ସମ୍ବଲପୁର: ନିର୍ମାଣାଧୀନ ବିଲ୍ଡିଂର ସେଫ୍ଟିକ୍ ଟାଙ୍କିରେ ଫସିଯାଇଥିଲେ ଦୁଇ ବୁଲା କୁକୁର। ଉଦ୍ଧାର ପାଇଁ ନିଜ ଜୀବନକୁ ବାଜି ଲଗାଇଲେ ଯୁବକ । ଟାଙ୍କି ଭିତରକୁ ପଶି ଅନେକ ଚେଷ୍ଟା ପରେ କୁକୁରକୁ ଉଦ୍ଧାର କରିବାରେ ହୋଇଥିଲେ ସଫଳ। ଆଜିର ସମାଜରେ ପଶୁପକ୍ଷୀଙ୍କ ପ୍ରତି ହୀନ ମାନସିକତା ଦେଖିବାକୁ ମିଳୁଥିବା ବେଳେ, ଏଭଳି ଏକ ଭଲ ଖବର ଆସିଛି ସମ୍ବଲପୁରରୁ।

ସୂଚନା ଅନୁସାରେ, ସମ୍ବଲପୁର ବୁଢ଼ାରଜା ଅଞ୍ଚଳରେ ଗୋଟିଏ ନିର୍ମାଣାଧୀନ ବିଲ୍ଡିଂର ସେଫ୍ଟିକ୍ ଟାଙ୍କିରେ ଗତକାଲି ଠାରୁ ପଡ଼ିଯାଇଥିଲେ ଦୁଇ କୁକୁର। ହେଲେ ଟାଙ୍କିଟି ଖୁବ୍ ଗଭୀର ହୋଇଥିବାରୁ ବାହାରି ପାରିନଥିଲେ। ଆଉ ରାତିସାରା ବିକଳ ରଡ଼ି ଛାଡ଼ୁଥିଲେ । ତେବେ ଏନେଇ ଖବର ପାଇ ଗୁରୁବାର ସକାଳେ ପହଞ୍ଚିଥିଲେ କେଶବ ମିଶ୍ର। ଆହତ ପଶୁପକ୍ଷୀଙ୍କ ସାହାଯ୍ୟ କରିବା ପାଇଁ ସେ ଅଞ୍ଚଳରେ ବେଶ୍ ଜଣାଶୁଣା।

Also Read: ୩ ଫୁଟ ତଳକୁ ଧସିଲା ୩୦ ଫୁଟର କଂକ୍ରିଟ୍ ରାସ୍ତା, ଓ୍ବାଟ୍କୋର ଅବହେଳା ଅଭିଯୋଗ

ତେବେ ଅନେକ ଘଣ୍ଟାର ପରିଶ୍ରମ ପରେ ସେ କୁକୁରଟିକୁ ଉଦ୍ଧାର କରିପାରିଥିଲେ। ଆହୁରି ଜାଣି ଖୁସି ହେବେ ପ୍ରାୟ ୪ ଘଣ୍ଟା ପରେ ଯେତେବେଳେ ସେ ଦେଖିବାକୁ ଯାଇଥିବାବେଳେ କୁକୁରଟିର ଯୁବକଙ୍କ ପ୍ରତି ଥିବା ଭଲ ପାଇବା ମଧ୍ୟ ବାରି ହୋଇପଡୁଥିଲା। ଜୀବନ ବଂଚାଇଥିବା ଯୁବକଙ୍କୁ ଦେଖିବା ପରେ କୁକୁରଟି ଦୌଡ଼ି ଆସି ସତେ ଯେମିତି ଧନ୍ୟବାଦ ଜ୍ଞାପନ କରୁଥିଲା । ଏହି ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକେ ସହଯୋଗ କରିଥିଲେ । ଏହା ସହ କେହି ବି ଏମିତି ସେଫ୍ଟିକ ଟାଙ୍କି ଖୋଲା ନରଖିବାକୁ ସମସ୍ତଙ୍କୁ ଅପିଲ କରିଛନ୍ତି।