ନୂଆଦିଲ୍ଲୀ ,୯ /୧୧ -; ଦୀପାବଳି ସରିଗଲା। ଆଲୋକର ପର୍ବରେ ଘର ଝଲସିଲା, ବଜାରରେ ଭିଡ଼ ଜମିଲା, ମନଭରି ସପିଂ ବି ହେଲା। କିନ୍ତୁ ପର୍ବର ଖୁସି ଏବେ ଧୀରେ ଧୀରେ ଫିକା ପଡ଼ିବାକୁ ଯାଉଛି। କାରଣ ଘରକୁ ଆସିବା ଆରମ୍ଭ ହେବ କ୍ରେଡିଟ୍ କାର୍ଡ ବିଲ୍, EMI ଓ Buy Now Pay Laterର ପେମେଣ୍ଟ୍ ମେସେଜ୍। ଅର୍ଥାତ୍ କିଛି ଦିନର ପାର୍ବଣ ଖର୍ଚ୍ଚ ଏବେ ଆଗାମୀ ଅନେକ ମାସର ଆର୍ଥିକ ବୋଝ ପାଲଟିପାରେ।

ଚଳିତ ବର୍ଷ ପାର୍ବଣ ବଜାରରେ ଜବରଦସ୍ତ କାରବାର ହୋଇଥିବା ଆକଳନ କରିଛି Confederation of All India Traders । ସଂଗଠନର ଆକଳନ ଅନୁସାରେ, ପାର୍ବଣ ସମୟରେ ଦେଶରେ କାରବାର ୭ ଲକ୍ଷ କୋଟି ଟଙ୍କା ଟପିପାରେ। ୨୦୨୫ରେ ଏହି ଆକଳନ ୬.୦୫ ଲକ୍ଷ କୋଟି ଟଙ୍କା ଥିଲା। ଅର୍ଥାତ୍ କାରବାରରେ ପ୍ରାୟ ୧୬ ପ୍ରତିଶତ ବୃଦ୍ଧି।

ହେଲେ ବଜାରରେ ଅଧିକ ଟଙ୍କା ଖର୍ଚ୍ଚ ହେବାର ଅର୍ଥ ନୁହେଁ ଯେ ଲୋକଙ୍କ ଆର୍ଥିକ ସ୍ଥିତି ମଧ୍ୟ ସୁଧୁରିଛି। କାରଣ ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୫.୫ ପ୍ରତିଶତ ଥିବାବେଳେ ହୋଲସେଲ୍ ମୁଦ୍ରାସ୍ଫୀତି ୧୧.୪ ପ୍ରତିଶତ ରହିଥିଲା। ଅର୍ଥାତ୍ ଜିନିଷପତ୍ରର ଦାମ୍ ବଢ଼ିବା ମଧ୍ୟ ଅଧିକ ଖର୍ଚ୍ଚର ଏକ ବଡ଼ କାରଣ।

ଅନ୍ୟପଟେ LocalCirclesର ଏକ ସର୍ଭେ ଅନୁସାରେ, ସହରାଞ୍ଚଳରେ ପାର୍ବଣ ଖର୍ଚ୍ଚ ପ୍ରାୟ ୧.୯୭ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଛି, ଯାହା ୬ ପ୍ରତିଶତ କମ୍। ସବୁଠାରୁ ଚିନ୍ତାଜନକ କଥା ହେଉଛି, ସର୍ଭେରେ ସାମିଲ ହୋଇଥିବା ୮୩ ପ୍ରତିଶତ ଖର୍ଚ୍ଚ କରୁଥିବା ପରିବାର ନିଜ ସଞ୍ଚୟରୁ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି।

ପାର୍ବଣ ପରେ କେମିତି ସମ୍ଭାଳିବେ ଆର୍ଥିକ ସ୍ଥିତି?ଆର୍ଥିକ ବିଶେଷଜ୍ଞ ଗୌରବ ଗର୍ଗଙ୍କ ମତରେ, ପାର୍ବଣ ପରବର୍ତ୍ତୀ ଆର୍ଥିକ ସ୍ଥିତି ସୁଧାରିବା ପାଇଁ ପ୍ରଥମେ ନିଜ ଖର୍ଚ୍ଚର ସଠିକ୍ ହିସାବ ରଖିବା ଜରୁରୀ।କ୍ରେଡିଟ୍ କାର୍ଡ ବିଲ୍, ବ୍ୟକ୍ତିଗତ ଋଣ, EMI ଏବଂ Buy Now Pay Laterରେ କିଣିଥିବା ସମସ୍ତ ଜିନିଷର ହିସାବ ଗୋଟିଏ ସ୍ଥାନରେ ଲେଖନ୍ତୁ। ଛୋଟ ଛୋଟ କିସ୍ତିକୁ ଅଣଦେଖା କରନ୍ତୁ ନାହିଁ। କାରଣ ଅନେକ ଛୋଟ EMI ମିଶି ମାସିକ ବଜେଟ୍ ଉପରେ ବଡ଼ ବୋଝ ସୃଷ୍ଟି କରିପାରେ।

ଅନାବଶ୍ୟକ ଖର୍ଚ୍ଚରେ ଲଗାନ୍ତୁ ବ୍ରେକ୍। ଆଗାମୀ କିଛି ମାସ ପାଇଁ ଅନାବଶ୍ୟକ ସପିଂ, ମହଙ୍ଗା ଗ୍ୟାଜେଟ୍ ଓ ବାହାରେ ଖାଇବା ଖର୍ଚ୍ଚ କମାନ୍ତୁ। ନୂଆ ଋଣ ନେବା ପୂର୍ବରୁ ପୁରୁଣା ଦେୟ ଶୁଝିବା ଉପରେ ଗୁରୁତ୍ୱ ଦିଅନ୍ତୁ।

କ୍ରେଡିଟ୍ କାର୍ଡର ସୁଧ ଅଧିକ ହୋଇପାରେ। ତେଣୁ ସମ୍ଭବ ହେଲେ ସମ୍ପୂର୍ଣ୍ଣ ବକେୟା ରାଶି ନିର୍ଦ୍ଧାରିତ ତାରିଖରେ ପୈଠ କରନ୍ତୁ। କେବଳ ଦେଇ ନିଶ୍ଚିନ୍ତ ହୋଇଯାଆନ୍ତୁ ନାହିଁ। ମାସିକ ଆୟରୁ ଖର୍ଚ୍ଚ ଓ EMI ବାଦ୍ ଦେଇ ଯାହା ବଳୁଛି, ସେଥିରୁ ଧୀରେ ଧୀରେ ଜରୁରୀକାଳୀନ ପାଣ୍ଠି ଗଢ଼ନ୍ତୁ। ଛୋଟ ଛୋଟ ସଞ୍ଚୟ ମଧ୍ୟ ଆଗକୁ ବଡ଼ ସହାୟତା ହୋଇପାରେ।

ପାର୍ବଣରେ ଖର୍ଚ୍ଚ କରିବା ଭୁଲ୍ ନୁହେଁ। ନିଜ ପରିବାରକୁ ଖୁସି ଦେବା ମଧ୍ୟ ଜରୁରୀ। କିନ୍ତୁ ସେହି ଖୁସି ଯଦି ଆଗାମୀ କିଛି ମାସର ଆର୍ଥିକ ଚିନ୍ତାର କାରଣ ପାଲଟେ, ତେବେ ସେଥିପ୍ରତି ସତର୍କ ରହିବା ଆବଶ୍ୟକ। ମନେ ରଖନ୍ତୁ, ପର୍ବର ଖୁସି କିଛି ଦିନ ପାଇଁ, କିନ୍ତୁ ଆର୍ଥିକ ଶୃଙ୍ଖଳା ସାରା ଜୀବନ ପାଇଁ।