ମୁମ୍ଵାଇ ୨୫।୧୧; ଭାଗ୍ୟ ବଦଳିବାକୁ ବେଳ ଲାଗେନି... ହେଲେ ସେହି ଭାଗ୍ୟ ବଦଳାଇବା ପାଇଁ ଦରକାର ହୁଏ ଅଦମ୍ୟ ସାହସ ଓ କଠିନ ପରିଶ୍ରମ। ଦିନେ ପକେଟ୍ରେ ଥିଲା ମାତ୍ର ୨୪ ଟଙ୍କା, ଆଖିରେ ଥିଲା କୋଟିପତି ହେବାର ସ୍ୱପ୍ନ। ଆଉ ଆଜି ସେହି ସ୍ୱପ୍ନକୁ ସତ କରି ଚର୍ଚ୍ଚାରେ ମହାରାଷ୍ଟ୍ରର ଭୂଷଣ ଠାକରେ। କୌନ୍ ବନେଗା କରୋଡ଼ପତି ସିଜିନ୍ ୧୮ର ପ୍ରଥମ କୋଟିପତି । ସେ ଜିତିଛନ୍ତି ୧ କୋଟି ଟଙ୍କା। ଭୂଷଣଙ୍କ ଏହି ସଫଳତା ପଛରେ ରହିଛି ସଂଘର୍ଷ, ତ୍ୟାଗ ଆଉ ପରିବାର ପାଇଁ କିଛି କରି ଦେଖାଇବାର ଜିଦ୍।

ଜଳଗାଓଁର ଭୂଷଣ ନିଜ ଜୀବନରେ କିଛି ବଡ଼ କରିବାର ସ୍ୱପ୍ନ ନେଇ ଘର ଛାଡ଼ିଥିଲେ। ନିଜ ବାପା-ମାଆଙ୍କୁ ଆର୍ଥିକ ଅଭାବରୁ ମୁକ୍ତ କରିବା ଥିଲା ତାଙ୍କର ମୁଳ ଲକ୍ଷ୍ୟ। ଏଥିପାଇଁ ଦୀର୍ଘ ଦେଢ଼ ବର୍ଷ ଧରି ସେ ଘରଠାରୁ ଦୂରରେ ଥିଲେ। ଏପରିକି ପରିବାର ସହ କଥାବାର୍ତ୍ତା ମଧ୍ୟ ବନ୍ଦ କରିଦେଇଥିଲେ। କାରଣ ସେ ବାପାଙ୍କୁ କଥା ଦେଇଥିଲେ, ଜୀବନରେ କିଛି ହାସଲ ନକରିବା ପର୍ଯ୍ୟନ୍ତ ଘରକୁ ଫେରିବେ ନାହିଁ।

KBCର ହଟ୍ ସିଟ୍ରେ ବସି ନିଜ ଜ୍ଞାନ ବଳରେ ଗୋଟିଏ ପରେ ଗୋଟିଏ ପ୍ରଶ୍ନର ସଠିକ୍ ଉତ୍ତର ଦେଇଥିଲେ ଭୂଷଣ। ଶେଷରେ ୧ କୋଟି ଟଙ୍କାର ପ୍ରଶ୍ନର ସଠିକ୍ ଉତ୍ତର ଦେଇ ସାଜିଥିଲେ କୋଟିପତି । ଏହି ସଫଳତାରେ ଖୁସି ହୋଇ ନିଜ ଆସନରୁ ଉଠି ଭୂଷଣଙ୍କୁ ଆଲିଙ୍ଗନ କରିଥିଲେ ଶୋ'ର ହୋଷ୍ଟ ଅମିତାଭ ବଚ୍ଚନ। ହେଲେ ୭ କୋଟି ଟଙ୍କା ଜିତିବାର ସ୍ୱପ୍ନ ପୂରଣ ହୋଇପାରିନଥିଲା, ତଥାପି ୧ କୋଟିର ବିଜୟ ତାଙ୍କ ପାଇଁ ବେଶ୍ ଖାସ୍ ଥିଲା।

କିନ୍ତୁ ଏହି କାହାଣୀର ସବୁଠାରୁ ଭାବପ୍ରବଣ ମୁହୂର୍ତ୍ତ ଥିଲା ତାଙ୍କ ବାପାଙ୍କ ସହ ଦେଖା ହେବ। KBCର ନୂଆ ପ୍ରୋମୋରେ ଦେଖିବାକୁ ମିଳିଛି ଦେଢ଼ ବର୍ଷ ପରେ ବାପା-ପୁଅଙ୍କ ମିଳନର ଦୃଶ୍ୟ। ନିଜ ବାପାଙ୍କୁ ସାମ୍ନାରେ ଦେଖି ଭାବବିହ୍ୱଳ ହୋଇପଡ଼ିଥିଲେ ଭୂଷଣ। ଉଭୟଙ୍କ ଆଖିରେ ଥିଲା ଖୁସିର ଲୁହ। ଏହି ଦୃଶ୍ୟ ଦେଖି ଅମିତାଭ ବଚ୍ଚନଙ୍କ ସମେତ ସେଠାରେ ଉପସ୍ଥିତ ଦର୍ଶକ ମଧ୍ୟ ଭାବପ୍ରବଣ ହୋଇଯାଇଥିଲେ।

ଭୂଷଣ କହିଥିଲେ, ତାଙ୍କ ବାପା ଜଣେ ଅତ୍ୟନ୍ତ ପରିଶ୍ରମୀ ମଣିଷ। ଲୋକେ ତାଙ୍କୁ ଉପହାସ କରି କହୁଥିଲେ, ପୁଅ ଘରେ ବସିଛି ଆଉ ବାପା ଏବେ ବି କାମ କରିବାକୁ ଯାଉଛନ୍ତି। ଏହି କଥା ତାଙ୍କୁ ଭିତରୁ କଷ୍ଟ ଦେଉଥିଲା। ବାପାଙ୍କ ପରିଶ୍ରମର ମୂଲ୍ୟ ଦେବା ଏବଂ ପରିବାରର ଅବସ୍ଥା ବଦଳାଇବା ପାଇଁ ସେ ନିଷ୍ପତ୍ତି ନେଇଥିଲେ। ଆଜି ସେହି ପକେଟ୍ରେ ମାତ୍ର ୨୪ ଟଙ୍କା ରଖିଥିବା ଯୁବକଙ୍କ ଆକାଉଣ୍ଟରେ ରହିଛି ୧ କୋଟି ଟଙ୍କା। ଭୂଷଣଙ୍କ କହିବା ଅନୁସାରେ, ତାଙ୍କର ସ୍ୱପ୍ନ ଥିଲା ଅମିତାଭ ବଚ୍ଚନଙ୍କ ସାମ୍ନାରେ ବସି ୧ କୋଟି ଟଙ୍କାର ପ୍ରଶ୍ନର ଉତ୍ତର ଦେବା। ଆଜି ସେହି ସ୍ୱପ୍ନ ତାଙ୍କର ପୂରଣ ହୋଇଛି। ଭୂଷଣଙ୍କ ଏହି ଯାତ୍ରା ପ୍ରମାଣ କରିଦେଇଛି ଯେ, ପରିସ୍ଥିତି ଯେତେ କଠିନ ହେଉ ନା କାହିଁକି, ଦୃଢ଼ ଇଚ୍ଛାଶକ୍ତି ଥିଲେ ସଫଳତା ନିଶ୍ଚୟ ମିଳେ।