ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ସ୍ଵତନ୍ତ୍ର ଗହନ ପୁନଃନିରୀକ୍ଷଣ(SIR) ସଂପର୍କିତ ମାମଲାରେ ବଡ଼ ଆଦେଶ ଦେଲେ ସୁପ୍ରିମକୋର୍ଟ। ସର୍ବୋଚ୍ଚ ନ୍ୟାୟାଳୟ ନିଜ ରାୟରେ କହିଛନ୍ତି, SIR ଟ୍ରିବ୍ୟୁନାଲ ଦ୍ଵାରା କ୍ଲିନ ଚିଟ୍ ପାଇଥିବା ମତଦାତା ଭୋଟ୍ ଦେଇ ପାରିବେ। ଏପ୍ରିଲ ୨୧ ସୁଦ୍ଧା ଯେଉଁ ଭୋଟରଙ୍କୁ ଏହି କ୍ଲିନଚିଟ୍ ମିଳିଛି ସେମାନେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ଦେଇ ପାରିବେ। ଏହିପରି ଏପ୍ରିଲ୨୭ ସୁଦ୍ଧା ଟ୍ରିବ୍ୟୁନାଲରୁ କ୍ଲିନ ଚିଟ୍ ପାଇଥିବା ଭୋଟର ଦ୍ଵିତୀୟ ପର୍ଯ୍ୟାୟରେ ଭୋଟ୍ ଦେଇ ପାରିବେ। ଏହି ନିଷ୍ପତ୍ତି ସେହି ଭୋଟରଙ୍କ ହିତ ପାଇଁ ନିଆଯାଇଛି, ଯାହାଙ୍କ ନାଁ SIR ପ୍ରକ୍ରିୟା ସମୟରେ ଭୋଟର ତାଲିକାରୁ ହଟାଇ ଦିଆଯାଇଥିଲା। ଏସବୁ ଭୋଟରଙ୍କ ଆବେଦନ ଉପରେ ଟ୍ରିବ୍ୟୁନାଲ ନିଷ୍ପତ୍ତି ଶୁଣାଇଥିଲେ।

ଏହା ପୂର୍ବରୁ ସୁପ୍ରିମକୋର୍ଟ  ପଶ୍ଚିମବଙ୍ଗରେ SIR ସମୟରେ ଭୋଟର ତାଲିକାରୁ କଟାଯାଇଥିବା ଲୋକଙ୍କୁ ନେଇ ମହତ୍ଵପୂର୍ଣ୍ଣ ଟିପ୍ପଣୀ କରିଥିଲେ। କୋର୍ଟ କହିଥିଲେ, ଟ୍ରିବ୍ୟୁନାଲରେ ବିଚାରଧୀନ ଲୋକଙ୍କୁ ଆଗାମୀ ବିଧାନସଭା ନିର୍ବାଚନରେ ଭୋଟ୍ ଦେବାର ଅନୁମତି ଦିଆଯିବ ନାହିଁ। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଜୟମାଲା ବାଗଚୀଙ୍କ ପୀଠ ଶୁଣାଣି ସମୟରେ ସ୍ପଷ୍ଟ କରିଥିଲେ ଯେ, ଅପିଲ୍ ଏବେ ବି ସ୍ଥିର ହୋଇ ନାହିଁ। ଏମିତି ସ୍ଥିତିରେ ଅନ୍ତରୀଣ ଆଶ୍ଵସ୍ତି ଦେଇ ଭୋଟିଂ ଅଧିକାର ଦେବା ସମ୍ଭବ ନୁହେଁ। ଏଥିରେ ନିର୍ବାଚନ ପ୍ରକ୍ରିୟାର ଅଖଣ୍ଡତା ପ୍ରଭାବିତ ହୋଇପାରେ।

Also Read: ସୁପ୍ରିମକୋର୍ଟ ମାନିଲେ, କହିଲେ- ମହିଳାଙ୍କ ସ୍ୱାଧୀନତା ଏବେବି ସୀମିତ

କୋର୍ଟ ଏହା ମଧ୍ୟ କହିଥିଲେ, ଯଦି ଟ୍ରିବ୍ୟୁନାଲ ଆବେଦନକୁ ମଞ୍ଜୁରୀ ଦିଅନ୍ତି, ତେବେ ସେହି ବ୍ୟକ୍ତିଙ୍କୁ ଭୋଟର ତାଲିକାରେ ସାମିଲ୍ କରାଯାଇପାରେ। ଉଲ୍ଲେଖନୀୟ ପଶ୍ଚିମବଙ୍ଗରେ ଏସଆଇଆର ପ୍ରକ୍ରିୟା ଆଧାରରେ ଲକ୍ଷାଧିକ ନାଁ ଭୋଟର ତାଲିକାରୁ ବାଦ୍ ପଡ଼ିଥିଲେ। ଏହାରି ବିରୋଧରେ ଏ ପର୍ଯ୍ୟନ୍ତ ୩୪ ଲକ୍ଷରୁ ଅଧିକ ଆବେଦନ ଦାଖଲ ହୋଇ ସାରିଛି। ଏଥିରୁ ଅନେକ ଆବେଦନ ଟ୍ରିବ୍ୟୁନାଲରେ ବିଚାରଧୀନ ରହିଛି।