ନୂଆଦିଲ୍ଲୀ: ହିଜାବ ନପିନ୍ଧି ସାର୍ବଜନୀନ ସ୍ଥାନରେ ସଂଗୀତ ପରିବେଷଣ କରି ଫସିଲେ ଇରାନର ଲୋକପ୍ରିୟ ଗାୟିକା  ପରସ୍ତୁ ଅହମଦୀ । ଅପରାଧ ପାଇଁ ତାଙ୍କ ପିଠିରେ ବାଜିଛି ୭୪ ଚାବୁକ ପାହାର  । କେବଳ ଗାୟିକା ନୁହେଁ, ତାଙ୍କ ପ୍ରଡକ୍ସନ ହାଉସର ଅନ୍ୟ କର୍ମଚାରୀଙ୍କୁ ବି ମିଳିଛି ଦଣ୍ଡ ।ଏହା ସହିତ, କୋର୍ଟ ସେମାନଙ୍କ ଉପରେ ଦୁଇ ବର୍ଷ ପାଇଁ କଳା ଓ ସଙ୍ଗୀତ କାର୍ଯ୍ୟକଳାପ ଏବଂ ବିଦେଶ ଯାତ୍ରା ଉପରେ ବ୍ୟାନ୍‌ ଲଗାଇଛନ୍ତି । ପରସ୍ତୁ ଅହମଦୀ ରାଜଧାନୀ ତେହେରାନର ଦକ୍ଷିଣରେ ଥିବା କୋମ୍ ସହରରେ ପୁରୁଷ ସଙ୍ଗୀତଜ୍ଞମାନଙ୍କ ସହ ମିଶି ବିନା ହିଜାବରେ ଗୀତ ଗାଉଥିବାର ଦେଖାଯାଇଥିଲା। ଏହି ମାମଲାରେ ଚଳିତ ବର୍ଷ ଜୁନ୍ ମାସରେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । 

ସେପ୍ଟେମ୍ବରରେ ସେମାନଙ୍କ ଆବେଦନ ଖାରଜ ହୋଇଯିବା ପରେ ସୋମବାର କୋମ୍ ସହରରେ ଏହି ଦଣ୍ଡ କାର୍ଯ୍ୟକାରୀ କରାଯାଇଛି।   ଦଣ୍ଡ କାର୍ଯ୍ୟକାରୀ ହେବା ପରେ ପରସ୍ତୁ ଅହମଦୀଙ୍କ ପକ୍ଷରୁ କୌଣସି ବିବୃତ୍ତି ଆସିନାହିଁ । କିନ୍ତୁ ତାଙ୍କ ଓକିଲମାନେ କହିଛନ୍ତି ଯେ, ବିଚାର ପ୍ରକ୍ରିୟାରେ ଅହମଦୀ ଏବଂ ତାଙ୍କ ସହଯୋଗୀମାନେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ। ବିବିସିର ରିପୋର୍ଟ ଅନୁଯାୟୀ, ତାଙ୍କର ଜଣେ ଓକିଲ କହିଛନ୍ତି ଯେ, ଏକ ଭର୍ଚୁଆଲ୍ କନସର୍ଟ ଆୟୋଜନ କରିବା କୌଣସି ଅପରାଧ ନୁହେଁ ଏବଂ କୋର୍ଟ ଜରିମାନା ବଦଳରେ ସବୁଠାରୁ କଠୋର ଦଣ୍ଡ ଦେଇଥିବାରୁ ସେ ଏହାର ତୀବ୍ର ସମାଲୋଚନା କରିଛନ୍ତି। 

ସୋମବାର ଦିନ ଏହି ଚାବୁକ ମାଡ଼ ଦଣ୍ଡକୁ ସ୍ଥଗିତ ରଖିବା ପାଇଁ ଓକିଲମାନେ ବହୁତ ଚେଷ୍ଟା କରିଥିଲେ । କିନ୍ତୁ କୋମ୍ ଦଣ୍ଡ କାର୍ଯ୍ୟକାରୀ ଶାଖା ତୁରନ୍ତ ଦଣ୍ଡ ଦେବାକୁ ଜିଦ୍ ଧରିଥିଲା। ସୂଚନାଯୋଗ୍ୟ ଯେ, ୟୁଟ୍ୟୁବରେ 'କାରାଭାନସେରାଇ କନସର୍ଟ' ପୋଷ୍ଟ କରିବା ସମୟରେ ପରସ୍ତୁ ନିଜ ମାତୃଭୂମି ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଲେଖିଥିଲେ ଯେ, ‘ମୁଁ ପରସ୍ତୁ, ଏମିତି ଏକ ଝିଅ ଯିଏ ନିଜ ପ୍ରିୟ ଲୋକଙ୍କ ପାଇଁ ଗୀତ ଗାଇବାକୁ ଚାହେଁ। ଏହା ମୋର ଏକ ଅଧିକାର । ମୁଁ ଏହାକୁ ଅଣଦେଖା କରିପାରିଲି ନାହିଁ ।’ ପାଶ୍ଚାତ୍ୟ ଦେଶର ସରକାର ଏବଂ ବିଭିନ୍ନ ମାନବାଧିକାର ସଂଗଠନ ଏହି ଚାବୁକ ମାଡ଼ ଦଣ୍ଡକୁ ନିର୍ଯାତନା ଏବଂ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ବୋଲି କହି ତୀବ୍ର ନିନ୍ଦା କରିଛନ୍ତି। 

ସେଣ୍ଟର ଫର୍ ହ୍ୟୁମାନ ରାଇଟ୍ସ ଇନ୍ ଇରାନର ନିର୍ଦ୍ଦେଶକ ଏହାକୁ ମୌଳିକ ଅଧିକାରର ଘୋର ଉଲ୍ଲଂଘନ ବୋଲି କହିଛନ୍ତି । ମହିଳାଙ୍କ ସ୍ୱାଧୀନତାକୁ ଦମନ କରିବାର ଏକ ପ୍ରୟାସ ବୋଲି ସେ ଅଭିଯୋଗ କରିଛନ୍ତି । ସେହିପରି ଆମନେଷ୍ଟି ଇଣ୍ଟରନ୍ୟାସନାଲ ଏହି ଦଣ୍ଡକୁ ନିର୍ଯାତନା ଏବଂ ଅମାନବୀୟ ବୋଲି କହିଛି । ଅନ୍ୟ ଇରାନୀ କଳାକାର ମେହଦୀ ୟାରାହୀ ଏବଂ ହାନା କାମକର ପରସ୍ତୁଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।  ନିର୍ବାସିତ ବିରୋଧୀ ନେତା ରେଜା ପହଲଭି ମଧ୍ୟ ସାହସୀ ମହିଳାମାନଙ୍କୁ ଅପମାନିତ ଓ ଚୁପ୍ କରାଇବା ପାଇଁ ଶାସକ ଗୋଷ୍ଠୀର ଏହି ପଦକ୍ଷେପକୁ ସମାଲୋଚନା କରିଛନ୍ତି।