ଭୁବନେଶ୍ୱର ୭।୧୧: ଭୁବନେଶ୍ବର ତାରିଣୀ ବସ୍ତିରେ ଶାଳକକୁ ପଥରରେ ଛେଚି ଭିଣୋଇ ଅତି ବୀଭତ୍ସ ଭାବେ ହତ୍ୟା କରିଛି । ମୃତକ ହେଲେ ୪୦ ବର୍ଷ ବୟସ୍କ ପଠାଣି ସାହୁ । ଘଟଣା ଭିଆଇ ଅଭିଯୁକ୍ତ ସୁରେଶ ସିଂ ଫେରାର ହୋଇଯାଇଥିଲା । ପରେ ପୋଲିସ ତାକୁ ସ୍ଥାନୀୟ ଅଞ୍ଚଳରୁ କାବୁ କରିବାରେ ସଫଳ ହୋଇଥିଲା । ତେବେ ବଡ଼ କଥା ହେଉଛି, ହତ୍ୟା ପରେ ଅଭିଯୁକ୍ତ ସୁରେଶ ମୃତଦେହକୁ ଘୋଷାଡି ନେଇ ଟ୍ରେନ୍ ଲାଇନ୍ ପାର୍ଶ୍ୱରେ ପକାଇଛି । ସୁରେଶ ପୋଲିସ ଆଖିରେ ଧୂଳି ଦେବାକୁ ଯାଇ ଦୁର୍ଘଟଣାର ରୂପ ଦେବାକୁ ଉଦ୍ୟମ କରିଥିଲା । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିଛି । ହତ୍ୟା ପଛରେ ଥିବା ପ୍ରକୃତ କାରଣ ଜଣିବାକୁ ପୋଲିସ ଅଧିକ ଅନୁସନ୍ଧାନ ଚଳାଇଛି ।

ତେବେ ଏହି ଘଟଣାକୁ ନେଇ ଜୋନ୍-୫ ଏସିପି ବିଶ୍ୱରଞ୍ଜନ ସେନାପତି କହିଛନ୍ତି, ଭିଣୋଇ ଶାଳକକୁ ହତ୍ୟା କରିଛି ବୋଲି ଖବର ପାଇଥିଲୁ । ମୃତଦେହ ଟ୍ରେନ୍ ଲାଇନ୍ ପାଖରେ ପଡିଛି । ଯାହା ଜଣାପଡୁଛି, ହତ୍ୟା ପରେ ମୃତଦେହକୁ ଟ୍ରେନ୍ ଲାଇନରେ ପକାଇ ଦୁର୍ଘଟଣା ରୂପ ଦେବାକୁ ଚେଷ୍ଟା କରିଥିଲା । ହେଲେ କୌଣସି କାରଣ ବଶତଃ ମୃତଦେହ ପକାଇ ପାରିନାହିଁ । ସୁରେଶର ସ୍ତ୍ରୀ ପରକୀୟା ପ୍ରୀତି ପାଇଁ ପଳାଇଥିଲା । ସେ ତା ଶଳାକୁ ଡାକିଥିଲା । ଉଭୟ ମିଶି କାମଦାମ କରିଥିଲେ । ଶୁକ୍ରବାର ରାତିରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସେତିକିବେଳେ ରାଗରେ ଶାଳକକୁ ଭିଣୋଇ ହତ୍ୟା କରିଛି । ରିପୋର୍ଟ ହେବା ପରେ ମାମଲା ରୁଜୁ ସହ ତଦନ୍ତ ଆଗେଇବ ବୋଲି ଏସିପି କହିଛନ୍ତି ।

ପଥରରେ ଛେଚି ଶାକୁ ଅଭିଯୁକ୍ତ ହତ୍ୟା କରିଥିବା ଜଣାପଡିଛି । ନିଜ ପତ୍ନୀକୁ ସନ୍ଦେହ କରୁଥିଲା ସୁରେଶ । ପରକୀୟା ପ୍ରୀତି ବୋଲି କହି ତାକୁ ମାରପିଟ୍ କରିଥିଲା ବୋଲି ଅଭିଯୋଗ କରିଛନ୍ତି ମୃତକଙ୍କ ଭଉଣୀ ତଥା ଅଭିଯୁକ୍ତ ସୁରେଶର ପତ୍ନୀ ।