବେ ଦ୍ୱିତୀୟ ଟି-୨୦ରେ ଭାରତୀୟ ବ୍ୟାଟିଂର ଆରମ୍ଭ ମଧ୍ୟ ସେ କରିବା ଦରକାର ।" କିଛି ୟୁଜର ଅଭିଯୋଗ କରିଛନ୍ତି ଯେ ଦଳ ବୈଭବଙ୍କୁ କେବଳ ଭିୟୁଜ୍ ଏବେ ଟିକେଟ୍ ବିକ୍ରି ପାଇଁ ବ୍ୟବହାର କରୁଛି, କିନ୍ତୁ ମ୍ୟାଚ୍ ଖେଳିବାକୁ ସୁଯୋଗ ଦେଉନାହିଁ ।

 

ସଞ୍ଜୁ ସାମସନ ଏବଂ ତିଲକ ବର୍ମାଙ୍କ ଉପରେ ବଢ଼ିଲା ଚାପ

ଅନେକ କିମ୍ୱଦନ୍ତୀ କ୍ରିକେଟର ବୈଭବଙ୍କୁ ତୁରନ୍ତ ଦଳରେ ସାମିଲ କରିବା ସପକ୍ଷରେ ବୟାନ ଦେଇଛନ୍ତି । ଆୟର୍ଲ୍ୟାଣ୍ଡ ଗସ୍ତରେ ଫ୍ଲପ୍ ହୋଇଥିବା ସଞ୍ଜୁ ସାମସନ ଏବଂ ମଧ୍ୟକ୍ରମରେ ଫେଲ୍ ମାରୁଥିବା ତିଲକ ବର୍ମାଙ୍କ ପାଇଁ ଏବେ ଚାପ ବଢ଼ିଯାଇଛି । ଯଦି ଦଳ ବୈଭବଙ୍କୁ ସ୍ଥାନ ଦେବାକୁ ଚାହେଁ, ତେବେ ଖରାପ ଫର୍ମ ଦେଇ ଗତି କରୁଥିବା ଖେଳାଳିଙ୍କୁ ବେଞ୍ଚରେ ବସାଇବାକୁ ପଡ଼ିବ ।

ଇତିହାସ ରଚିବା ଅପେକ୍ଷାରେ ବୈଭବ

ଟିମ୍ ମ୍ୟାନେଜମେଣ୍ଟ ସଂକେତ ଯେ ବୈଭବଙ୍କୁ ଦଳରେ ଶୀଘ୍ର ସାମିଲ କରାଯିବ ନାହିଁ । କାରଣ ବୈଭବ କେବଳ ଜଣେ ଯୁବ ଖେଳାଳି ନୁହଁନ୍ତି, ବରଂ ତାଙ୍କୁ ଭାରତୀୟ କ୍ରିକେଟର ପରବର୍ତ୍ତୀ ବଡ଼ ପ୍ରୋଜେକ୍ଟ ଭାବରେ ବିବେଚନା କରାଯାଉଛି । ୧୫ ବର୍ଷ ବୟସରେ ଜାତୀୟ ଦଳରେ ପହଞ୍ଚିବା ଦର୍ଶାଉଛି ଯେ ଚୟନକର୍ତ୍ତାମାନେ ତାଙ୍କୁ କେତେ ଗମ୍ଭୀରତାର ସହିତ ଦେଖୁଛନ୍ତି । ଘରୋଇ କ୍ରିକେଟ୍ ଏବଂ ଆଇପିଏଲରେ ତାଙ୍କର ନିର୍ଭୀକ ବ୍ୟାଟିଂ ସ୍ପଷ୍ଟ କରିଦେଇଛି ଯେ ସେ କେବଳ ଭବିଷ୍ୟତ ପାଇଁ ଏକ ନିବେଶ ନୁହନ୍ତି, ଆବଶ୍ୟକ ହେଲେ ବର୍ତ୍ତମାନ ପାଇଁ ମଧ୍ୟ ଭଲ ବିକଳ୍ପ ।

ଯଦି ମ୍ୟାନଚେଷ୍ଟର ଟି-୨୦ରେ ୧୫ ବର୍ଷୀୟ ଏହି ଓପନରଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳେ, ତେବେ ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ । ସବୁଠାରୁ କମ୍ ବୟସରେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାରେ ଇତିହାସ ରଚିବେ । ଏବେ ଦେଖିବାକୁ ବାକି ରହିଲା ଅଧିନାୟକ ଶ୍ରେୟସ ଆୟର ଏବଂ କୋଚିଂ ଷ୍ଟାଫ୍ ବୈଭବଙ୍କ ସୁଯୋଗ ଦେଉଛନ୍ତି ନା ସିନିୟର ଖେଳାଳିଙ୍କ ଉପରେ ପୁଣି ଭରସା କରୁଛନ୍ତି ।