ଭୁବନେଶ୍ୱର ୧୮।୧୧: ସାମ୍ପ୍ରତିକ ବାତ୍ୟା ପରିସ୍ଥିତିରେ ରାଜ୍ୟରେ ଜରୁରୀକାଳୀନ ପ୍ରଶାସନିକ ଆବଶ୍ୟକତା ତଥା ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆସନ୍ତା ୧୮ରୁ ୨୨ ନଭେମ୍ବର ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।

ଏହି ଅବଧି ମଧ୍ୟରେ ଛୁଟିରେ ଥିବା ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ତୁରନ୍ତ ନିଜ ନିଜ କାର୍ଯ୍ୟସ୍ଥଳରେ ଯୋଗଦେବାକୁ କୁହାଯାଇଛି । ଏଥିସହ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିଜ ନିଜ ଦାୟିତ୍ୱ ନିର୍ବାହରେ ସଜାଗ ଓ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

Also Read:- ବାତ୍ୟାକୁ ନେଇ SRCଙ୍କ ବଡ଼ ନିଷ୍ପତ୍ତି, ୬ ଜିଲ୍ଲାରେ ତିନି ଦିନ ବନ୍ଦ ରହିବ ସ୍କୁଲ

ଉଲ୍ଲେଖଯୋଗ୍ୟ ଯେ, ଭୀଷଣ ବାତ୍ୟା 'ଅକଭାନ୍'ର ଗତିପଥ ବଦଳିଛି । ଉତ୍ତର ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 'ଅକଭାନ୍'। ଘଣ୍ଟାପ୍ରତି ୭ କି.ମି. ବେଗରେ ଆଗକୁ ବଢୁଛି 'ଅକଭାନ୍'। କଳିଙ୍ଗପଟ୍ଟନମ୍-ଗୋପାଳପୁର-ପୁରୀ ମଧ୍ୟରେ କରିପାରେ ଲ୍ୟାଣ୍ଡଫଲ୍ । ଗୋପାଳପୁର ଠାରୁ ୭୦୦ କି.ମି., ପୁରୀ ଠାରୁ ୭୫୦ କି.ମି. ଦୂରରେ ଏବଂ ବିଶାଖାପଟନମ୍ ଠାରୁ ୫୮୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି । ବାତ୍ୟା ଅତିକ୍ରମ କରିବା ସମୟରେ ଘଣ୍ଟା ପ୍ରତି ୧୦୦ରୁ ୧୧୦ କି.ମି. ଗେବରେ ପବନ ବହିବ । ଏହି ସମୟରେ ଝଟ୍କା ପବନ ୧୨୦ କି.ମି. ପର୍ଯ୍ୟନ୍ତ ରହିବ । ବାତ୍ୟା ପ୍ରଭାବରେ ୧୯ ଏବଂ ୨୦ ତାରିଖରେ ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।