ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପତ୍ନୀଙ୍କୁ ପୋଡି ମାରିଥିବା ବ୍ୟକ୍ତିର ଆଜୀବନ ଜେଲଦଣ୍ଡାଦେଶ ଉପରେ ମୋହର ଲଗାଇ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ସମାଜର ପିତୃସତ୍ତାତ୍ମକ ବିଚାର ଉପରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। କୋର୍ଟ କହିଛନ୍ତି ଯେ ଆଇନ ଓ ଆର୍ଥିକ ପ୍ରଗତି ବଡ ସ୍ତରରେ ହେଉଥିବା ଦେଖା ଯାଉଛି, ହେଲେ ପିତୃସତ୍ତାର ଚେର ଏବେବି ସମାଜର ଗଭୀରତାରେ ଖେଳେଇ ହୋଇ ରହିଛି। ଦେଶରେ ଯୌତୁକ ବେଆଇନ ହୋଇଛି ହେଲେ ଏବେବି ଏହାକୁ ସମାଜରେ କାୟମ ରଖିଥିବା ସାମାଜିକ ମାନ୍ୟତାକୁ ଏପର୍ଯ୍ୟନ୍ତ ସମାପ୍ତ କରାଯାଇ ପାରିନି।

କୋର୍ଟ କହିଛନ୍ତି ଯେ ପ୍ରଗତି ଓ ହିଂସା ଏକସଙ୍ଗରେ ହେବା ଏକ ବିରୋଧାଭାସ ଆଡକୁ ଇସାରା କରୁଛି। ଶୀର୍ଷ ନ୍ୟାୟାଳୟ କହିଛନ୍ତି ଯେ କଲ୍ୟାଣକାରୀ ଯୋଜନା ଶିକ୍ଷାକୁ ପ୍ରୋତ୍ସାହିତ ତ କରିପାରିବ ହେଲେ ବିବାହ ଓ ପରିବାରରେ ମହିଳାଙ୍କ ଭୂମିକା ସମ୍ପର୍କରେ ଦୀର୍ଘ ସମୟରୁ ଚଳି ଆସୁଥିବା ମାନ୍ୟତାକୁ ବଦଳାଇ ପାରିନାହିଁ। ଫଳରେ ପାରିବାରିକ ହିଂସା ଓ ପତ୍ନୀକୁ ପୋଡି ମାରିଦେବା ଭଳି କ୍ରୁର କୃତ୍ୟ କୌଣସି ଅପବାଦ ଭାବେ ନୁହେଁ ବରଂ ଏକ ରୁଗ୍ଣ ସାମାଜିକ ବ୍ୟବସ୍ଥାର ଲକ୍ଷଣ ହୋଇ ରହିଛି।

ସର୍ବୋଚ୍ଚ ନ୍ୟାୟାଳୟ ସମାଜରେ ବ୍ୟାପ୍ତ ପିତୃସତ୍ତାତ୍ମକ ବିଚାର ଉପରେ ଟିପ୍ପଣୀ କରି କହିଛନ୍ତି ଅନେକ ସହରାଞ୍ଚଳରେ ଲିଙ୍ଗ ଆଧାରିତ ଭୂମିକା କଡ଼ାକଡି ଲାଗୁ ହେଉ ନାହିଁ। ହେଲେ ଗ୍ରାମୀଣ ଓ ଅର୍ଦ୍ଧ ସହର ପରିବେଶରେ ପିତୃସତ୍ତା ଆଜିବି ଦୈନନ୍ଦିନ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିଛି। ଘର ପରିବାରରେ ଆଜି ବି ଅଧିକାର ପୁରୁଷଙ୍କ ହାତରେ ରହିଛି ଓ ମହିଳାଙ୍କ ସ୍ୱାୟତ୍ତତା ପ୍ରାୟତଃ ସର୍ତ୍ତ ମଧ୍ୟରେ ସୀମିତ ରହିଛି। କୋର୍ଟ କହିଛନ୍ତି ଯଦିଓ ମହିଳା ଆତ୍ମ ନିର୍ଭର, ନିଜେ ରୋଜଗାରକ୍ଷମ ତଥାପି ତାଙ୍କଠାରୁ ଏହା ଆଶା କରାଯାଉଛି ଯେ କାମକୁ ଯିବା ପୂର୍ବରୁ ଘର ଗୃହସ୍ଥି କାମ ଠିକ ଭାବେ କରି ଯାଆନ୍ତୁ। କାମରୁ ଫେରିବା ପରେ ମଧ୍ୟ ରୋଷେଇ କରିବା ଓ ଅନ୍ୟ କାମ ତାଙ୍କୁ କରିବାକୁ ପଡୁଛି।

ପତ୍ନୀଙ୍କୁ ପୋଡି ମାରିବା ପାଇଁ ଆଜୀବନ କାରାଦଣ୍ଡ
ସମାଜର ଦୁଃଖଦ ଛବି ତୋଳୁଥିବା ଏହି ନିଷ୍ପତ୍ତି ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସଞ୍ଜୟ କରୋଲ ଓ ଜଷ୍ଟିସ୍ ଏନ.କୋଟିଶ୍ୱର ସିଂହଙ୍କ ପୀଠ ରାଜସ୍ଥାନର ଏକ ମାମଲାରେ ପତ୍ନୀଙ୍କୁ ପୋଡି ମାରିଥିବା ଶଙ୍କର ର ଆବେଦନକୁ ଖାରଜ କରି ଶୁଣାଇଛନ୍ତି। ଶଙ୍କରକୁ ନିମ୍ନ କୋର୍ଟ ଓ ହାଇକୋର୍ଟ ଶୁଣାଇଥିବା ଦଣ୍ଡକୁ ସୁପ୍ରିମକୋର୍ଟ କାୟମ ରଖିଛନ୍ତି। ପୀଠଙ୍କ ପକ୍ଷରୁ ନିଷ୍ପତ୍ତି ଜଷ୍ଟିସ ସଞ୍ଜୟ କରୋଲ ଲେଖିଛନ୍ତି ଓ ଉପସଂହାରରେ ମହିଳାଙ୍କୁ ନେଇ ଉପରୋକ୍ତ ଟିପ୍ପଣୀ କରିଛନ୍ତି।