ଭୁବନେଶ୍ୱର ୦୯।୧୧ : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍। ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ । ଶିଖରଚଣ୍ଡି ନିକଟରେ ଏକ ବୁଲେଟ୍କୁ ଧକ୍କା ଦେବା ପରେ ପ୍ରାୟ ୫୦ ମିଟର ଯାଏଁ ଘୋଷାଡ଼ି ନେଇଥିଲା କାର୍ । ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଶିଖରଚଣ୍ଡି ନିକଟରେ ଏକ କ୍ରେଟା କାର୍ ଦ୍ରୁତଗତିରେ ଆସି ବୁଲେଟ୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ କାରଟି ବୁଲେଟ୍କୁ ପ୍ରାୟ ୫୦ ମିଟର ଘୋଷାଡ଼ି ନେଇଥିଲା। ଏଥିରେ ୩ ଜଣ ଗୁରୁତର ହୋଇଥିଲେ। ଦୁର୍ଘଟଣା ପରେ କାର୍ ଚାଳକ ଘଟଣାସ୍ଥଳରୁ ଫେରାର୍ ହେବାକୁ ଉଦ୍ୟମ କରୁଥିଲେ। ସ୍ଥାନୀୟ ଲୋକେ ତାଙ୍କ ପିଛା କରି କାରକୁ ଅଟକାଇଥିଲେ। ଏହାପରେ ଉତ୍ତ୍ୟକ୍ତ ଲୋକେ କାର୍କୁ ଘେରିଯାଇ ଇଟା ଓ ପଥରରେ ମାଡ଼ କରିଥିଲେ। ପୋଲିସ ଉପସ୍ଥିତିରେ ମଧ୍ୟ କିଛି ସମୟ ଧରି ଭଙ୍ଗାରୁଜା ଜାରି ରହିଥିଲା।

Also Read:-ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ବେପାର, ଅସାଧୁ ବ୍ୟକ୍ତିଙ୍କ ଉପରେ କେବେ ପଡ଼ିବ ପ୍ରଶାସନର ଛାଟ ?

ସେପଟେ ଖବର ପାଇ ଜୋନ୍-୬ ଏସିପି, ଇନ୍ଫୋସିଟି ଥାନା ଅଧିକାରୀଙ୍କ ସମେତ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ। ଉତ୍ତ୍ୟକ୍ତ ଲୋକେ ଚାଳକଙ୍କୁ ମାଡ଼ ମାରୁଥିବା ବେଳେ ପୋଲିସ ତାଙ୍କୁ କାବୁ କରି ଥାନାକୁ ନେଇଥିଲା। ବର୍ତ୍ତମାନ ଚାଳକଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ଅନ୍ୟପକ୍ଷରେ ଦୁର୍ଘଟଣାରେ ଗୁରୁତର ଆହତ ୩ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି ।