ଗାନ୍ଧୀନଗର: ୭୨ତମ ଜାତୀୟ ଫିଲ୍ମ ପୁରସ୍କାର ଗୁଜରାଟର ଏକତା ନଗରରେ ଅନୁଷ୍ଠିତ ହୋଇଛି । ପ୍ରଥମ ଥର ପାଇଁ ନ୍ୟାସନାଲ ଅୱାର୍ଡସ ସମାରୋହ ଦିଲ୍ଲୀ ବାହାରେ ଆୟୋଜିତ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତ ବିଜେତାଙ୍କୁ ପୁରସ୍କାରରେ ସମ୍ମାନିତ କରିଛନ୍ତି । ବିଭିନ୍ନ ବର୍ଗରେ ମୋଟ ୯୨ ଜଣ ବିଜେତାଙ୍କୁ ସମ୍ମାନିତ କରାଯାଇଥିଲା । ୨୦୨୪ର ଦାଦାସାହେବ ଫାଲକେ ପୁରସ୍କାର କନ୍ନଡ ଅଭିନେତା ଅନନ୍ତ ନାଗଙ୍କୁ ପ୍ରଦାନ କରାଯାଇଥିଲା । କନ୍ନଡ, ହିନ୍ଦୀ ଏବଂ ଅନ୍ୟାନ୍ୟ ଭାରତୀୟ ଭାଷାର ଚଳଚ୍ଚିତ୍ରରେ କାମ କରିଥିବା ନାଗ "ଅଙ୍କୁର," "ନିଶାନ୍ତ," "ଭୂମିକା," "ମାଲଗୁଡି ଡେଜ୍," ଏବଂ "କେଜିଏଫ୍" ଭଳି ଚଳଚ୍ଚିତ୍ର ପାଇଁ ଜଣାଶୁଣା । ତାଙ୍କୁ ୨୦୨୫ ମସିହାରେ ପଦ୍ମଶ୍ରୀ ମଧ୍ୟ ପ୍ରଦାନ କରାଯାଇଥିଲା ।

'ଆର୍ଟିକିଲ୍ ୩୭୦' ପାଇଁ ୟାମୀ ଗୌତମ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ପୁରସ୍କାର ଗ୍ରହଣ କରିଥିଲେ । ମାମୁଟି (ବ୍ରହ୍ମଯୁଗମ୍) ଏବଂ କାର୍ତ୍ତିକ ଆର୍ୟନ (ଚନ୍ଦୁ ଚାମ୍ପିଅନ୍) ମିଳିତ ଭାବରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ବାଣ୍ଟି ନେଇଥିଲେ । 

କାର୍ତ୍ତିକ ଆର୍ୟନ

କାର୍ତ୍ତିକ ଆର୍ୟନ କଳା ରଙ୍ଗର ସୁଟ୍ ପିନ୍ଧି ନ୍ୟାସନାଲ ଅୱାର୍ଡ ଗ୍ରହଣ କରିବାକୁ ପହଞ୍ଚିଥିଲେ । କାର୍ତ୍ତିକଙ୍କ ପାଇଁ ଏହି ପୁରସ୍କାର ଖୁବ୍ ଖାସ୍, କାରଣ ଏହା ତାଙ୍କର ପ୍ରଥମ ନ୍ୟାସନାଲ ଫିଲ୍ମ ଅୱାର୍ଡ । କାର୍ତ୍ତିକଙ୍କୁ ଫିଲ୍ମ 'ଚନ୍ଦୁ ଚାମ୍ପିୟନ୍' ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି ।

ଧନୁଷ

ଧନୁଷ ଏହି ସମାରୋହରେ ସାଉଥ୍ ଇଣ୍ଡିଆନ୍ ଷ୍ଟାଇଲର ଧଳା ସାର୍ଟ ଏବଂ ଧଳା ଧୋତି ପିନ୍ଧିଥିବାର ନଜର ଆସିଥିଲେ । ଧନୁଷଙ୍କୁ ତାଙ୍କ ଫିଲ୍ମ 'ରାୟନ୍' ପାଇଁ ବେଷ୍ଟ ତାମିଲ ଫିଲ୍ମର ନ୍ୟାସନାଲ ଅୱାର୍ଡ ମିଳିଛି । ଧନୁଷଙ୍କୁ 'କ୍ୟାପଟେନ୍ ମିଲର୍'ରେ ତାଙ୍କ ପ୍ରଦର୍ଶନ ପାଇଁ ସ୍ପେଶାଲ ମେନସନ୍ ମଧ୍ୟ ମିଳିଛି ।

ୟାମୀ ଗୌତମ

ୟାମୀ ଗୌତମଙ୍କୁ ଫିଲ୍ମ 'ଆର୍ଟିକିଲ୍ ୩୭୦' ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି । ପୁରସ୍କାର ଗ୍ରହଣ କରିବା ପାଇଁ ସେ କଳା ରଙ୍ଗର ଶାଢ଼ୀ ପିନ୍ଧିଥିବାର ନଜର ଆସିଛନ୍ତି । ୟାମୀଙ୍କ ସହ ସ୍ୱାମୀ ଆଦିତ୍ୟ ଧର ମଧ୍ୟ ନଜର ଆସିଥିଲେ । ନିଜର ପ୍ରଥମ ନ୍ୟାସନାଲ ଅୱାର୍ଡ ମିଳିବା ପରେ ୟାମୀ କହିଛନ୍ତି, 'ଏହା ପ୍ରତ୍ୟେକ କଳାକାରଙ୍କ ପାଇଁ ସବୁଠାରୁ ବଡ଼ ସମ୍ମାନ । ମୁଁ ଜାଣିପାରୁନି ଯେ ମୁଁ ଏହାକୁ କିପରି ପ୍ରକାଶ କରିବି । ମୋ ମୁହଁରେ କେବଳ ହସ ଅଛି ।'

ମାମୁଟି

ମାମୁଟି ରେଡ୍ କାର୍ପେଟରେ ଧଳା ରଙ୍ଗର ସୁଟ୍ ପିନ୍ଧି ପହଞ୍ଚିଥିଲେ । ଏହି ସମୟରେ ସେ ନିଜ ଯାତ୍ରା ବିଷୟରେ କହିଥିଲେ, "ଜଣେ କଳାକାରଙ୍କ କାମକୁ ଯେତେବେଳେ ଜାତୀୟ ସ୍ତରରେ ସମ୍ମାନିତ କରାଯାଏ, ସେତେବେଳେ ଏହା ପ୍ରତ୍ୟେକ କଳାକାରଙ୍କ ପାଇଁ ପ୍ରେରଣାଦାୟକ ହୋଇଥାଏ ଏବଂ ଏହା ମୋର ସୌଭାଗ୍ୟ ଯେ ଏହା ମୋର ଚତୁର୍ଥ ନ୍ୟାସନାଲ ଅୱାର୍ଡ । ଏହା ଏକ ଦୀର୍ଘ ଯାତ୍ରା ଏବଂ ଏହା ପଛରେ ଅନେକ ଲୋକଙ୍କ ସହଯୋଗ ରହିଛି । ମୋର ନିର୍ଦ୍ଦେଶକ, ସହ-କଳାକାର ସମସ୍ତଙ୍କର । ଆଶା କରୁଛି ମୁଁ ଆଗକୁ ଆହୁରି ଭଲ କାମ କରିବି ।"

ରଣଦୀପ ହୁଡ୍ଡା

ରଣଦୀପ ମଧ୍ୟ ଧଳା ରଙ୍ଗର ସୁଟ୍ ପିନ୍ଧିଥିବାର ନଜର ଆସିଥିଲେ । ପୁରସ୍କାରକୁ ନେଇ ରଣଦୀପ କହିଛନ୍ତି, "ଏହି ଅୱାର୍ଡ ମୋ ପାଇଁ ଖୁବ୍ ଖାସ୍, କାରଣ ଏହା ମୋର ପ୍ରଥମ ପୁରସ୍କାର ।" ରଣଦୀପଙ୍କୁ 'ସ୍ୱାତନ୍ତ୍ର୍ୟ ବୀର ସାବରକର' ପାଇଁ ବେଷ୍ଟ ଡେବ୍ୟୁ ଡାଇରେକ୍ଟରର ନ୍ୟାସନାଲ ଅୱାର୍ଡ ମିଳିଛି ।