ଭୁବନେଶ୍ବର ୧୮।୧୧: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରହିବେ ବାଲେଶ୍ବରରୁ ଉଦ୍ଧାର ୫ ଓରାଙ୍ଗଉଟାନ୍ । କିନ୍ତୁ ଏବେ ସେମାନଙ୍କୁ ଦେଖିପାରିବେ ନାହିଁ ପର୍ଯ୍ୟଟକ । ୯୦ ଦିନ କ୍ୱାରେଣ୍ଟାଇନ୍ ପରେ ଓରାଙ୍ଗଉଟାନ୍ଙ୍କ ବଦଳିବ ଖୁଆଡ । ଦିନରେ ବାହାର ତାରଜାଲି ଖୁଆଡ଼, ରାତିରେ ଆବଦ୍ଧ କୋଠରୀରେ ରହିବେ ଉଦ୍ଧାର ଓରାଙ୍ଗଉଟାନ୍ । ଡିସେମ୍ବର ୮ ତାରିଖରେ ସରିବ ଓରାଙ୍ଗଉଟାନ୍‌ଙ୍କ କ୍ୱାରେଣ୍ଟାଇନ୍ ଅବଧି ।

ଗତ ସେପ୍ଟେମ୍ବର ୮ ତାରିଖରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବିଚିତ୍ରପୁର ରଣକାଠା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ୫ଟି ଛୁଆ ଓରାଙ୍ଗଉଟାନ୍ଙ୍କୁ ବନ ବିଭାଗ ଉଦ୍ଧାର କରିଥିଲା । ଉଦ୍ଧାର ହେବା ଦିନ ରାତି ପ୍ରାୟ ୧୦ଟା ୩୦ମିନିଟ୍ରେ ସେମାନଙ୍କୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଥିଲା । ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ପ୍ରାଣୀ ଚିକିତ୍ସା ବିଭାଗର ସ୍ୱତନ୍ତ୍ର କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖି ସ୍ୱାସ୍ଥ୍ୟ ପରୀକ୍ଷା ଓ ଯତ୍ନ ନିଆଯାଇଥିଲା ।

Also Read:-ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ, ସମର୍ଥନ ଜଣାଇଲେ ବିରୋଧୀ

ତେବେ ଡିସେମ୍ବର ୮ ତାରିଖରେ ଓରାଙ୍ଗଉଟାନ୍‌ଙ୍କର ୯୦ ଦିନ କ୍ୱାରେଣ୍ଟାଇନ୍ ଅବଧି ଶେଷ ହେବ । ପିସିସିଏଫଙ୍କ ଦ୍ୱାରା ଗଠିତ ସ୍ଵାସ୍ଥ୍ୟ ବିଶେଷଜ୍ଞ ଟିମ୍‌ର ପରାମର୍ଶ ପରେ ସେମାନଙ୍କୁ ବାହାର ତାରଜାଲି ଖୁଆଡ଼କୁ ନିଆଯିବ । ବାହାର ଖରା ଓ ପବନରେ ଦିନରେ ରହିବେ । ରାତିରେ ଆବଦ୍ଧ କୋଠରୀରେ ସେମାନଙ୍କୁ ରଖାଯିବ । କେନ୍ଦ୍ରୀୟ ଚିଡ଼ିଆଖାନା ଅଧିକାରଙ୍କ ନିର୍ଦ୍ଦେଶ ମିଳିବା ପରେ ପର୍ଯ୍ୟଟକଙ୍କ ଦେଖିବା ପାଇଁ ବାହାର ଖୁଆଡରେ ସେମାନଙ୍କୁ ଛଡ଼ାଯିବ ବୋଲି ସୂଚନା ରହିଛି ।