ମାଲକାନଗିରି: ଜଣକ ନାଁରେ ଅଭିଯୋଗ । ହେଲେ ରାତି ଅଧରେ ଅନ୍ୟ ଜଣଙ୍କୁ ଉଠାଇ ନେଲା ତେଲେଙ୍ଗାନା ପୋଲିସ । ଏଭଳି ଏକ ଅଭବାନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ।

ସୂଚନା ଅନୁସାରେ, ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ତେଲାଙ୍ଗାନାର ଭଦ୍ରାଦି କୋତ୍ତାଗୁଡେମ ଜିଲ୍ଲା ପୋଲିସ ମାଲକାନଗିରି ଆସିଥିବା ବେଳେ ସାଧନ ସରକାରକୁ ଖୋଜୁଥିଲା। ହେଲେ ସାଧନ ସରକାର ବଦଳରେ କାମବେଡା ପଞ୍ଚାୟତ ଅନ୍ତର୍ଗତ ଏମଭି ୨୯ ଗ୍ରାମର ସୁମନ ସରକାରଙ୍କୁ ଉଠାଇ ନେଇଯାଇଛି। ଏମିତିକି ରାତିରେ ଗାଁ ଲୋକେ ତେଲେଙ୍ଗାନା ପୋଲିସକୁ ଯେତେ ବୁଝାଇଥିଲେ ସୁଦ୍ଧା ଅଧିକ ତଦନ୍ତ ଆଳ ଦେଖାଇ ପୋଲିସ ସୁମନ ସରକାରକୁ ଘରୁ ଉଠାଇ ନେଇଯାଇଛି।

Also Read: ଗଭୀର ଟାଙ୍କିକୁ ଖସି ପଡ଼ିଥିଲା କୁକୁର, ନୀଜ ଜୀବନକୁ ବାଜିରେ ଲଗାଇ ବଞ୍ଚାଇଦେଲେ ଯୁବକ

ସେପଟେ ସୁମନକୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଲାଗି କାମବେଡ଼ା ସରପଞ୍ଚଙ୍କ ସହ ପରିବାର ଓ ଗାଁ ଲୋକେ ମାଲକାନଗିରି ଏସପିଙ୍କ ଦ୍ଵାରସ୍ଥ ହୋଇଛନ୍ତି । ତେଲାଙ୍ଗାନା ପୋଲିସର ଏଭଳି କାଣ୍ଡ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କାମବେଡ଼ା ସରପଞ୍ଚ ଏସପିଙ୍କୁ ଦାବିକରିଛନ୍ତି। ଅନ୍ୟପଟେ ପରିବାର ଲୋକ ମଧ୍ୟ ଏସପିଙ୍କୁ ଗୁହାରି ଜଣାଇଛନ୍ତି। ସୁମନଙ୍କ ମାଆ କହିଛନ୍ତି, ପୁଅ ସୁମନର କୌଣସି ଦୋଷ ନଥିବା କଥା କହିଥିବା ବେଳେ, ସନ୍ତାନକୁ କୋଳରେ ଧରି ଏସପିଙ୍କୁ ଗୁହାରି କରିଛନ୍ତି ସୁମନଙ୍କ ପତ୍ନୀ।