କଟକ ୨୧।୧୧: ବର୍ଷା ଭିଜା ବାଲିଯାତ୍ରା ପଡିଆକୁ ସଜାଡ଼ିବା ଲାଗି ଏବେ ଖୁବ କସରତ ଚାଲିଛି, କାରଣ, ହାତରେ ଆଉ ମାତ୍ର ୨ ଦିନ ସମୟ । ଶୁକ୍ରବାର ଅପରାହ୍ନ ସୁଦ୍ଧା କଟକ ବାଲିଯାତ୍ରା ପଡିଆର ଅବସ୍ଥା ବେହାଲ ଥିଲା । ଯୁଆଡେ ଅନାଇଲେ କେବଳ ପାଣି ଏବଂ କାଦୁଅ । ହେଲେ ଆଜି ପାଗ ବଦଳିବା ସହ ଯାତ୍ରା ପଡିଆର ଚିତ୍ର ବି ବଦଳିଛି । ଯେଉଁ ମୁଖ୍ୟ ରାସ୍ତାରେ ପାଣି ଜମିଥିଲା, ଆଜି ସେସବୁ ସ୍ଥାନରେ ସୃଷ୍ଟି ହୋଇଥିବା ଗାତରେ ପଡୁଛି ବାଲି ଏବଂ ବଜୂରୀ । ମୁଖ୍ୟ ପେଣ୍ଡାଲ ସାମ୍ନାରେ ଟ୍ରିପ ଟ୍ରିପ ବଜୂରୀ ବିଛା ସାରିଲାଣି, ଅବଶିଷ୍ଟ ସ୍ଥାନ ଗୁଡିକରେ ରାସ୍ତାକୁ ମରାମତି କରିବାରେ ବଡ଼ ବଡ଼ ମେସିନ ସବୁ ଲାଗିଛି ।

ଗତ ରାତିରେ ଉଭୟ ଅଗ୍ନିଶମ ବାହିନୀ ଏବଂ କେଏମ୍‌ସି ଇଞ୍ଜିନିୟରିଂ ଟିମ୍ ମିଳିତ ଭାବେ ଯାତ୍ରା ପଡିଆରୁ ବର୍ଷା ଜଳ ନିଷ୍କାସନ କରିଥିଲେ । ଆଜି ପୂର୍ତ୍ତ ବିଭାଗ ପଡିଆକୁ ସମତଳ କରିବାର ଦାୟିତ୍ୱ ନେଇଛି, ଶନିବାର ସନ୍ଧ୍ୟା କିମ୍ବା ରବିବାର ପୂର୍ବାହ୍ନ ସୁଦ୍ଧା ବାଲିଯାତ୍ରା ପଡିଆ ବ୍ୟବହାର ଯୋଗ୍ୟ ହୋଇଯିବ ବୋଲି କୁହାଯାଉଛି ।

ସେପଟେ ପାଗ ଅନୁକୂଳ ହେବାରୁ ଯାତ୍ରା ପଡିଆରେ ଏବେ ପ୍ରସ୍ତୁତି ପର୍ବ ଆଗେଇଛି । ଶୁକ୍ରବାର ସୁଦ୍ଧା ଯେଉଁ ଦୋଳି ମାଲିକ ମାନେ ରାଜଗାରର ଆଶା ଛାଡିଦେଇଥିଲେ, ଆଜି ସେମାନେ ପୁନଃନିର୍ମାଣରେ ଲାଗି ପଡିଛନ୍ତି । ଷ୍ଟଲ୍ ଗୁଡିକର ନିର୍ମାଣ କାର୍ଯ୍ୟରେ ମଧ୍ୟ ଲାଗି ପଡିଲେଣି କାରିଗର । ତେବେ ଗଣକବି ବୈଷ୍ଣବ ପାଣି ମଞ୍ଚର ନିର୍ମାଣ କାମ ଟିକିଏ ଧିମେଇ ଯାଇଛି । ଯେହେତୁ ଏହି ମଞ୍ଚରେ ବସିବେ ରାଷ୍ଟ୍ରପତି, ତେଣୁ ନିର୍ମାଣ କାମ ପାଇଁ ଅଧିକ ସାବଧାନତା ଅବଲମ୍ବନ କରାଯାଉଛି । ତଥାପି ୭୦ ପ୍ରତିଶତ କାମ ସଜାଇଥିବା କହୁଛନ୍ତି ନିର୍ମାଣକାରୀ ସଂସ୍ଥା ।

Also Read:- ମଝି ନଈରେ ମାରପିଟ, ବିପଦରେ ଯାତ୍ରୀଙ୍କ ଜୀବନ ! ତଦନ୍ତ ନିର୍ଦ୍ଦେଶ

ତେବେ ଖୁସିର କଥା ହେଲା, ବାଲିଯାତ୍ରା ପଡିଆରେ ବିଦ୍ୟୁତ ସଂଯୋଗ କାମ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଁଞ୍ଚି ସାରିଛି । ପ୍ରାୟ ସମସ୍ତ ଜାଗାରେ ଟ୍ରାନ୍ସଫର୍ମର ବସିଯାଇଛି, ଆଉ କିଛିଟା ଆନୁସଙ୍ଗିକ କାର୍ଯ୍ୟ ସରିଗଲେ ଆସନ୍ତା କାଲି ପରୀକ୍ଷାମୂଳକ ଭାବେ ଯାତ୍ରା ପଡିଆକୁ ବିଦ୍ୟୁତ ସଂଯୋଗ ଦିଆଯିବ ।