ମୁମ୍ବାଇ : ଶିକ୍ଷା କେବଳ ଡିଗ୍ରୀ କିମ୍ବା ଚାକଚକ୍ୟପୂର୍ଣ୍ଣ ଚାକିରିରେ ସୀମିତ ନଥାଏ । ଜୀବନର ଅନୁଭବ ମଧ୍ୟ ମଣିଷକୁ ଅନେକ ବଡ଼ ବଡ଼ ଶିକ୍ଷା ଦେଇଥାଏ । ଏହାର ଏକ ଜୀବନ୍ତ ଉଦାହରଣ ପାଲଟିଛନ୍ତି ଜଣେ ଅଟୋ-ରିକ୍ସା ଡ୍ରାଇଭର । ମହାରାଷ୍ଟ୍ରର ଜଣେ ସାଧାରଣ ଅଟୋ ଡ୍ରାଇଭର ନିଜର ସରଳ କଥା ଓ ଜୀବନକୁ ଦେଖିବାର ସକାରାତ୍ମକ ଦୃଷ୍ଟିକୋଣ ପାଇଁ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । ଇନ୍ସଟାଗ୍ରାମରେ ଭାଇରାଲ୍ ହୋଇଥିବା ଏକ ଭିଡିଓରେ ଅଟୋ ଡ୍ରାଇଭର ଜଣକ ଇଂରାଜୀ ଭାଷାର ମହତ୍ତ୍ୱକୁ ସୁନ୍ଦରଭାବରେ ବୁଝାଇଛନ୍ତି । ସେ କହିଛନ୍ତି ''ଯଦି ଇଂରାଜୀ ଜାଣିଛ ତାହାଲେ ଆପଣ ଲଣ୍ଡନ, ପ୍ୟାରିସ୍ ଆଉ ଆମେରିକା ଯାଇପାରିବେ''। ଏମିତି କିଛି କଥା କହି ଏବେ ସୋସିଆଲ୍ ମିଡିଆରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଅଟୋ ଡ୍ରାଇଭର ଜଣକ ।

 

ବଡ କଥାଟି ହେଲା ଭିଡିଓଟି ୨୦୨୪ ମସିହାର ହୋଇଥିବାବେଳେ ଏହାକୁ ନେଇ ଏବେ ପୁଣିଥରେ ଚର୍ଚ୍ଚା ବଢିଛି । ମହାରାଷ୍ଟ୍ରର ଅମରାବତୀର ଜଣେ ବୟସ୍କ ଅଟୋ ଚାଳକ। ପେଶାରେ ଅଟୋ ଡ୍ରାଇଭର୍ ହେଲେ ମଧ୍ୟ ତାଙ୍କର ଇଂରାଜୀ କହିବାର ଦକ୍ଷତା କୌଣସି ପ୍ରଫେସନାଲଙ୍କ ଠାରୁ କମ୍ ନୁହେଁ। ଭାଇରାଲ୍ ଭିଡିଓରେ ସେ ଜଣେ ଯୁବକଙ୍କ ସହ ଇଂରାଜୀରେ କଥା ହେଉଥିବାବେଳେ ଯୁବକ ଜଣକ ତୁରନ୍ତ ତାଙ୍କ ମୋବାଇଲରେ ଚାଳକଙ୍କ ଭିଡିଓ ସୁଟ କରିଥିଲେ । ଏହି ଭିଡିଓଟି ଇନଷ୍ଟାଗ୍ରାମ ୟୁଜର ଭୂଷଣ ପୋହାନେଙ୍କ ଦ୍ୱାରା ସେୟାର କରାଯାଇଛି, ଯିଏ ସ୍ୱୀକାର କରିଛନ୍ତି ଯେ ଡ୍ରାଇଭରଙ୍କ ଇଂରାଜୀରେ କଥା କହିବା ଶୈଳୀ ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା। କଥା କଥାରେ ଡ୍ରାଇଭର ଜଣକ କହୁଥିଲେ , ଯଦି ଆପଣ ଇଂରାଜୀ ଜାଣିଛନ୍ତି, ତେବେ ଆପଣ ବି ଲଣ୍ଡନ, ପ୍ୟାରିସ୍ ଓ ଆମେରିକା ଯାଇପାରିବେ । କିନ୍ତୁ ଇଂରାଜୀ ନ ଜାଣିଲେ ବିଦେଶରେ ଯୋଗାଯୋଗ କରିବା କଷ୍ଟକର ହେବ। ତେବେ ଏହି ଭିଡ଼ିଓଟି ଆଜିର ଯୁବପିଢିଙ୍କୁ ଶିକ୍ଷା ଦେଉଛି ଯେ ଜୀବନରେ ଉଚ୍ଚ ଶିକ୍ଷା ସହିତ ଇଂରାଜୀର ମଧ୍ୟ ଦକ୍ଷତା ରହିବା ବି ନିହାତି ଜରୁରୀ । ଆଉ ଏହି କଥାକୁ ଡ୍ରାଇଭର ଜଣକ ଅତି ସରଳ ଇଂରାଜୀରେ କହି ବୁଝାଇଛନ୍ତି ଏବଂ ଆଗାମୀ ପିଢ଼ିର ପିଲାଙ୍କୁ ଏଥିପ୍ରତି ଉତ୍ସାହିତ ମଧ୍ୟ କରାଇଛନ୍ତି । ତାଙ୍କର ଏହି କଥା କେବଳ ଏକ ପରାମର୍ଶ ନୁହେଁ, ବରଂ ଜୀବନରେ ଶିକ୍ଷା ଓ ଆତ୍ମବିଶ୍ୱାସ ମଣିଷ ପାଇଁ କେତେ ଜରୁରୀ, ତାହାର ଏକ ସୁନ୍ଦର ବାର୍ତ୍ତା ଦେଇଛି ।

ଖାଲି ଏତିକି ନୁହେଁ, ଏହାକୁ ନେଇ ସେ ଲଣ୍ଡନର ଏକ ହୋଟେଲ୍ର ଉଦ୍ଧାର ଦେଇ କହିଛନ୍ତି, ଯେ ଇଂରାଜୀ ଜାଣିଥିଲେ ଆପଣ ନିଜର ଆବଶ୍ୟକତା ଅନ୍ୟମାନଙ୍କୁ ସହଜରେ ଜଣାଇପାରିବେ। ଯିଏ ଇଂରାଜୀ ଜାଣନ୍ତି ସେ ଆରାମରେ ଜଣେ ୱେଟରଙ୍କୁ ପାଣି ମାଗିପାରିବେ ଏବଂ ସେମାନଙ୍କର ଆବଶ୍ୟକତା ବିଷୟରେ ଜଣାଇପାରିବେ। କିନ୍ତୁ, ଯଦି ସେଠି ଆପଣ ଆପଣଙ୍କ ଆଞ୍ଚଳିକ ଭାଷାରେ କିଛି କହିବେ, ତେବେ ସେଠାରେ ଆପଣଙ୍କୁ କେହି ପଚାରିବେ ବି ନାହିଁ । ତେଣୁ ଇଂରାଜୀ ଶିଖିବା ଏବଂ କହିବା ଉଭୟରେ ଦକ୍ଷତା ରହିବ ଜରୁରୀ ବୋଲି ସେ ପରାମର୍ଶ ଦେଇଛନ୍ତି । ଡ୍ରାଇଭରଙ୍କ ଏହି ଭିଡିଓଟି ପୁରୁଣା ହୋଇଥିଲେ ବି ଏବେ ପୁଣିଥରେ ଭାଇରାଲ୍ ହେବା ପରେ ଅନେକ ଲୋକ ଅଟୋ ଡ୍ରାଇଭରଙ୍କ ଇଂରାଜୀ ଏବଂ ଆତ୍ମବିଶ୍ୱାସର ପ୍ରଶଂସା କରୁଛନ୍ତି। ଅନେକ ୟୁଜର୍ସ ଏହାକୁ ନେଇ ପ୍ରତିକ୍ରିୟା ବି ଦେଇଛନ୍ତି । କେହି କହିଛନ୍ତି ଯେ ଦୀର୍ଘ ବର୍ଷରୁ ଇଁରାଜୀ ଶିକ୍ଷା ନେଇ ମଧ୍ୟ ସେ ଡ୍ରାଇଭରଙ୍କୁ ଭଳି ଇଂରାଜୀ କହିପାରୁନାହାନ୍ତି ତ ଆଉ କିଏ କହୁଛନ୍ତି ଯେ ତାଙ୍କ ଇଂରାଜୀ କହିବାର ଶୈଳୀ ପୂର୍ବତନ ରାଷ୍ଟ୍ରପତି ତଥା ବୈଜ୍ଞାନିକ ଏପିଜେ ଅବଦୁଲ କଲାମଙ୍କ ଭଳି ସମାନ ଲାଗୁଚି । ତେବେ ଏହି ଭିଡିଓ ଗୋଟିଏ କଥା ମନେ ପକାଇ ଦେଉଛି ଯେ ପ୍ରତିଭା କେବଳ ଡିଗ୍ରୀ କିମ୍ବା ଚାକିରି ଭିତରେ ସୀମିତ ନୁହେଁ। ଆତ୍ମବିଶ୍ୱାସ ଓ ଶିଖିବାର ଅଦମ୍ୟ ଇଚ୍ଛା ବଳରେ ମଣିଷ ସବୁପ୍ରକାର ଦକ୍ଷତା ହାସଲ କରିପାରିବ ।