ଭୁବନେଶ୍ୱର : ଗର୍ଭାବସ୍ଥା ସମୟ ଜଣେ ମହିଳାଙ୍କ ପାଇଁ ଜୀବନର ସବୁଠୁ ସମ୍ବେଦନଶୀଳ ସମୟ । ଏହି ସମୟରେ ମହିଳାଙ୍କ ଶରୀରରେ ଅନେକ ହରମୋନ୍ ପରିବର୍ତ୍ତନ ହେବା ସହ ରୋଗ ପ୍ରତିରୋଧକ କ୍ଷମତାରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଫଳରେ ଋତୁ ପରିବର୍ତ୍ତନ ସମୟରେ ଥଣ୍ଡା, କାଶ, ଜ୍ୱର, ଫ୍ଲୁ ଓ ଅନ୍ୟାନ୍ୟ ସଂକ୍ରମଣର ଆଶଙ୍କା ବଢ଼ିପାରେ । କେତେକ କ୍ଷେତ୍ରରେ ଏହି ସଂକ୍ରମଣ ମା’ ସହ ଗର୍ଭସ୍ଥ ଶିଶୁ ପାଇଁ ମଧ୍ୟ ଜଟିଳତା ସୃଷ୍ଟି କରିପାରେ । ତେଣୁ ଗର୍ଭବତୀ ମହିଳାମାନେ ନିଜ ଖାଦ୍ୟପେୟ ଓ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ। ତେବେ କିଛିଟା କାରଣରୁ ଶରୀରରେ ବଢିଥାଏ ସଂକ୍ରମଣର ଆଶଙ୍କା । ଗର୍ଭାବସ୍ଥାରେ ଶରୀରର ପ୍ରତିରକ୍ଷା ପ୍ରଣାଳୀରେ ସ୍ୱାଭାବିକ ପରିବର୍ତ୍ତନ ହୋଇଥାଏ । ଏହା ସହିତ ଶ୍ୱାସକ୍ରିୟା ଓ ରକ୍ତ ସଞ୍ଚାଳନ ପ୍ରଣାଳୀରେ ମଧ୍ୟ ପରିବର୍ତ୍ତନ ଆସେ। ଏହି କାରଣରୁ ଫ୍ଲୁ ଭଳି କିଛି ସଂକ୍ରମଣ ଗର୍ଭବତୀ ମହିଳାଙ୍କଠାରେ ଅଧିକ ଦେଖାଯାଇଥାଏ । 

ଡାଏଟ୍ରେ ମୁଖ୍ୟାତଃ ଫଳମୂଳ , ପ୍ରୋଟିନଯୁକ୍ତ ଖାଦ୍ୟ , ଆଇରନ, ଖଣିଜ ଓ ଫାଇବର ଆଦି ସାମିଲ କରିବା ଜରୁରୀ । ଏହାଦ୍ୱାରା ଗର୍ଭବତୀ ମହିଳାଙ୍କୁ ସଂକ୍ରମଣ ସହ ଲଢ଼ିବାରେ ଶକ୍ତି ମିଳିଥାଏ । କମଳା, ପିଜୁଳି, ଅଁଳା ଓ ଲେମ୍ବୁ ଭଳି ଫଳ ଶରୀରକୁ ଭିଟାମିନ୍-ସି ଯୋଗାଇଥାଏ । ଏହା ରୋଗ ପ୍ରତିରୋଧକ ପ୍ରଣାଳୀର ସାଧାରଣ କାର୍ଯ୍ୟକୁ ସମର୍ଥନ କରେ। ଡାଲି, ଚଣା, ମୁଗ, ସିଝା ଅଣ୍ଡା, କ୍ଷୀର ଓ ଦହି ଭଳି ପ୍ରୋଟିନ୍ଯୁକ୍ତ ଖାଦ୍ୟ ନିଜ ଡାଏଟରେ ସାମିଲ କରନ୍ତୁ । ଏହା ମା’ ଓ ଶିଶୁଙ୍କ ଶରୀରର ଆବଶ୍ୟକ ପୋଷଣ ପୂରଣରେ ସହାୟକ ହୋଇଥାଏ । ପାଳଙ୍ଗ, ମେଥି, ବ୍ରୋକୋଲି ଓ ଅନ୍ୟାନ୍ୟ ସବୁଜ ପନିପରିବାରେ ଭିଟାମିନ୍, ଖଣିଜ ଓ ଫାଇବର୍ ରହିଛି। ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ନିୟମିତ ପାଣି ପିଅନ୍ତୁ। ଏହା ସହିତ ନଡ଼ିଆ ପାଣି ଓ ଘରେ ପ୍ରସ୍ତୁତ ସୁପ୍ ମଧ୍ୟ ପିଇପାରିବେ । ଅଳ୍ପ ପରିମାଣରେ ବାଦାମ, ଅଖରୋଟ ଓ ଅନ୍ୟାନ୍ୟ ବାଦାମ ଜାତୀୟ ଖାଦ୍ୟ ଖାଇପାରିବେ।

ଗର୍ଭବତୀ ମହିଳାମାନଙ୍କୁ ଏହି ସମୟରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡିବ । ସଂକ୍ରମଣରୁ ସୁରକ୍ଷିତ ରହିବାକୁ ହେଲେ ନିୟମିତ ଭାବେ ସାବୁନରେ ହାତ ଧୁଅନ୍ତୁ । ଭିଡ଼ ଥିବା ସ୍ଥାନରେ ମାସ୍କ ପିନ୍ଧନ୍ତୁ ଏବଂ ଅସୁସ୍ଥ ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ। ବାହାର ଖାଦ୍ୟ ଓ ଅପରିଷ୍କାର ପାଣି ପିଅନ୍ତୁ ନାହିଁ । ଫଳ ଓ ପନିପରିବାକୁ ଭଲ ଭାବେ ଧୋଇ ଖାଆନ୍ତୁ। ଅଧାସିଝା ଅଣ୍ଡା, ମାଂସ ଓ ମାଛ ଖାଆନ୍ତୁ ନାହିଁ। ପର୍ଯ୍ୟାପ୍ତ ନିଦ ନିଅନ୍ତୁ ଓ ଡାକ୍ତରଙ୍କ ପରାମର୍ଶ ଅନୁସାରେ ହାଲୁକା ବ୍ୟାୟାମ କରନ୍ତୁ ଓ ଆବଶ୍ୟକ ଟିକା ନିଅନ୍ତୁ । ଗର୍ଭାବସ୍ଥାରେ ଜ୍ୱର, ଥଣ୍ଡା, କାଶ, ଗଳା ଯନ୍ତ୍ରଣା, ବାନ୍ତି, ଝାଡ଼ା କିମ୍ବା ଶରୀରରେ ଅତ୍ୟଧିକ ଦୁର୍ବଳତା ଦେଖାଦେଲେ ଏହାକୁ ଅଣଦେଖା କରନ୍ତୁ ନାହିଁ। ନିଶ୍ୱାସ ନେବାରେ କଷ୍ଟ ହେଲେ , ଛାତିରେ ଯନ୍ତ୍ରଣା, ତୀବ୍ର ଜ୍ୱର କିମ୍ବା ଶିଶୁର ଗତିବିଧି କମିଯିବା ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସା ନିଅନ୍ତୁ। ନିଜ ଇଚ୍ଛାରେ ଆଣ୍ଟିବାୟୋଟିକ୍, ଜ୍ୱର କିମ୍ବା ଥଣ୍ଡା ପାଇଁ ଔଷଧ ଖାଆନ୍ତୁ ନାହିଁ। ଯେକୌଣସି ଔଷଧ ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଗର୍ଭାବସ୍ଥାରେ ସିଜନାଲ ଇନଫେକସନକୁ ହାଲୁକା ଭାବେ ନେବା ଉଚିତ୍ ନୁହେଁ। ସନ୍ତୁଳିତ ଖାଦ୍ୟ, ପରିଷ୍କାର ପରିଚ୍ଛନ୍ନତା, ପର୍ଯ୍ୟାପ୍ତ ବିଶ୍ରାମ ଓ ସମୟୋଚିତ ଡାକ୍ତରୀ ପରାମର୍ଶ ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷାରେ ସହାୟକ ହୋଇପାରେ।