ନୂଆଦିଲ୍ଲୀ,|୦୭:ସୁଯୋଗ ମିଳୁନି । ନିରାଶ ହେଉଛନ୍ତି । ଦଳରେ ସିଲେକ୍ସନ ହେଉଥିଲେ ବି ବେଞ୍ଚରେ ବସିବାକୁ ପଡୁଛି । କିଛି ଏମିତି ପରିସ୍ଥିତିର ଏବେ ସାମ୍ନା କରୁଛନ୍ତି ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ । ତାଙ୍କ ଅନ୍ତର୍ଜାତୀୟ ପଦାର୍ପଣକୁ ନେଇ ସସପେନ୍ସ ଲାଗି ରହିଛି ।

ଆୟାରଲ୍ୟାଣ୍ଡ ବିପକ୍ଷରେ ବୈଭବଙ୍କୁ ଗୋଟିଏ ହେଲେ ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିନଥିଲା । ଭାରତ ଦୁଇଟି ମ୍ୟାଚ୍ ହାରି ସିରିଜରେ କ୍ଲିନ୍ ସ୍ୱିପ୍ ହୋଇଥିଲା । ଏହାପରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ରେ ମଧ୍ୟ ବେବି ବସଙ୍କୁ ସୁଯୋଗ ମିଳିନଥିଲା । କିନ୍ତୁ ଏହି ମ୍ୟାଚ୍ ବର୍ଷା ପାଇଁ ବାତିଲ ହୋଇଯାଇଥିଲା । ଶେଷ ତିନୋଟି ଟି୨୦ରେ ସବୁଠୁ ନିରାଶ କରିଛନ୍ତି ସଞ୍ଜୁ ସାମସନ । ବଡ ପାଳି ଖେଳିପାରି ନାହାଁନ୍ତି । ତାଙ୍କୁ ହଟାଇ ଶୀଘ୍ର ବୈଭବଙ୍କୁ ସୁଯୋଗ ଦେବାକୁ ଦାବି ହେଉଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କ୍ରିକେଟର ଦିନେଶ କାର୍ତ୍ତିକ ।

କାର୍ତ୍ତିକ କହିଛନ୍ତି ଯେ, ଟିମ୍ ଇଣ୍ଡିଆ ତରବରିଆ ଭାବେ କୌଣସି ନିଷ୍ପତ୍ତି ନେବା ଅନୁଚିତ । ସଞ୍ଜୁ ସାମସନଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କୁ ଛାଡିବା ଅନୁଚିତ । ସେ ଭଲ ଖେଳନ୍ତି । ଲଗାତାର ତିନୋଟି ପାଳିରେ ସଞ୍ଜୁ ବିଫଳ ହୋଇଛନ୍ତି । ତେଣୁ ବୈଭବଙ୍କ ପ୍ରତି ସମର୍ଥନ ବଢୁଛି । କିନ୍ତୁ ଦଳର ମ୍ୟାନେଜମେଣ୍ଟ୍ ଧର୍ଯ୍ୟ ରଖିବା ଜରୁରୀ ।

Also Read :- JAAC Leader Exposes Pakistan: ପାକିସ୍ତାନ ସେନା ଆତଙ୍କବାଦୀଙ୍କୁ ବନ୍ଧୁକ ଦେଉଛି, ୮୦ ହଜାର ଲୋକଙ୍କ ଆଗରେ କରିଦେଲେ ବଡ ଖୁଲାସା

ସେ ଆହୁରି କହିଛନ୍ତି ଯେ, ସାମସନ ପୁଣି ଥରେ ବିଫଳ ହୋଇଛନ୍ତି । ତେଣୁ ବୈଭବଙ୍କୁ ଖେଳାଇବାକୁ ଦାବି ହେଉଛି । କିନ୍ତୁ ଦଳ ସଞ୍ଜୁଙ୍କ ଭଳି ଖେଳାଳିଙ୍କୁ ନିଶ୍ଚୟ ସମର୍ଥନ କରିବ । କିଛି ମାସ ପୂର୍ବରୁ ଟି୨୦ ବିଶ୍ୱକପରେ ସେ ଭଲ ପାଳି ଖେଳିଥିଲେ । ଯାହା ଦଳକୁ ଚାମ୍ପିଅନ କରାଇଥିଲା ।

ବୈଭବଙ୍କୁ ନେଇ କାର୍ତ୍ତିକ କହିଛନ୍ତି ଯେ, ସେ ଜଣେ ଭଲ ଖେଳାଳି । କିନ୍ତୁ ଖାଲି ଟ୍ୟାଲେଣ୍ଟ୍ ଦେଖି ଦଳରେ ଜାଗା ମିଳେ ନାହିଁ । ବୈଭବ ନିଜ ପ୍ରଦର୍ଶନ ବଳରେ ଦଳରେ ଜାଗା ପକ୍କା କରିବା ଉଚିତ । ସେ ଜଣେ ପ୍ରତିଭାଶାଳୀ ଖେଳାଳି । ସେ ଭବିଷ୍ୟତରେ ଅନ୍ତର୍ଜାତୀୟ ମୁକାବିଲାରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି ।