ମୁମ୍ଵାଇ ୨୫।୧୧; ମିସ୍ ୟୁନିଭର୍ସ ୨୦୨୬ ବିଜେତା ଘୋଷଣା । ପୁଏର୍ତୋ ରିକୋର ଜେନିଫର ବାରେଟୋଙ୍କ ମୁଣ୍ଡରେ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ । ଟପ୍-୧୨ରୁ ବାଦ୍ ପଡ଼ିଲେ ଭାରତର କାଜିଆ । ବିଶ୍ୱର ସବୁଠାରୁ ପ୍ରତିଷ୍ଠିତ ସୁନ୍ଦରୀ ପ୍ରତିଯୋଗିତା ‘ମିସ୍ ୟୁନିଭର୍ସ ୨୦୨୬’ର ବିଜେତା ଘୋଷିତ ହୋଇଛନ୍ତି ଜେନିଫର ବାରେଟୋ । ଭେନେଜୁଏଲା ଓ ଡୋମିନିକାନ୍ ରିପବ୍ଲିକର ପ୍ରତିଯୋଗୀଙ୍କୁ ପଛରେ ପକାଇ ମୁକୁଟ ଜିତିଛନ୍ତି ପୁଏର୍ତୋ ରିକୋର ଜେନିଫର ବାରେଟୋ ।

ଭାରତ ପକ୍ଷରୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କେରଳର ୧୯ ବର୍ଷୀୟା ଆଇନ ଛାତ୍ରୀ କାଜିଆ ଲିଜ୍ ମେଜୋ ଟାଇଟଲ୍ ଦୌଡ଼ରୁ ବାଦ୍ ପଡ଼ିଛନ୍ତି । କେରଳର ପ୍ରଥମ ଯୁବତୀ ଭାବେ ମିସ୍ ୟୁନିଭର୍ସ ଇଣ୍ଡିଆ ମୁକୁଟ ଜିତି ସେ ପୂର୍ବରୁ ଇତିହାସ ରଚିଥିଲେ । ତେବେ ମୁଖ୍ୟ ପ୍ରତିଯୋଗିତାରେ ତାଙ୍କ ଯାତ୍ରା ଇଭିନିଂ ରାଉଣ୍ଡ ପୂର୍ବରୁ ଶେଷ ହୋଇଯାଇଛି । ସେ ଶ୍ରେଷ୍ଠ ୧୨ ଜଣଙ୍କ ମଧ୍ୟରେ ମଧ୍ୟ ସ୍ଥାନ ପାଇପାରିନାହାନ୍ତି । ତଥାପି ଏତେ ବଡ଼ ଅନ୍ତର୍ଜାତୀୟ ମଞ୍ଚରେ ଭାରତର ପ୍ରତିନିଧିତ୍ୱ କରିବା ତାଙ୍କ ପାଇଁ ଏକ ବଡ଼ ଉପଲବ୍ଧି ।

ପୁଏର୍ତୋ ରିକୋର ଜେନିଫର ବାରେଟୋ ଚମତ୍କାର ପ୍ରଦର୍ଶନ କରି ଏହି ସମ୍ମାନଜନକ ମୁକୁଟ ଜିତିଛନ୍ତି । ଗ୍ରାଣ୍ଡ୍ ଫିନାଲେ ମଞ୍ଚରେ ବିଜେତା ଭାବେ ଜେନିଫରଙ୍କ ନାମ ଘୋଷଣା ହେବା ମାତ୍ରେ ଉପସ୍ଥିତ ଦର୍ଶକ କରତାଳି ଦେଇ ତାଙ୍କୁ ସ୍ୱାଗତ କରିଥିଲେ । ବିଶ୍ୱର ବିଭିନ୍ନ ଦେଶରୁ ଆସିଥିବା ପ୍ରତିଯୋଗୀଙ୍କୁ କଡ଼ା ଟକ୍କର ଦେଇ ଜେନିଫର ନିଜର ଆତ୍ମବିଶ୍ୱାସ, ବ୍ୟକ୍ତିତ୍ୱ ଏବଂ ବୁଦ୍ଧିମତ୍ତା ବଳରେ ବିଚାରକମାନଙ୍କ ମନ ଜିଣିଥିଲେ ।