ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍ ଇତିହାସରେ ଭାରତୀୟ ପୁରୁଷ କ୍ରିକେଟ୍ ଦଳ ସୃଷ୍ଟି କରିଛି ଏକ ନୂଆ ଇତିହାସ। ଜାପାନ ବିପକ୍ଷ ରୋମାଞ୍ଚକର ମୁକାବିଲାରେ ମାତ୍ର ୨ ରନରେ ବିଜୟୀ ହୋଇ ଟିମ୍ ଇଣ୍ଡିଆ ନିଜ ନାମରେ ଏକ ବିଶ୍ୱ ରେକର୍ଡ଼ କରିଛି। ପୁରୁଷ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ୨୦୦ଟି ମ୍ୟାଚ୍ ଜିତିବାର ଗୌରବ ହାସଲ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ପାଲଟିଛି। ଏହି ତାଲିକାରେ ସୁପର ଓଭରରେ ମିଳିଥିବା ସଫଳତା ମଧ୍ୟ ସାମିଲ ରହିଛି।

ପ୍ରଥମରୁ ୨୦୦ତମ ମ୍ୟାଚ୍ ଜିତିବାର ବିରଳ ସଂଯୋଗ

ଭାରତୀୟ କ୍ରିକେଟ୍ ଦଳର ଏହି ସଫଳତା ସହ ଏକ ରୋଚକ ତଥ୍ୟ ଯୋଡ଼ି ହୋଇରହିଛି। ଟିମ୍ ଇଣ୍ଡିଆ ନିଜର ପ୍ରଥମ, ୫୦ତମ, ୧୦୦ତମ, ୧୫୦ତମ ଏବଂ ଏବେ ୨୦୦ତମ ମାଇଲଷ୍ଟୋନ୍ ମ୍ୟାଚରେ ବିଜୟ ହାସଲ କରିଛି। ଭାରତ ୨୦୦୬ ଡିସେମ୍ବର ୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ପ୍ରଥମ ଟି-୨୦ ମ୍ୟାଚ୍ ୬ ୱିକେଟରେ ଜିତିଥିଲା। ଏହାପରେ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ୫୦ତମ ବିଜୟ (୭ ୱିକେଟ୍), ୨୦୨୨ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୦୦ତମ ବିଜୟ (୮ ରନ୍) ଏବଂ ୨୦୨୪ରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୫୦ତମ ବିଜୟ (୨୪ ରନ୍) ହାସଲ କରିଥିଲା। ଏବେ ୨୦୨୬ରେ ଜାପାନକୁ ହରାଇ ନିଜର ୨୦୦ତମ ବିଜୟ ସହ ଇତିହାସ ରଚିଛି।

Also Read: ଜାହିର ଖାନଙ୍କୁ ଆଣିଛନ୍ତି ମହେନ୍ଦ୍ର ସିଂ ଧୋନୀ ! ନୂଆ କୋଚ୍ ନିଯୁକ୍ତି ପଛରେ ମାହିଙ୍କ ହାତ

ଜାପାନ ବିପକ୍ଷରେ ରୋମାଞ୍ଚକର ବିଜୟ

ବର୍ଷା ଯୋଗୁଁ ୫-୫ ଓଭର ବିଶିଷ୍ଟ କରାଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଓଦା ପିଚ୍ ଯୋଗୁଁ ରନ୍ ସଂଗ୍ରହ କଷ୍ଟକର ହୋଇପଡ଼ିଥିବା ବେଳେ ଭାରତ ୪ ୱିକେଟ୍ ହରାଇ ମାତ୍ର ୩୨ ରନ୍ କରିବାକୁ ସକ୍ଷମ ହୋଇଥିଲା। ୩୩ ରନର ଲକ୍ଷ୍ୟ ପିଛା କରୁଥିବା ଜାପାନ ଦଳକୁ ଶେଷ ଓଭରରେ ଜିତିବା ପାଇଁ ୮ ରନ୍ ଦରକାର ଥିଲା ଏବଂ ହାତରେ ୭ଟି ୱିକେଟ୍ ବାକି ଥିଲା।

ତେବେ ଶେଷ ବଲରେ ଜାପାନକୁ ୪ ରନ୍ ଆବଶ୍ୟକ ଥିବା ବେଳେ ମାତ୍ର ୧ ରନ୍ ହୋଇପାରିଥିଲା, ଯାହା ଫଳରେ ଭାରତ ୨ ରନରେ ମ୍ୟାଚ୍ ଜିତି ନେଇଥିଲା। ୧୬ ରନର ଗୁରୁତ୍ୱପୂର୍ଣ୍ଣ ପାରି ଖେଳିଥିବା ଶ୍ରେୟସ ଆୟରଙ୍କୁ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ବିବେଚିତ କରାଯାଇଥିଲା। ଏହା ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଦ୍ୱିପାକ୍ଷିକ ଟି-୨୦ ମୁକାବିଲା ଥିଲା।