ଭୁବନେଶ୍ୱର ୯/୧୧ : ଆପଣ କେବେ ଘଣ୍ଟାକୁ ଦେଖିବା ବେଳେ ବାରମ୍ବାର 11:11 ବାଜିଥିବା ଦେଖିଛନ୍ତି କି ? କେବେ ମୋବାଇଲ୍ରେ ତ ଆଉ କେବେ ଘଣ୍ଟାରେ । ଆଉ ଏହା ଦେଖିବା ପରେ ମନକୁ ଆସେ ଅନେକ ପ୍ରଶ୍ନ । ଏହା କ'ଣ କେବଳ ଏକ ସଂଯୋଗ, ନା ଏହା ପଛରେ ରହିଛି କୌଣସି ଆଧ୍ୟାତ୍ମିକ ସଙ୍କେତ ? 11:11 । ଚାରୋଟି ସମାନ ସଂଖ୍ୟା। ଦେଖିବାକୁ ଛୋଟ ହେଲେ ମଧ୍ୟ ଏହାକୁ ନେଇ ରହିଛି ଅନେକ ଲୋକଙ୍କ ଭିନ୍ନ ଭିନ୍ନ ବିଶ୍ୱାସ। ନ୍ୟୁମେରୋଲୋଜି ବା ସଂଖ୍ୟା ଜ୍ୟୋତିଷ ଅନୁସାରେ 11:11କୁ ଏକ ଶୁଭ ସଙ୍କେତ ବୋଲି କେତେକ ଲୋକ ବିଶ୍ୱାସ କରନ୍ତି ।

ଏହାକୁ ନୂଆ ଆରମ୍ଭ, ସକାରାତ୍ମକ ଚିନ୍ତାଧାରା ଏବଂ ଜୀବନରେ ପରିବର୍ତ୍ତନର ପ୍ରତୀକ ବୋଲି ମନେ କରାଯାଇଥାଏ । କେତେକ ଲୋକ ଏହାକୁ 'Angel Number' ବୋଲି ମଧ୍ୟ କୁହନ୍ତି। ସେମାନଙ୍କ ବିଶ୍ୱାସ ଅନୁସାରେ, ବାରମ୍ବାର 11:11 ଦେଖିବା ହେଉଛି ବ୍ରହ୍ମାଣ୍ଡ ପକ୍ଷରୁ ଏକ ସଙ୍କେତ । ଏହା ଆମକୁ ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦେବା ଏବଂ ନିଜ ଇଚ୍ଛାକୁ ପୂରଣ କରିବା ପାଇଁ ପ୍ରେରଣା ଦିଏ ବୋଲି ଜ୍ୟୋତିଷ କୁହନ୍ତି । କୁହାଯାଏ, ଯେତେବେଳେ ଆପଣ ବାରମ୍ବାର 11:11 ଦେଖୁଛନ୍ତି, ସେତେବେଳେ ନିଜ ଚିନ୍ତାଧାରା ଉପରେ ଧ୍ୟାନ ଦେବା ଉଚିତ୍। କାରଣ ଏହି ସମୟରେ ଆପଣ ଯାହା ଭାବୁଛନ୍ତି, ତାହା ଆପଣଙ୍କ ଲକ୍ଷ୍ୟ ଓ ଇଚ୍ଛା ସହ ଜଡ଼ିତ ହୋଇପାରେ ବୋଲି ଆଧ୍ୟାତ୍ମିକ ବିଶ୍ୱାସ ରହିଛି। ବିଶେଷକରି ପ୍ରେମ ଓ ସମ୍ପର୍କ କ୍ଷେତ୍ରରେ ଏହାକୁ ଏକ ବିଶେଷ ସଙ୍କେତ ବୋଲି ମନେ କରନ୍ତି ଲୋକ । ସେମାନଙ୍କ ବିଶ୍ୱାସ ଅନୁସାରେ, ଏହା ଜୀବନରେ ନୂଆ ପରିବର୍ତ୍ତନ, ପୁରୁଣା ସମ୍ପର୍କରେ ସୁଧାର ଆସିବା କିମ୍ବା ନିଜର ପ୍ରିୟଜନଙ୍କୁ ଭେଟିବାର ସଙ୍କେତ ହୋଇପାରେ। ତେବେ ଏସବୁ ଆଧ୍ୟାତ୍ମିକ ବିଶ୍ୱାସ, ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ ।

କିନ୍ତୁ ଏହାକୁ ନେଇ ବିଜ୍ଞାନ କ'ଣ କହୁଛି ଆପଣ ଜାଣନ୍ତି କି ? ମନୋବିଜ୍ଞାନ ଅନୁସାରେ ଏହା ପଛରେ ରହିଥାଏ 'Frequency Illusion' । ଅର୍ଥାତ୍, ଥରେ ଆମ ମନ କୌଣସି ନିର୍ଦ୍ଦିଷ୍ଟ ସଂଖ୍ୟା ପ୍ରତି ଆକର୍ଷିତ ହୋଇଗଲେ, ଆମେ ସେହି ସଂଖ୍ୟାକୁ ବାରମ୍ବାର ଲକ୍ଷ୍ୟ କରିବା ଆରମ୍ଭ କରିଦେଉ । ଦିନସାରା ଆମେ ଅନେକ ଥର ଘଣ୍ଟା ଦେଖୁଥାଉ । କିନ୍ତୁ କେବେ 10:35 କିମ୍ବା 12:47 ବାଜିଥିବା ଦେଖିଲେ ତାହା ମନେ ରହେନାହିଁ । ହେଲେ 11:11 ସମୟ ଦେଖିଲେ ତାହା ଆମ ମନରେ ରହିଯାଏ । ଯାହା ଫଳରେ ଆମକୁ ଲାଗେ ଯେ ଆମେ ବାରମ୍ବାର ଏହାକୁ ଦେଖୁଛୁ। ତେବେ ଏହା କୌଣସି ଆଧ୍ୟାତ୍ମିକ ସଙ୍କେତ ନା କେବଳ ମନର ଏକ ଭ୍ରମ, ତାହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ। କିନ୍ତୁ ଯଦି ଆପଣ 11:11 ଦେଖୁଛନ୍ତି, ତେବେ ଏହାକୁ ନିଜ ଜୀବନ, ଲକ୍ଷ୍ୟ ବିଷୟରେ ଚିନ୍ତା କରିବାର ଏକ ସୁନ୍ଦର ମୁହୂର୍ତ୍ତ ଭାବେ ନେଇପାରିବେ।