ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଯେଉଁ ମତଦାତାଙ୍କ ନାମ ଭୋଟର ଲିଷ୍ଟରୁ ବାଦପଡିଛି ସେମାନଙ୍କୁ ସୁପ୍ରିମକୋର୍ଟରୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳି ପାରିଲାନି। କାରଣ ସୋମବାର ସୁପ୍ରିମକୋର୍ଟ ଏସଆଇଆରରେ ବାଦପଡିଥିବା ଭୋଟର ଓ ଯେଉଁମାନଙ୍କ ଆବେଦନ ବିଚାରାଧୀନ ଅଛି ସେମାନଙ୍କୁ ଅନ୍ତରୀଣ ମତଦାନ ଅଧିକାର ଦେବାକୁ ମନା କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଆଗାମୀ ବିଧାନସଭା ନିର୍ବାଚନରେ ଏମାନଙ୍କୁ ମତଦାନ ଲାଗି ଅନୁମତି ଦେଇ ହେବନି।

ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟା ବାଗଚୀଙ୍କ ପୀଠ ପଶ୍ଚିମବଙ୍ଗରେ ଏସଆଇଆର ଏକ୍ସରସାଇଜକୁ ଚ୍ୟାଲେଞ୍ଜ କରୁଥିବା ଏକ ସମୂହ ଆବେଦନର ଶୁଣାଣି କରି ଏହି ଟିପ୍ପଣୀ କରିଛନ୍ତି। ଆବେଦନକାରୀମାନେ ଭୋଟର ଲିଷ୍ଟ ଫ୍ରିଜ କରିବା ତିଥିକୁ ସମ୍ପ୍ରସାରଣ କରିବାକୁ ଆଗ୍ରହ କରିଥିଲେ। ଏହାଦ୍ୱାରା ସେମାନଙ୍କ ଆବେଦନ ସ୍ୱୀକାର ହେଲେ ସେମାନେ ଆଗାମୀ ନିର୍ବାଚନରେ ଅଂଶଗ୍ରହଣ କରିପାରିବେ। ଭୋଟର ଲିଷ୍ଟକୁ ଏପ୍ରିଲ ୯ ତାରିଖରେ ଫ୍ରିଜ କରାଯାଇଥିଲା। ଆବେଦନକାରୀ ତର୍କ ଦେଇଛନ୍ତି ଯେ ସେମାନଙ୍କ ମଧ୍ୟରୁ ଅନେକଙ୍କ ନାମ ୨୦୦୨ ଭୋଟର ଲିଷ୍ଟରେ ଥିଲା ଓ ସେମାନଙ୍କ ପାଖରେ ଆଧାରକାର୍ଡ ଓ ପାସପୋର୍ଟ ଭଳି ଡକ୍ୟୁମେଣ୍ଟ ଅଛି।

ମାମଲାରେ ସିଜେଆଇ ଟିପ୍ପଣୀ କରି କହିଛନ୍ତି ଯେ ‘ସେମାନଙ୍କୁ ମତଦାନର ଅନୁମତି ଦେବାକୁ ପ୍ରଶ୍ନ ଉଠୁଛି କେଉଁଠୁ? ଯଦି ଆମେ ସେମାନଙ୍କୁ ଅନୁମତି ଦେଉ ତେବେ ସେମାନଙ୍କ ମତଦାନ ଅଧିକାର ଉପରୋ ରୋକ ଲଗାଇବାକୁ ପଡିବ ଯେଉଁମାନେ ଏଥିରେ ସାମିଲ ଅଛନ୍ତି’। ନ୍ୟାୟାଳୟ କହିଛନ୍ତି ଯେ ଯେଉଁମାନଙ୍କ ବିରୋଧରେ ମାମଲା ବିଚାରାଧୀନ ରହିଛି ସେମାନଙ୍କୁ ଭୋଟ ଦେବାକୁ ଅନୁମତି ଦିଆଯାଇ ପାରିବନି। ସିଜେଆଇ କହିଛନ୍ତି ଯେ ଆମେ ଏପରି ପରିସ୍ଥିତି ସୃଷ୍ଟି କରିପାରିବୁନି ଯାହାଦ୍ୱାରା ଆପିଲେଟ ଟ୍ରିବ୍ୟୁନାଲ ଓ ବିଚାରପତିଙ୍କ ଉପରେ ବୋଝ ପଡିବ।

ଏହି ଘଟଣାକ୍ରମ ଏପରି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ଏସଆଇଆର ପ୍ରକ୍ରିୟା ଯୋଗୁ ପଶ୍ଚିମବଙ୍ଗ ଭୋଟର ଲିଷ୍ଟରୁ ୯୦ ଲକ୍ଷ ଭୋଟର ବାଦ ପଡିଥିବାର ଖବର ଆସୁଛି। ଏମାନଙ୍କ ମଧ୍ୟରେ ପାଖାପାଖି ୬୩% ହିନ୍ଦୁ ହୋଇଥିବା ବେଳେ ୩୪% ମୁସଲମାନ ଭୋଟର ଅଛନ୍ତି। ରାଜ୍ୟର ମୋଟ ଜନସଂଖ୍ୟାରେ ମୁସଲମାନଙ୍କ ସଂଖ୍ୟା ୨୭%। ତେବେ ନାମ ହଟିଥିବା ଭୋଟରଙ୍କ ମଧ୍ୟରେ ଏମାନଙ୍କ ଅନୁପାତ ଅଧିକ ରହିଛି। ଏଥିରେ ‘ଦି ହିନ୍ଦୁ’ ରିପୋର୍ଟ ଅନୁସାରେ ବହୁ ସଂଖ୍ୟାରେ ହିନ୍ଦୁ ଭୋଟରଙ୍କୁ ମଧ୍ୟ ଭୋଟର ଲିଷ୍ଟରୁ ବାହାର କରିଦିଆଯାଇଛି।

ଏଥି ମଧ୍ୟରେ ତୃଣମୂଳ କଂଗ୍ରେସ(ଟିଏମସି) ନେତା ତଥା ପୂର୍ବତନ କ୍ରିକେଟର ୟୁସୁଫ ପଠାନ ଏସଆଇଆରର କଡା ସମାଲୋଚନା କରି କହିଛନ୍ତି ଯେ ‘ଦେଶରେ ଯୋଗ୍ୟ ଭୋଟରଙ୍କ ସହ ଏହା ଅନ୍ୟାୟ କରାଯାଉଛି’। ସେ କହିଛନ୍ତି ଯେ ଏହା ସମ୍ବିଧାନ ଦ୍ୱାରା ପ୍ରଦତ ମତଦାନ ଅଧିକାରର ମଧ୍ୟ ଉଲ୍ଲଂଘନ। ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରିଛନ୍ତି। କହିଛନ୍ତି ଏସଆଇଆର ପ୍ରକ୍ରିୟା ଭୋଟରଲିଷ୍ଟ ହେରଫେର କରିବା ପାଇଁ ଏହ ବଡ଼ ଅନିୟମିତତା। ସେ ଏକ ରାଲିକୁ ସମ୍ବୋଧିତ କରି କହିଛନ୍ତି ଯେ ରାଜ୍ୟରେ ୯୦ ଲକ୍ଷ ଲୋକଙ୍କ ନାମ ଭୋଟର ଲିଷ୍ଟରୁ ହଟାଇ ଦିଆଯାଇଛି ଓ କେନ୍ଦ୍ର ସରକାର ଅପ୍ରତ୍ୟକ୍ଷ ରୂପେ ଜାତୀୟ ନାଗରିକ ରେଜିଷ୍ଟର (ଏନଆରସି) ଲାଗୁ କରିବାର କଥା କହୁଛନ୍ତି।